ବାଲିପାଟଣା: ରାଜଧାନୀର କଳେବର ଦ୍ରୁତବେଗରେ ବଢ଼ିବଢ଼ି ଚାଲିଥିବାରୁ ଉପକଣ୍ଠରେ ଚାଷ ଜମି ପରିମାଣ ସମାନ ବେଗରେ ହ୍ରାସ ପାଇବାରେ ଲାଗିଛି। ତେଣୁ ଚାଷ ଓ ଚାଷୀ ଉଭୟେ ପ୍ରଭାବିତ ହେଉଛନ୍ତି। ଏହା ଭିତରେ ଉପକଣ୍ଠର ଚାଷୀଙ୍କ ପାଇଁ ଚଡ଼କ ସାଜିଛନ୍ତି ରାଜଧାନୀର ବୁଲା ଷଣ୍ଢ। ସହରକୁ ବୁଲା ଗାଈଗୋରୁମୁକ୍ତ କରିବାକୁ ଯାଇ ବିଏମ୍ସି ସେମାନଙ୍କୁ ନେଇ ଚୋରାଲୁଚାରେ ଉପକଣ୍ଠରେ ଛାଡ଼ିଦେଉଛି ବୋଲି ଅଭିଯୋଗ ହେଉଛି। ବୁଲାଗାଈମାନଙ୍କୁ ଗୋଶାଳାରେ ଛଡ଼ାଯାଉଛି ସିନା ବୁଲା ଷଣ୍ଢଙ୍କୁ ବାହାରରେ ଛାଡ଼ିଦିଆଯାଉଛି ବୋଲି ଉପକଣ୍ଠର ଚାଷୀମାନେ କହିଛନ୍ତି। ଫଳରେ ଗତ ଦୁଇ ବର୍ଷ ହେଲା ଏହି ବୁଲାଷଣ୍ଢଗୁଡ଼ିକ ବାଲିପାଟଣା ବ୍ଲକ୍ ଅଞ୍ଚଳରେ ବ୍ୟାପକ ଫସଲ ଉଜାଡ଼ୁଛନ୍ତି। ଧାନଠାରୁ ପରିବା ପର୍ଯ୍ୟନ୍ତ ସବୁ ଫସଲ ନଷ୍ଟ କରୁଛନ୍ତି ବୁଲା ଷଣ୍ଢ। ଯେତିକି ଖାଇକି ନଷ୍ଟକରୁଛନ୍ତି, ତା’ଠୁ ବେଶି ଦଳିଚକଟି ଦେଉଛନ୍ତି।
ବାଲିପାଟଣା ଓ ବନମାଳୀପୁରର ଚାଷୀମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଏହି ଅଞ୍ଚଳରେ କାଁ ଭାଁ କିଛି ଷଣ୍ଢ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ମାଳମାଳ ଷଣ୍ଢ ବୁଲୁଛନ୍ତି। ଏବେ ପାଖାପାଖି ଦେଢ଼ଶହରୁ ଦୁଇ ଶହ ଷଣ୍ଢ ବୁଲୁଥିବା ଦେଖିବାକୁ ମିଳୁଛି। ରାସ୍ତାରେ ଯେତିକି, ଗହୀରରେ ସେତିକି। ରାସ୍ତାରେ ବୁଲୁଥିବା ଷଣ୍ଢଙ୍କ ପାଇଁ ସଡ଼କ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇଗଲାଣି। କିନ୍ତୁ ଏଥିପାଇଁ ବେଶି ପ୍ରଭାବିତ ହେଉଛନ୍ତି ଚାଷୀକୁଳ। ବୁଲାଷଣ୍ଢଗୁଡ଼ିକ ବିଲରେ ପଶି ସବୁପ୍ରକାର ଫସଲ ନଷ୍ଟ କରୁଛନ୍ତି। ଏବେ ଧାନ ଓ ପରିବା ତଳି ପଡ଼ୁଛି। କିନ୍ତୁ ରାତି ପାହିବା ବେଳକୁ ତଳି ବିଲ ନଷ୍ଟ ହୋଇଯାଉଛି। ପରିସ୍ଥିତି ଏମିତି ହେଲାଣି ଯେ ବହୁ ଚାଷୀ ଆଉ ଚାଷ କରିବାକୁ ଡରିଲେଣି। ଆମଣାକୁଦ ଅଞ୍ଚଳର ଚାଷୀ ଶଶାଙ୍କ ନାୟକଙ୍କ କହିବା କଥା ଗତ ଖରିଫ ଧାନକଟା ବେଳେ ବୁଲା ଷଣ୍ଢଙ୍କ ଯୋଗୁ ତାଙ୍କର ବହୁ କ୍ଷତି ହୋଇଥିଲା। କେବଳ ଧାନ ନୁହେଁ, ମୁଗ, ବିରି ଫସଲ ମଧ୍ୟ ଉଜୁଡ଼ିଗଲା। ଏବେ ଯେଉଁ ଷଣ୍ଢ ବୁଲୁଛନ୍ତି, ସେସବୁ ରାଜଧାନୀରୁ ବିଏମ୍ସି ଆଣି ଛାଡ଼ିଛି। ରାତିଅଧିଆ ବିଏମ୍ସି ଗାଡ଼ି ଏହି ଷଣ୍ଢମାନଙ୍କୁ ଆଣି ଛାଡ଼ି ପଳାଉଛି। ଏଣିକି ସ୍ଥାନୀୟ ଲୋକେ ଏହାକୁ ଜୋର୍ଦାର ବିରୋଧ କରିବେ। ରାତିରେ କୌଣସି ଗାଡ଼ି ବୁଲାଷଣ୍ଢ ଆଣି ଏଠାରେ ଛାଡ଼ୁଥିବା ନଜରକୁ ଆସିଲେ, ଲୋକେ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି।