ବିଶ୍ବପ୍ରସିଦ୍ଧ ଦୌଡ଼ରେ ରାଜଧାନୀ ବାଲିଯାତ୍ରା

ଏଥର ଅଧିକ ଶହେ ଷ୍ଟଲ୍‌ , ଯାତ୍ରା ପାଇଁ ସରଗରମ ରାଜଧାନୀ ଉପକଣ୍ଠ

ଭୁବନେଶ୍ବର: ଦୁଇ ବର୍ଷର ବ୍ୟବଧାନ ପରେ ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଏଥର ଧୁମ୍‌ଧାମ୍‌‌‌ରେ ପାଳନ ହେବ ‘ଭୁବନେଶ୍ବର ବାଲିଯାତ୍ରା’। ଏଥିପାଇଁ ଆୟୋଜକ ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୧୭ରେ ମାତ୍ର ୩୦ଟି ଷ୍ଟଲ୍‌ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାର କଳେବର ବର୍ଷ ପରେ ବର୍ଷ ବଢ଼ିବାରେ ଲାଗିଛି। କରୋନାର ଦୁଇ ବର୍ଷକୁ ଛାଡ଼ି ଦେଲେ, ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୨୦୧୮ରେ ୩୦୦ ଷ୍ଟଲ୍‌ ଓ ୨୦୧୯ରେ ୪୬୯ ଷ୍ଟଲ୍‌ ଖୋଲାଯାଇଥିଲା। ତେଣୁ ଲୋକ ଓ ବ୍ୟବସାୟୀଙ୍କ ସେହି ଉତ୍ସାହକୁ ଦେଖି ଚଳିତ ବର୍ଷ ୬ଶହ ଷ୍ଟଲ୍‌ ଖୋଲିବାକୁ ଯାଉଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନେ ‌ଷ୍ଟଲ୍‌ ନେବାକୁ ଭିଡ଼ ଜମାଉଥିବା ବେଳେ ଏପର୍ଯ୍ୟନ୍ତ ୧୬୯ ଷ୍ଟଲ୍‌ ବୁକିଂ ସରିଲାଣି। ଏଥର ଐତିହାସିକ କଟକ ବାଲିଯାତ୍ରାରେ ୧୫ ଶହ ଷ୍ଟଲ୍‌ ପାଇଁ ବ୍ୟବସ୍ଥା କରାଯାଇଛି। ସେଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ‌ବେଳେ ରାଜଧାନୀରେ ବି ୬୦ରୁ ୭୦ ହଜାର ଲୋକଙ୍କ ସମାଗମ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଉଭୟ ସହରର ପରିସଂଖ୍ୟାନକୁ ଦେଖିଲେ, ରାଜଧାନୀ ମଧ୍ୟ କଟକ ଭଳି ବିଶ୍ବପ୍ରସିଦ୍ଧ ଦୌଡ଼ରେ ଥିବା ଅନୁମା‌ନ କରାଯାଉଛି।

ଏଥର ପର୍ଯ୍ୟଟକମାନଙ୍କ ପାଇଁ ପାଇକ ଆଖଡ଼ା, ମଡର୍ଣ୍ଣ ଡ୍ୟାନ୍ସ, ଓଡ଼ିଶୀ ନୃତ୍ୟ, ଦାସକାଠିଆ, ଭଜନ ସମାରୋହ, ନଦିଆ କୀର୍ତ୍ତନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ହୋଇଛି। ଏଥିସହ ଯୁବପିଢ଼ିଙ୍କ ପାଇଁ ସେଲ୍‌ଫି-ଜୋନ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ଲୋକମାନେ ବୁଲାବୁଲି କରି ଫେରିବା ବେଳେ ସ୍ବାଦିଷ୍ଟ ଖାଦ୍ୟର ସ୍ବାଦ ନେବାକୁ ୧୦୦ରୁ ଊର୍ଦ୍ଧ୍ବ ଖାଦ୍ୟ ଷ୍ଟଲ୍‌ ଖୋଲିବାକୁ ଯାଉଛି। ହେଲେ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ପଲିଥିନ୍‌ ଓ ଏକକ ବ୍ୟବହାର ପ୍ଲାଷ୍ଟିକ୍‌କୁ ବର୍ଜନ କରାଯାଇ ତାଳପତ୍ର ବ୍ୟବହାର କରାଯିବ ବୋଲି କମିଟି ତରଫରୁ କୁହାଯାଇଛି। ଆସନ୍ତା ନଭେମ୍ବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରତିଦିନ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଧାୟକ ସୁଶାନ୍ତ ରାଉତ କମିଟିର ସଭାପତି ଭାବେ ଚଳିତବର୍ଷ ଦାୟିତ୍ବ ନେଇ ସମସ୍ତ କାର୍ଯ୍ୟକୁ ସଠିକ ଭାବେ ତୁଲାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଷ୍ଟଲ୍‌ ପିଛା ୮ ଦିନକୁ ୧୦ହଜାର

