ରାଜଧାନୀ କଲେଜ ପାଲଟିଛି ଅସାମାଜିକ ଯୁବକଙ୍କ ଆଡ଼ା, କବ୍‌ଜାରେ କଲେଜ ସାଇକେଲ୍ ଷ୍ଟାଣ୍ଡ

ଗଡ଼ୁଛି ଶହ ଶହ ମଦ ବୋତଲ, ପଡ଼ିଛି ସିଗାରେଟ୍ ଖୋଳ

ଖଣ୍ଡଗିରି: ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ସରକାରୀ ଡିଗ୍ରି କଲେଜ ରାଜଧାନୀ ମହାବିଦ୍ୟାଳୟ ପାଲଟିଛି ଅସାମାଜିକ ଯୁବକଙ୍କର ଆଡ଼ାସ୍ଥଳ। ସେଠାରେ ବିନା କୌଣସି ଦ୍ୱିଧାରେ ଦିନ ଦି’ପହରରେ ଚାଲିଛି ନିଶା ସେବନ। ଏ ନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଛି।

କରୋନା ଯୋଗୁଁ କଲେଜ ବନ୍ଦ ଥିବା ସମୟରୁ ଅସାମାଜିକଙ୍କ ଉତ୍ପାତ ବଢିଯାଇଛି। ଦିନ ରାତି ସବୁବେଳେ ଦଳ ଦଳ ହୋଇ କଲେଜ ସାଇକେଲ ଷ୍ଟାଣ୍ଡରେ ଅଶ୍ଳୀଳ ଭାଷାରେ କଥା ହେବା ସହିତ ନିଶା ସେବନ କରୁଛନ୍ତି। ତେବେ କଲେଜ ଖୋଲିବା ପରେ ମଧ୍ୟ ସେମାନେ ଏହି ସ୍ଥାନକୁ ଏକପ୍ରକାର କବ୍‌ଜା କରି ନେଇଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣି ଷ୍ଟାଣ୍ଡରେ ସାଇକେଲ ରଖୁନାହାନ୍ତି। ସାଇକେଲ ଷ୍ଟାଣ୍ଡ ପରିସରରେ ଶହ ଶହ ମଦ ବୋତଲ ଗଡ଼ୁଛି। ଏ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଧ୍ୟାପକ ଓ ଅଧ୍ୟାପିକା ଅସନ୍ତୋଷ ପ୍ରକାଶ କରୁଛନ୍ତି।
କଲେଜ ପରିସରକୁ ସୁନ୍ଦର କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯାଇଛି। ତେବେ ଏହି ଅନ୍ଧାରୁଆ ସ୍ଥାନ ଅସାମାଜିକଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଲା ମାତ୍ରେ ଏମାନେ ଦଳ ଦଳ ହୋଇ ଆସି ପରିସରରେ ହାଜର ହେଉଛନ୍ତି। ସୁରକ୍ଷାକର୍ମୀ ବାରଣ କଲେ ନାଲିଆଖି ଦେଖାଉଛନ୍ତି। ଏପରିକି କଲେଜ ପରିସରରେ ଅନେକ ସମୟରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମ୍ମୁଖରେ ନିଶା ସେବନ କରୁଛନ୍ତି। ରାତି କଥା ଦୂରେ ଥାଉ ଦିନ ଦି’ ପହରରେ କଲେଜ କ୍ୟାମ୍ପସ ଭିତରେ ସିଗାରେଟ୍ ଗୁଟ୍‌ଖାଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ସମସ୍ତ ନିଶା ଦ୍ରବ୍ୟ ସେବନ କରୁଥିବା ଦେଖାଯାଇଛି। ଖୋଲାଖୋଲି ଭାବେ ନିଶା ସେବନ କରୁଥିଲେ ହେଁ ସେମାନଙ୍କୁ ଅଟକାଇବାକୁ କେହି ସାହସ କରୁ ନାହାନ୍ତି। କେବଳ ସାଇକେଲ ଷ୍ଟାଣ୍ଡ ନୁହେଁ କଲେଜର ପଛ ପାଖ ପଡ଼ିଆ, ବାଳକ ଛାତ୍ରାବାସକୁ ଯିବାକୁ ଥିବା ରାସ୍ତା, କଲେଜ ପାଚେରି ପାଖ ଜାଗାରେ ପଡ଼ିଛି ବିଭିନ୍ନ ପ୍ରକାର ମଦ ବୋତଲ ଏବଂ ସିଗାରେଟ୍ ଖୋଳ। ଅଳ୍ପ କିଛି ଦୂରରେ ଖଣ୍ଡଗିରି ଥାନା ଥିଲେ ହେଁ ପୁଲିସର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

କଲେଜ ପରିସରରେ ଆଡ଼ା ଜମାଉଥିବା କିଛି ଯୁବକଙ୍କ ନାଁରେ ଆପରାଧିକ ମାମଲା ଥିବାରୁ ସେମାନଙ୍କୁ ସାମ୍ନା କରିବାକୁ ଏବେ କଲେଜ କର୍ତ୍ତୃପକ୍ଷ ବି ଭୟ କରୁଛନ୍ତି। ତେଣୁ କମିସନରେଟ ପୁଲିସ୍ ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି ମତପ୍ରକାଶ ପାଉଛି।

ଏ ନେଇ ଯୁକ୍ତ ୩ କଳା ବିଭାଗର ଜଣେ ଛାତ୍ର କୁହନ୍ତି, ଏହା ନିତିଦିନିଆ ଘଟଣା। ସବୁବେଳେ ବାହାର ପିଲା ଆମ କଲେଜ୍ ଡ୍ରେସ୍ ପିନ୍ଧି ଆସି ଏଠି ମଦ ପିଉଛନ୍ତି। ଛାତ୍ରୀ ଓ ଶିକ୍ଷକଙ୍କ ଆଗରେ ପିଇଲେ ମଧ୍ୟ ତାଙ୍କର କେହି କିଛି କରୁ ନାହାନ୍ତି। ଆମର ଏତେ ବଡ଼ କଲେଜ୍, ହେଲେ ସୁରକ୍ଷାକର୍ମୀ ଜଣେ। ସିସିଟିଭି କ୍ୟାମେରା ମଧ୍ୟ ନାହିଁ। ଏ ବାବଦରେ ଅଧ୍ୟକ୍ଷା ସସ୍ମିତା ତ୍ରିପାଠୀ କହିଛନ୍ତି, ଅଳ୍ପଦିନରେ ଉକ୍ତ ଜାଗା ଗୁଡିକରେ କ୍ୟାମେରା ଲଗାଯିବ। କଲେଜରେ ପାଟ୍ରୋଲିଂ ପାଇଁ ମଧ୍ୟ ଆମେ ଖଣ୍ଡଗିରି ପୁଲିସକୁ ଚିଠି ଲେଖିଛୁ। ତେବେ ସଂଧ୍ୟା ସମୟରେ ପୁଲିସ୍ କଲେଜ ପରିସରେ ଅତର୍କିତ ଚଢ଼ଉ କରିବା ଆବଶ୍ୟକ। ଏହା ସହିତ କଲେଜରେ ୨୪ ଘଣ୍ଟା ସୁରକ୍ଷାକର୍ମୀ ମୁତୟନ କରିବା ଦରକାର ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର