କ୍ରାଇମ କ୍ୟାପିଟାଲ: ବାଲି ବୋଝେଇ ୪ ଟ୍ରାକ୍ଟର, ୧ ହାଇୱା ଜବତ

ବାଲିଅନ୍ତା ବଜାର: ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ତହସିଲ ବଇଁଚୁଆ ଧବଳହାର ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରିବା ଅଭିଯୋଗରେ ୪ ଟ୍ରାକ୍ଟରକୁ ଜବତ କରାଯାଇଛି। ସେହିପରି ପରିଆପାଟପୁରରୁ ଜେସିବି ଜବତ କରାଯିବା ସହ ରାମଚନ୍ଦ୍ରପୁର ଛକ ନିକଟରୁ ବାଲି ବୋଝେଇ ହାଇୱା ଜବତ କରାଯାଇଛି। ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ଗଠିତ ଏକ ସ୍ପେସାଲ ଟିମ୍ ଏହି ଚଢ଼ଉ କରିବା ସହ ଜବତ ଗାଡ଼ିଗୁଡ଼ିକ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରିଛି।

ମାଙ୍କଡ଼ା ବୋଝେଇ ଟ୍ରକ୍‌କୁ ଲକ୍ଷେ ଜରିମାନା

ବାଲିପାଟଣା: ଚୋରାରେ ମାଙ୍କଡ଼ା‌ ପଥର ଚାଲାଣ କରୁଥିବା ଅଭିଯୋଗରେ ଆଜି ବାଲିପାଟଣା ତହସିଲଦାର ଏକ ଟ୍ରକ୍‌କୁ ଜବତ କରି ତା’ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଆଜି ଭୋର୍‌ ସମୟରେ ଟ୍ରକ୍‌ଟିକୁ (ନଂ ଓଆର୍‌ ୦୯ ଏଫ୍ ୦୫୧୯) ସରଦେଇପୁର ନିମାପଡ଼ା ରାସ୍ତାର ମଧୁବନ ଛକ ନିକଟରେ ଜବତ କରାଯାଇଥିଲା। ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କ ନେତୃତ୍ୱରେ ସୁପରଭାଇଜର କାଳନ୍ଦୀ ନାହକ, ବାଲିପାଟଣା ଓ ବିଶ୍ୱନାଥପୁର ଆର୍‌ଆଇ ସମୀର ବେହେରା, ସୋମଣାଶାସନ ଆର୍‌ଆଇ ବସନ୍ତ ସ୍ୱାଇଁ ପ୍ରମୁଖ ଏହି ଚଢ଼ଉ କରିଥିଲେ।

ସେସ୍‌ପୁଲ୍‌ ଗାଡ଼ି ଜବତ, ୫୦ ହଜାର ଜରିମାନା

ଭୁବନେଶ୍ବର: ବରମୁଣ୍ଡା ଅଞ୍ଚଳରେ ରାସ୍ତାକଡ଼ରେ ଆବର୍ଜନା ଖାଲି କରୁଥିବା ଏକ ସେସ୍‌ପୁଲ୍‌ ଗାଡ଼ିକୁ ଧରିଛି ବିଏମ୍‌ସି। ସମ୍ପୃକ୍ତ ମାଲିକଙ୍କୁ ୫୦ହଜାର ଟଙ୍କା ଜରିମାନା କରିବା ସହ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି। ପୂର୍ବରୁ ଏଭଳି ରାସ୍ତାକଡ଼ରେ ମଳ ଖାଲି କରୁଥିବା ବେଳେ ଦୁଇଟି ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିଭଳି କାନ୍ଥବାଡ଼ରେ ପୋଷ୍ଟର ଲଗାଇବା ଅଭିଯୋଗରେ ୭ଟି ସଂସ୍ଥା ବିରୋଧରେ ବିଏମ୍‌ସି ଏତଲା ଦେଇଛି। ଦୁଇଦିନ ତଳେ ୬ଟି ସଂସ୍ଥାଙ୍କ ବିରୋଧରେ ଏଭଳି ଏତଲା ହୋଇଥିଲା।

ସମ୍ବନ୍ଧିତ ଖବର