ବାଲିଯାତ୍ରା ପରିସରରେ ପ୍ରତି ଷ୍ଟଲ୍‌ ପିଛା ଦର ସ୍ଥିର ହୋଇଛି। ୧୦୦ ବର୍ଗଫୁଟର ଷ୍ଟଲ୍‌ ୮ଦିନ ପାଇଁ ୧୦ରୁ ୧୨ ହଜାର ଟଙ୍କାରେ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଯେଉଁମାନେ ଡିଲକ୍ସ ଓ ସେମି ଡିଲକ୍ସ ଢାଞ୍ଚାରେ ଷ୍ଟଲ୍‌ ଚାହିବେ, ସେଇ ଶୈଳୀରେ ମଧ୍ୟ ଅଧିକ ଦର ଦେଇ ପ୍ରସ୍ତୁତ କରିବା ପାଇଁ ଆଗରୁ କହିପାରିବେ ବୋଲି ଭୁବନେଶ୍ବର ବାଲିଯାତ୍ରା କମିଟିର ଷ୍ଟଲ୍‌ ଇନ୍‌ଚାର୍ଜ ପ୍ରଦୀପ୍ତ କୁମାର ପରିଡ଼ା କହିଛନ୍ତି। ଚଳିତ ବର୍ଷ ଷ୍ଟଲ୍‌ ସଂଖ୍ୟା ୬ ଶହକୁ ବୃଦ୍ଧି ପାଇଥିବାରୁ ବିଦ୍ୟୁତ ଯୋଗାଣ ପାଇଁ ୪୦ଟି ବିଦ୍ୟୁତ୍‌ ଖୁଣ୍ଟ ସହ ସ୍ବତନ୍ତ୍ର ଟ୍ରାନ୍ସଫର୍ମର୍‌ ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିଭଳି ପାର୍କିଂ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ୫ଟି ଜାଗାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି ସମସ୍ତ ବ୍ୟବସ୍ଥା ପାଇଁ ବ୍ୟାପକ ସହଯୋଗ ଯୋଗାଇ ଦେଇଛନ୍ତି।

ସୁରକ୍ଷା ପାଇଁ ୨ଶହ ସ୍ବେଚ୍ଛାସେବୀ

ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ୨ଶହ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରତିଷ୍ଠାତା ଯଶୋବନ୍ତ ଓଝା କହିଛନ୍ତି। ଏଥିସହ ଆବଶ୍ୟକ ପୁଲିସ୍‌ ମୁତୟନ କରାଯିବ। ସୁରକ୍ଷା ଉପରେ ନଜର ରଖିବା ପାଇଁ ୪୦ଟି ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯିବା ସହ ଅଗ୍ନିଶମ ବାହିନୀ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ଯୋଗାଇବା ପାଇଁ ଦୁଇଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ‌ଦେଇଛନ୍ତି। ପଲିଥିନ୍‌ ମୁକ୍ତ କରିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେପରି ‌ଏଠାକୁ ଆସୁଥିବା ଲୋକେ ଗୁଣମାନର ଖାଦ୍ୟ ପାଇବେ ତା’ ଉପରେ ମଧ୍ୟ କଡ଼ା ନଜର ରଖାଯିବ। ସେହିଭଳି ରାଜଧାନୀ ଉପକଣ୍ଠରେ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜି ସମ୍ବର୍ଦ୍ଧିତ କରାଯିବାର ଏକ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର