ରାଜଧାନୀ କଲେଜ: ୯୦% ଛୁଇଁନାହାନ୍ତି ଛାତ୍ରଛାତ୍ରୀ

ଖଣ୍ଡଗିରି: ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକ ମଧ୍ୟରେ ରାଜଧାନୀ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଏହି କଲେଜରୁ ଉତ୍ତୀର୍ଣ୍ଣ ହୋଇ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଯେଉଁଥିପାଇଁ ନାମଲେଖା ସମୟରେ ମଧ୍ୟ ଏହି କ‌ଲେଜର କଟ ଅଫ୍ ମାର୍କ ରାଜଧାନୀ‌ର ଅନ୍ୟ କଲେଜ ତୁଳନାରେ ଆଗରେ ରହୁଛି। ଏହି କଲେଜର ଛାତ୍ରଛାତ୍ରୀ କଳା, ବିଜ୍ଞାନ ଓ ବାଣିଜ୍ୟରେ ଭଲ ନମ୍ବର ରଖି ଓଡ଼ିଶାରେ ନାଁ କରିଥାନ୍ତି। ତେବେ ଗତ କିଛି ବର୍ଷ ହେବ ଏଠାରେ ଯୁକ୍ତ୨ରେ ପାସ୍‌ହାର କମୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଗତ ଦୁଇ ବର୍ଷ ହେଲା ଛାତ୍ରଛାତ୍ରୀ ଯେଉଁ ନମ୍ବର ରଖି ପାସ୍‌ କରୁଛନ୍ତି ତାହା ଅନେକଙ୍କୁ ନିରାଶ କରୁଛି। ସଦ୍ୟ ପ୍ରକାଶିତ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳରେ ଏଠାକାର ଜଣେ ବି ହେଲେ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହୋଇପାରି ନାହାନ୍ତି। କଲେଜର ୬୦ ଜଣରୁ ଅଧିକ ପିଲା ଫେଲ୍‌ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୩୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୬ ଜଣ ପ୍ରଥମ, ୧୧୬ ଜଣ ଦ୍ୱିତୀୟ ଓ ୩୮ ଜଣ ତୃତୀୟ ସ୍ଥାନରେ ରହିଥିଲେ। ୨୨ ଜଣ ଛାତ୍ରଛାତ୍ରୀ ବିଜ୍ଞାନରେ ଫେଲ୍‌ ହୋଇଥି‌ଲେ। ଏବର୍ଷ ବିଜ୍ଞାନରେ ୩୮୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୧୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମରେ ୧୬୨ଜଣ ପାସ୍‌ କରିଥିବାବେଳେ ୧୦୨ଜଣ ଦ୍ୱିତୀୟ ଓ ୪୮ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୪ଜଣ ଅନୁପସ୍ଥିତ ଥିବା ବେଳେ ୬୩ ଜଣ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି। ସେହିପରି ୨୦୨୨ରେ ବାଣିଜ୍ୟରେ ପରୀକ୍ଷା ଦେଇଥିବା ୧୨୨ ଜଣ ଛାତ୍ରଛା‌ତ୍ରୀଙ୍କ ମଧ୍ୟରୁ ୮୪ଜଣ ପ୍ରଥମ, ୧୮ ଜଣ ଦ୍ୱିତୀୟ ଓ ୮ ଜଣ ତୃତୀୟ ସ୍ଥାନରେ ରହିଥିଲେ। ୧୨ଜଣ ଫେଲ୍‌ ହୋଇଥି‌ଲେ। ମାତ୍ର ଚଳିତବର୍ଷ ୧୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୯ ଜଣ ପାସ୍‌ କରିଛନ୍ତି। ୫୨ ଜଣ ପ୍ରଥମ, ୨୭ଜଣ ଦ୍ୱିତୀୟ ଓ ୨୦ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୨୧ ଜଣ ଫେଲ୍‌ ହୋଇଛନ୍ତି। ଦଶମ‌ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୬୦%ରୁ ଅଧିକ ନମ୍ବର ରଖି ଏଠାରେ ବିଜ୍ଞାନ ପଢ଼ୁଥିବା ୬୩ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ବିଜ୍ଞା‌ନରେ ଓ ୨୧ଜଣ ବାଣିଜ୍ୟର ସମସ୍ତ ବିଷୟରେ ପାସ୍‌ ମାର୍କ ରଖି ପାରୁ ନାହାନ୍ତି।

ଏନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ଅରୁଣ କୁମାର ସାମଲଙ୍କ କହିବା କଥା ହେଉଛି ପାଠପଢ଼ାରେ କୌଣସି ହେଳା କରାଯାଉ ନାହିଁ। ଆବଶ୍ୟକ ଅନୁଯାୟୀ ସ୍ଥାୟୀ ଅଧ୍ୟାପକ ରହିଛନ୍ତି। ଅସ୍ଥାୟୀ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଛାତ୍ରଛାତ୍ରୀ ସ୍କୁଲରୁ କଲେଜକୁ ଆସିବା ପରେ ପାଠରେ ଧ୍ୟାନ ଦେଉ ନଥିବାରୁ ପରୀକ୍ଷା‌ରେ ଫଳ ଖରାପ ହେଉଛି। କଲେଜ ନାଁ କହି ଆସୁଥିଲେ ମଧ୍ୟ କ୍ଲାସ କରୁନାହାନ୍ତି। ଯେଉଁଥିପାଇଁ ଫେଲ୍‌ ହେଉଛନ୍ତି।

ସମ୍ବନ୍ଧିତ ଖବର