କ୍ୟାପିଟାଲ କ୍ରାଇମ: କାର୍‌ କାଚ ଭାଙ୍ଗି ଲାପଟପ୍‌ ଲୁଟ୍‌, ଜଣେ ଗିରଫ

ଭୁବନେଶ୍ବର: କାର୍‌ କାଚ ଭାଙ୍ଗି ଏକ ଲାପଟପ୍‌ ଓ ୪୦ହଜାର ଟଙ୍କା ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ୍‌ ଜଗନ୍ନାଥ ପ୍ରସାଦ ଦାସ (୪୨)କୁ ଗିରଫ କରିଛି। ଜଗନ୍ନାଥର ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳ‌‌ରେ। ସେ ଏଠାରେ ମସଜିଦ୍‌ କଲୋନି ଅଞ୍ଚଳରେ ରୁହେ। ପୁଲିସ୍‌ ସୂଚନାନୁଯାୟୀ, ଗତ ୨୩ ତାରିଖ ରାତିରେ ମାର୍ଶାଲ ମାର୍ଦି ତାଙ୍କ କାର୍‌କୁ ଜୟକୃଷ୍ଣ ମାର୍କେଟ୍‌ ପାଖରେ ଥୋଇଥିଲେ। ପରଦିନ ସକା‌ଳେ ସେ କାର୍‌ ପାଖକୁ ଗଲା ବେଳକୁ ଦେଖିବାକୁ ପାଇଥିଲେ ଯେ ପଛ କାଚ ଭଙ୍ଗାଯାଇଛି ଓ ସେଥିରେ ଥିବା ଲାପଟପ୍‌ ଓ ୪୦ହଜାର ଟଙ୍କା ନାହିଁ। ଏ ସଂପର୍କରେ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ବର: ଆଜି ଭୁବନେଶ୍ବର ଅବକାରୀ ଟିମ୍‌ ମଞ୍ଚେଶ୍ବର ଓ ପାହାଳ ଥାନା ଅଞ୍ଚଳରେ ଚଢ଼ଉ କରି ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ମଞ୍ଚେଶ୍ବର ଥାନା ରୟାଲ୍‌ କଲେଜ ଛକରୁ ଗିରଫ ହୋଇଥିବା ଶାନ୍ତିଲତା ସାହୁ(୩୭)ଙ୍କଠାରୁ ୧୫କେଜି ଗଞ୍ଜେଇ ଜବତ କରାଯାଇଛି। ସେହିଭଳି ପାହାଳ ଥାନା ହଂସପାଳ ଛକରୁ ସୁରଞ୍ଜନ ମଲ୍ଲିକ(୨୪)ଙ୍କଠାରୁ ୧୦ କେଜି ଗଞ୍ଜେଇ ମିଳିଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ଲୁଟ୍‌ ମୋବାଇଲ୍‌ ଫୋନ୍‌-ପେ’ରୁ ଟଙ୍କା ଚୋରି, ଜଣେ ଗିରଫ

ଧଉଳି: ମୋବାଇଲ୍‌ ଚୋରି କରିବା ସହ ସେଥିରେ ଥିବା ଫୋନ୍‌-ପେ’ ଆପ୍‌ ଜରିଆରେ ୮ ହଜାର ୨ଶହ ଟଙ୍କା ଲୁଟି ନେବା ଅଭିଯୋଗରେ ଧଉଳି ଥାନା ପୁଲିସ୍‌ ଜଟଣୀ ରାଜାବଜାର (ବିବେକାନନ୍ଦ ସାହି) ଅଞ୍ଚଳର ଚନ୍ଦନ ପାଟ୍ଟଶାଣୀ (୨୬)କୁ ଗିରଫ କରିଛି। କୋର୍ଟରେ ଜାମିନ୍‌ ଖାରଜ ହେବାରୁ ଚନ୍ଦନକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ଗତ ଫେବ୍ରୁଆରି ୭ ତାରିଖରେ ସରଦେଇପୁରସ୍ଥିତ ଡିଡି ବାର୍‌ ସମ୍ମୁଖରେ ରାଜେନ୍ଦ୍ର ମଲ୍ଲିକ ମୋବାଇଲ୍‌ରେ କଥା ହେଉଥିବା ବେଳେ ଚନ୍ଦନ ଓ ତା’ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ସାହୁ ଏକ ବାଇକ୍‌‌ରେ ଆସି ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ। ପରେ ସେହି ଲୁଟ୍‌ ମୋବାଇଲ୍‌ରେ ଥିବା ଫୋନ୍‌-ପେ’ ଆପ୍ ଜରିଆରେ ରାଜେନ୍ଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮ ହଜାର ଟଙ୍କା ଲୁଟି ନେଇଥିଲା ଚନ୍ଦନ। ଏ ସଂପର୍କରେ ଧଉଳି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ପରଦିନ ପୁଲିସ୍‌ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ଧମକଚମକ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଏକତରଫା ପ୍ରେମରେ ବିଫଳ ହୋଇ ସ୍କୁଲ୍‌ ଯିବା ରାସ୍ତାରେ ଛାତ୍ରୀଙ୍କୁ ଧମକଚମକ ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଖାରବେଳନଗରରେ ରହୁଥିବା କଟକ ନିଆଳି ଲୁଣିଗାଁ ଅଞ୍ଚଳର ଝଟୁ ରାଉତ(୨୪)। ପୁଲିସ ସୂଚନାନୁସାରେ, ନବମ ଶ୍ରେଣୀର ଛାତ୍ରୀଙ୍କୁ ଝଟୁ ଏକତରଫା ଭଲ ପାଉଥିଲା। ଛାତ୍ରୀଜଣକ ସ୍କୁଲ୍‌ ଯା’ଆସ କଲା ବେଳେ ରାସ୍ତାରେ ତାଙ୍କୁ ପିଛା କରି ଝଟୁ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରୁଥିଲା। ମାତ୍ର ଛାତ୍ରୀଜଣଙ୍କ ସେଥିପ୍ରତି ନଜର ଦେଉନଥିଲେ। ଗତ କିଛି ଦିନ ହେଲା ଝଟୁ ସିଧାସଳଖ ପ୍ରେମ ନିବେଦନ କରି ଛାତ୍ରୀଙ୍କୁ ବାଟରେ ହଇରାଣ କରୁଥିଲା। ତେବେ ଛାତ୍ରୀଜଣଙ୍କ ତା’ କଥାରେ ରାଜି ନ ହେବାରୁ ସେ ରାଗି ଯାଇଥିଲା ଏବଂ ଗତକାଲି ସ୍କୁଲ୍‌ ଯିବା ରାସ୍ତାରେ ତାଙ୍କୁ ଅଟକାଇ ଅପହରଣ କରିନେବା ଭଳି ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲା। ଏନେଇ ଛାତ୍ରୀଜଣଙ୍କ ଘରେ ଜଣାଇବା ପରେ ବାପାମା’ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର