ଭୁବନେଶ୍ବର: ଦିନ ଆଲୁଅରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃ୍ତ୍ତ। ସହିଦନଗର ଥାନା ଅନ୍ତର୍ଗତ ଲେପ୍ରୋସି କଲୋନିରେ ଆଜି ଏହି ଆପରାଧିକ ଘଟଣା ଘଟିଛି। ଆକ୍ରମଣରେ ଆହତ ଯୁବକଜଣଙ୍କ ହେଲେ କ୍ଷେତ୍ରବାସୀ ବେହେରା। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ କ୍ଷେତ୍ରବାସୀ ଘରେ ଥିବା ବେଳେ ଅନିଲ ନାମକ ଜଣେ ନିଶାସକ୍ତ ଯୁବକ ତାଙ୍କୁ ବାହାରକୁ ଡାକିଥିଲା। ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଫାର୍ସା ଧରି ଗୋଡ଼ାଇଥିଲା। କ୍ଷେତ୍ରବାସୀ ଜୀବନ ବିକଳରେ ଦୌଡ଼ିବାରୁ ସେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ଚୋଟ ପରେ ଚୋଟ ମାରି ଚାଲିଥିଲା। ଏହା ଦେଖି ସ୍ଥାନୀୟ କିଛି ଲୋକ ଅନିଲକୁ କାବୁ କରି ସହିଦନଗର ପୁଲିସ୍ର ଜିମା ଦେଇଥିଲେ।
ଛାତ୍ରୀଙ୍କୁ ଆକ୍ରମଣ କଲା ବିଫଳ ପ୍ରେମିକ
ଭୁବନେଶ୍ବର: ଏକପାଖିଆ ପ୍ରେମ କରୁଥିବା ଜଣେ ଇଂଜିନିୟରିଂ ଛାତ୍ର ହତାଶ ହୋଇ ଆଜି ସହପାଠୀ ଛାତ୍ରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛି। ଇନ୍ଫୋଭ୍ୟାଲି ପୁଲିସ ଗିରଫ କରିଥିବା ଅଭିଯୁକ୍ତ ହେଲେ, ସୁନ୍ଦରଗଡ଼ ବଡ଼ଗାଁ ଅଞ୍ଚଳର ଅବିନାଶ ପଣ୍ଡା(୨୩)। ପୁଲିସ ସୂଚନାନୁସାରେ ଛାତ୍ରୀ ଓ ଅବିନାଶ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ଅବିନାଶ ତାଙ୍କୁ ଏକପାଖିଆ ଭଲ ପାଉଥିଲେ ଏବଂ ଛାତ୍ରୀ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ। ତେଣୁ ହତାଶ ହୋଇ ଅବିନାଶ ଗତ ୩ ତାରିଖରେ କଲେଜ୍ ଲନ୍ରେ ବସିଥିବା ସମୟରେ ଛାତ୍ରୀଙ୍କୁ ଚାପୁଡ଼ା ଓ ଗୋଇଠା ମାରିବା ସହ ଏକ କଟର୍ରେ ତାଙ୍କ ହାତ କାଟି ଦେଇଥିଲା।
ସିଆଇଏସ୍ଏଫ୍ ଛକରୁ ଝୁଲନ୍ତା ଶବ ଜବତ
ବାରଙ୍ଗ/ତ୍ରିଶୁଳିଆ: ସିଆଇଏସ୍ଏଫ୍ ଛକରୁ ଜଣେ ଯୁବକର ଝୁଲନ୍ତା ଶବ ଉଦ୍ଧାର କରିଛି ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ପୁଲିସ। ସକାଳେ ଦୁଇଟି ଦୋକାନ ଗଳିର ପାର୍ଶ୍ୱ ବାରଣ୍ଡାରେ ଥିବା ଏକ ଲୁହା ଆଙ୍ଗଲରେ ବେକରେ ଗାମୁଛା ବାନ୍ଧି ଯୁବକ ଜଣକ ଝୁଲିଥିବା ପୁଲିସକୁ ସୂଚନା ମିଳିଥିଲା। ଗୋଡ଼ିସାହି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା। ମୃତକ ହେଲେ ରାମଚଣ୍ଡୀ ଗ୍ରାମର ବସନ୍ତ ରାଉତ ଓରଫ ବଗୁଲା (୩୮)। ଘରେ ତାଙ୍କର ପତ୍ନୀ ଓ ୨ ସନ୍ତାନ ଅଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/30-11.jpg)