ଭୁବନଶ୍ବେର: କମିସନରେଟ୍‌ ପୁଲିସର ପିଓପିଡି ଏବଂ ଟିମ୍‌-୬୦ ମିଳିତ ଚଢ଼ଉ କରି ଗତ ମାସକ ମଧ୍ୟରେ ୧୩୧ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪୦ଜଣଙ୍କ ବିରୋଧରେ ଅଧିକ ମାମଲା ଯୋଡ଼ା ଯାଇଛି। ସେହିଭଳି ୨୩ଜଣଙ୍କ ବିରୋଧରେ ୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କଠାରୁ ୩୨ ଗ୍ରାମ୍‌ ସୁନା ଅଳଙ୍କାର, ୧୦ ବାଇକ୍‌, ୪୫ ଦାମୀ ମୋବାଇଲ ଫୋନ୍‌ ଏବଂ ୨୦ ହଜାର ୪୦୦ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଲୁଟ୍‌, ଛିନ୍‌ତାଇ ଭଳି ବିଭିନ୍ନ ଆପରାଧିକ ମାମଲା ବିଷୟରେ ସୂଚନା ଦେବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ହ୍ୱାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି। ସାଧାରଣ ଲୋକେ ଏହାର ସଦୁପୋଯୋଗ କରିବାକୁ ପୁଲିସ ପକ୍ଷରୁ ଅନୁ‌ରୋଧ କରାଯାଇଛି।

Advertisment

ପତ୍ନୀକୁ ନିର୍ଯାତନା ଦେବା ଅଭି‌ଯୋଗରେ ସ୍ବାମୀ ଗିରଫ

ଭୁବନେଶ୍ବର: ପତ୍ନୀଙ୍କୁ ମାରଧର କରିବା ଓ ଜୀବନରୁ ମାରିଦେବା ପାଇଁ ଧମକ ଦେବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ନୟାଗଡ଼ ସଦର ଅଞ୍ଚଳର ସୋମନାଥ ସାହୁ(୩୫)କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ, ୨୦୧୪ ମସିହାରେ ମହିଳାଙ୍କୁ ସୋମନାଥ ବିବାହ କରିଥିଲେ। ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ କିଛି ଦିନ ହେବ ସୋମନାଥଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ଏ ସଂପର୍କରେ ତାଙ୍କୁ ପଚାରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ସୋମନାଥ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ। ଏ ସଂପର୍କରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା।

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ: ପୁଲିସକୁ ପନିକି ଧରି ଗୋଡ଼ାଇଲା,

ମହିଳାଙ୍କୁ ଘରେ ପଶି ଆକ୍ରମଣ

ଭୁବନେଶ୍ବର: ବସ୍ତିରେ ଗାଳିଗୁଲଜ କଲା। ବସ୍ତିବାସିନ୍ଦାଙ୍କୁ ଆକ୍ରମଣ କରିବା ସହ ଘରେ ପଶି ମହିଳାମାନଙ୍କୁ ମାଡ଼ ମରିଲା। ପୁଲିସ ମଧ୍ୟ ମଦ୍ୟପର ଆକ୍ରୋଶରୁ ବାଦ ପଡ଼ିଲା ନାହିଁ। ସେ ପୁଲିସ କର୍ମଚାରୀଙ୍କୁ ଏକ ପନିକି ଧରି ଗୋଡ଼ାଇଲା। ମଞ୍ଚେଶ୍ବର ଥାନା ଅଧୀନ ପାଟଦେଇ ବସ୍ତିରେ ଏଭଳି ଘଟଣା ଘଟିଛି।

ଆଜି ରାତି ପ୍ରାୟ ୧୦ଟା ବେଳେ ଜଣେ ମଦ୍ୟପ ଯୁବକ ବସ୍ତିକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଯିଏ ଆଗରେ ପଡ଼ିଲା ଆକ୍ରମଣ କଲା। ଲୋକମାନେ ଭୟଭୀତ ହୋଇ ଘ‌ର ଭିତରକୁ ଚାଲିଯିବାରୁ ସେ ସେତିକିରେ ଥମି ନଥିଲା। ମଦ୍ୟପ ଜଣକ ଘରେ ପଶି ମହିଳାମାନଙ୍କୁ ମଧ୍ୟ ମାଡ଼ ମାରିଥିଲା। ମଦ୍ୟପର ଏଭଳି କାଣ୍ଡ ଦେଖି ବସ୍ତିରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଏନେଇ ସ୍ଥାନୀୟ ବସ୍ତି ବାସିନ୍ଦା ମଞ୍ଚେଶ୍ବର ଥାନାକୁ ସୂଚନା ଦେଇଥିଲେ। ପୁଲିସ କର୍ମଚାରୀ ବସ୍ତିରେ ପହଞ୍ଚିବାରୁ ମଦ୍ୟପ ଯୁବକ ଜଣକ ଏକ ପନିକି ଧରି ସେମାନଙ୍କୁ ଗୋଡ଼ାଇଥିଲା। ଫଳରେ ପୁଲିସ ତାକୁ କାବୁ କରିନପାରି ଖାଲି ହାତରେ ଫେରିଆସିଥିଲା। ଏନେଇ ମଞ୍ଚେଶ୍ବର ଥାନା ସହ ‌ଯୋଗାଯୋଗ କରାଯାଇଥିବା ବେ‌ଳେ ଏଭଳି କୌଣସି ଘଟଣା ଘଟି ନଥିବା ପୁଲିସ କହିଛି।