ଭୁବନେଶ୍ବର: ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଟଣାଓଟରା କରିବା ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ବରବାରି ବସ୍ତିର କାହ୍ନା ଦାଶ (୨୩)କୁ ଗିରଫ କରିଛି ଖଣ୍ଡଗିରି ପୁଲିସ। ସୂଚନାନୁସାରେ କାହ୍ନାର ପୂର୍ବରୁ ଅଭିଯୋଗକାରିଣୀଙ୍କ ସହ ବିବାଦ ରହିଥିଲା। ଆଜି କାହ୍ନା ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲା। ଅଭିଯୋଗକାରିଣୀ ପ୍ରତିବାଦ କରିବାରୁ କାହ୍ନା ତାଙ୍କୁ ମାଡ଼ ମାରିବା ସହ ଟଣାଓଟରା କରିଥିଲା। ଏକ କଟୁରି ଦେଖାଇ ତାଙ୍କ ପରିବାରଲୋକଙ୍କୁ ମାରିଦେବାକୁ ବି ଧମକ ଦେଇଥିଲା।

Advertisment

ଦେହ ବ୍ୟବସାୟୀଙ୍କ ତୁମୁଳକାଣ୍ଡ: ଢେଲା ମାରି କାର୍‌ କାଚ ଭାଙ୍ଗିଲେ

ଭୁବନେଶ୍ବର: ଦେହ ବ୍ୟବସାୟକୁ କେନ୍ଦ୍ର କରି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ପଛପଟେ ଦୁଇ ଦେହଜୀବୀ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁଇ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଦୁଇଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।
ସୂଚନା ମୁତାବକ, ରାଜମହଲଠାରୁ ଆରମ୍ଭ କରି ଅଶୋକନଗର, ଲକ୍ଷ୍ମୀସାଗର ଆଦି ବିଭିନ୍ନ ଅଞ୍ଚଳରେ ଏହି ଦୁଇ ଗ୍ୟାଙ୍ଗ୍‌ ସକ୍ରିୟ ହୋଇ ଦେହ ବ୍ୟବସାୟ ଚଳାଇ ଆସୁଛନ୍ତି।

କିଛି ଦିନ ତଳେ ରାଜମହଲ ଛକରେ ଉଭୟ ଗୋଷ୍ଠୀର ଯୁବତୀ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଟଙ୍କା ମୂଲଚାଲକୁ ନେଇ ବିବାଦ ଦେଖା ଦେଇଥିଲା। ଆଜି ଗୋଟିଏ ଗୋଷ୍ଠୀର କିଛି ଯୁବକ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଶବ ବ୍ୟବଚ୍ଛେଦ ଗୃହ ପଛ ପଟେ ଥିବା ପଡ଼ିଆ ନିକଟରେ ବସି ଗ୍ରାହକଙ୍କ ସହ ଡିଲ୍‌ ବେଳେ ଅନ୍ୟ ଗୋଷ୍ଠୀ ମୂଲଚାଲ ଭଣ୍ଡୁର କରିଥିଲା। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଗୋଟିଏ ଗୋଷ୍ଠୀର କିଛି ଯୁବକ ସେଠାରେ କାର୍‌ରେ ବସିଥିବା ଅନ୍ୟ ଗୋଷ୍ଠୀର ଯୁବତୀଙ୍କ ଉପରକୁ ଆକ୍ରମଣ କରିଥିଲେ। କାର୍‌ ଉପରକୁ ପଥର ମାଡ଼ କରିଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରି ଦୁଇ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲା।

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଭୁବନେଶ୍ବର: ଗୋହିରା ଛକ ନିକଟ ବଡ଼ପୋଖରୀ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା‌ ବେଳେ ୫ ଦୁର୍ବୃତ୍ତଙ୍କୁ ଇନ୍‌ଫୋଭ୍ୟାଲି ଥାନା ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ୍‌ ବିଭିନ୍ନ ମାରଣ‌ାସ୍ତ୍ର ଜବତ କରିଥିବା ଜଣାଯାଇଛି। ଅଭିଯୁକ୍ତମାନେ ହେଲେ, ଯାଁଳା ମଠ ସାହିର ବିଷ୍ଣୁପ୍ରସାଦ ସ୍ବାଇଁ(୩୧), ଗଙ୍ଗପଡ଼ାର ଅଶୋକ କୁମାର ଦାସ(୨୪), ଖୋର୍ଦ୍ଧା ଚଚେରା ସାହିର ପ୍ରକାଶ ଦେହୁରି(୨୪), ମୋହନ ମାଝି(୨୩) ଓ ଯାଁଳାର ଘନଶ୍ୟାମ ସ୍ବାଇଁ(୩୬)। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ବଡ଼ପୋଖରୀ ଅଞ୍ଚଳରେ ଥିବା ଏକ ନିର୍ଜନ ସ୍ଥାନରେ ବସି ଜାତୀୟ ରାଜପଥରୁ ବଡ଼ଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥଲେ।

ଇନଫୋଭ୍ୟାଲି ଥାନାର ଏକ ଟିମ୍‌ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଏହି ସୂଚନା ପାଇ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରି ୫ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ଗୋଟିଏ ଖଣ୍ଡା, ଗୋଟିଏ କଟୁରି, ଗୋଟିଏ ଷ୍ଟିଲ ପାଇପ୍‌, ଗୋଟିଏ ଲୁହା ଛଡ, କିଛି ମଦ ବୋତଲ ଏବଂ କିଛି ଲଙ୍କାଗୁଣ୍ଡ ଜବତ ହୋଇଛି।

ଦାଦାବଟି ନ ଦେବାରୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ବର: ଦାଦାବଟି ନ ଦେବାରୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଓଗାଳପଡ଼ା ଅଞ୍ଚଳର ଗୋପାଳ ବେହେରା(୩୨)। ସୂଚନାନୁସାରେ, ଗଗନ ବିହାରୀ ସାହୁ ଓଗାଳପଡ଼ାରେ ଥିବା ଜମିରେ ଘର ନିର୍ମାଣ କରୁଥିବା ସମୟରେ ଗୋପାଳ ତାଙ୍କୁ ୩ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଗଗନ ଟଙ୍କା ଦେବା ପାଇଁ ମନା କରିବାରୁ ଗୋପାଳ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା।

ତାଙ୍କୁ ଧମକ ଦେବା ସହିତ ଉକ୍ତ ଜମିକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ମେସିନ ସାହାଯ୍ୟରେ ତାଡ଼ି ଦେଇଥିଲା। ଗତକାଲି ଗୋପାଳ ପୁଣିଥରେ ୩ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। କିନ୍ତୁ ଗଗନ ଟଙ୍କା ଦେବା ଲାଗି ମନା କରିବାରୁ ଗୋପାଳ ଏକ ଲୁହାଛଡ଼ ସାହାଯ୍ୟରେ ଅଭିଯୋଗକାରୀଙ୍କୁ ପ୍ର‌ାଣାନ୍ତକ ଆକ୍ରମଣ କରିଥିଲା।