ଆମ ମଧ୍ୟ-ଭୁବନେଶ୍ବରିଆ ବିଧାୟକ ବୁନୁବାବୁ ଏବେ ଭାରି କୁଲୁକୁଲୁ। ବାବୁଙ୍କ ରାଜନୀତିଆ କଣ୍ଟାଟା ଆପେ ହଟିଯାଉଛି ତ। ଏଇ କଥା ଭାବି ଭାବି କୁଆଡ଼େ ବାବୁଙ୍କୁ ଏବେ ନିଦ ନାହିଁ ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି। କଥ‌ା କ’ଣ କି, କର୍ପୋରେଟର ଅମରେଶ ଜେନା ହାଲ୍‌ରେ ଜେଲ୍‌ରୁ ବାହାରିଛନ୍ତି। ନାବାଳିକା ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜେଲ୍‌ ତ’ କଲେ, ସିଆଡ଼େ ପୁଣି ଶଙ୍ଖପତି ତାଙ୍କୁ ଝଣ୍ଡା ତଳୁ କାଢ଼ି ଫୋପାଡ଼ି ବି ଦେଲେ। ଭାଗ୍ୟ ଭଲ, ଜେଲ୍‌ରୁ ବାହାରୁ ବାହାରୁ ଜେନାବାକୁଙ୍କୁ ପଦ୍ମଦଳିଆ ପ୍ରଧାନେ ଆଜ୍ଞା ଫୁଲମାଳ ଦେଇ ପାଛୋଟିଥିଲେ। ଏବେ ପ୍ରଧାନେ ଖୋଲାଖୋଲି କହିଲେଣି ଜେନାବାବୁ ଯଦି ପଦ୍ମପୋଖରୀରେ ବୁଡ଼ ପକାଇବେ, ତେବେ ସେ କଥାକୁ ବି ସେ ହଜମି ଯିବେ।

Advertisment

ଏ କଥା ଶୁଣି ତ ବୁନୁବାବୁଙ୍କର କଚେ ପୁଅ ବାର ଆଉ। କଥା କ’ଣ କି, ପ୍ରଧାନେ ହେଉଛନ୍ତି ବୁନୁବାବୁଙ୍କର ରାଜନୈତିକ ଶତ୍ରୁ। ଦୁଇ ଜଣଯାକ ଗୋଟିଏ ଦଳରୁ ଓ ଗୋଟିଏ ଆସନରୁ ବିଧାୟକ ପାଇଁ ଲଢ଼ିବାକୁ ଚାହୁଛନ୍ତି। ପ୍ରଥମେ ମେୟର ଲଡ଼ୁ ପାଇଁ ଉଭୟଙ୍କ ମଧ୍ୟରେ ଟଣାଓଟରା ଥିଲା। ପୁଣି ଏବେ ବିଧାୟକ ମୁଆଁ ପାଇଁ ଉଭୟଙ୍କ ଭିତରେ ସାତ ବଇରୀ। ବୁନୁବାବୁଙ୍କ ଭୋଟ୍‌ କଟିବାରେ ବି କୁଆଡ଼େ ଜେନାବାବୁଙ୍କ ହାତ ଥିଲା ବୋଲି ସେ ଭାବନ୍ତି। ଏଥିପାଇଁ ପରା ଜେନାବାବୁ ପଦ୍ମପୋଖରୀ ବୁଡ଼ର ସମ୍ଭାବନାକୁ ନେଇ ବୁନୁବାବୁ ବେଶ୍‌ ଖୁସ୍‌। ସେପଟେ ପୁଣି ଏକାମ୍ର ବିଧାୟକ ବାବୁ ସିଂ ଆଜ୍ଞା ବି ଜେନାବାବୁଙ୍କୁ ସାନ ଭାଇ ବୋଲି ଆଗରୁ କହିସାରିଛନ୍ତି। ଯଦି ପ୍ରଧାନେ ଆଉ ସିଂ ଆଜ୍ଞା ମିଳିମିଶି ଆମ ଜେନାବାବୁଙ୍କୁ ଗେରୁଆ ରଙ୍ଗରେ ରଙ୍ଗେଇ ଦିଅନ୍ତି, ତା’ ହେଲେ ତ ବୁନୁବାବୁଙ୍କ ସବୁ ଚିନ୍ତା ଗଲା ବୋଲି ଜାଣ। ଏ କଥା ଭାବି ଭାବି ବୁନୁବାବୁ କୁତୁକୁତୁ ହେଉଛନ୍ତି ବୋଲି ଖଟିରେ ଜୋର୍‌ ଚର୍ଚ୍ଚା।