ବାଲିଅନ୍ତା ବଜାର: ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇ ମହିଳା ଓ ତାଙ୍କ ସ୍ବାମୀକୁ ବ୍ଲାକମେଲ୍ କରିବା ଅଭିଯୋଗରେ ପାହାଳ ଥାନା ପୁଲିସ୍ ବିଜୟ କୁମାର ଜେନା (୩୭) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ୍ ସୂଚନାନୁଯାୟୀ, ସ୍ବାମୀଙ୍କ ସହ ଭୁବନେଶ୍ବରରେ ଘରଭଡ଼ା ନେଇ ରହୁଥିବା ଜଣେ ମହିଳାଙ୍କ ସହ ବିଜୟର ଫେସବୁକ୍ରେ ଚିହ୍ନା ପରିଚୟ ହୋଇଥିଲା। ପରେ ଚାଟିଂରୁ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା ଓ ଦୁହେଁ ମିଳାମିଶା କରିଥିଲେ। ତେବେ ଏହାର ସୁଯୋଗ ନେଇ ବିଜୟ ତାଙ୍କର କିଛି ଆପତ୍ତିଜନ ଭିଡିଓ ଓ ଫଟୋ ଉଠାଇ ନେଇଥିଲା।
ପରେ ଉକ୍ତ ଭିଡିଓକୁ ମହିଳାଙ୍କ ସ୍ବାମୀଙ୍କୁ ପଠାଇ ୫୦ ହଜାର ଟଙ୍କା ମାଗିଥିଲା। ଟଙ୍କା ନ ଦେଲେ ସାମାଜିକ ଗଣମାଧ୍ୟମରେ ଭିଡିଓକୁ ଭାଇରାଲ କରିଦେବ ବୋଲି ଧମକ ଦେଇଥଲା। ତେବେ ଲୋକଲଜ୍ଜା ଭୟରେ ମହିଳାଙ୍କୁ ସ୍ବାମୀ ୧୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏତିକିରେ ତା’ ମନ ବୁଝି ନଥିଲା। ସେ ଆହୁରି ଟଙ୍କା ଦାବି କରି ମହିଳାଙ୍କୁ ବ୍ଲାକମେଲ୍ କରିଥିଲା। ତେଣୁ ମହିଳାଙ୍କ ସ୍ବାମୀ ବାଧ୍ୟ ହୋଇ ଏ ସଂପର୍କରେ ପାହାଳ ଥାନାରେ ଅଭିଯୋଗ କରିଥିଲେ।
ଯୁବତୀଙ୍କୁ ଅଶାଳୀନ ବ୍ୟବହାର, ୨ ଗିରଫ
ଭୁବନେଶ୍ବର: ଯୁବତୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ମଞ୍ଚେଶ୍ବର ପୁଲିସ ଗଙ୍ଗୁଆ ବସ୍ତିର ରାଜୁ ମୁଣ୍ଡା (୧୯) ଓ ଭାନୁଚନ୍ଦ୍ର ତ୍ରିପାଠୀ (୨୪)କୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ମହିଳାଜଣଙ୍କ ପାଖ ଦୋକାନକୁ ଯାଇଥିବା ବେଳେ ଅଭିଯୁକ୍ତଦ୍ବୟ ତାଙ୍କୁ ରାସ୍ତା ଉପରେ ଅଶାଳୀନ ବ୍ୟବହାର କରିଥିଲେ। ସେହିପରି ୨୬ ତାରିଖ ଦିନ ଯୁବତୀଜଣଙ୍କ ଜଣେ ବନ୍ଧୁଙ୍କ ସହ ଯାଉଥିବା ବେଳେ ଏହି ଦୁଇ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଯୁବତୀଙ୍କ ପାଟି ଶୁଣି ତାଙ୍କ ବାପା ସେଠାରେ ପହଞ୍ଚିବାରୁ ସେମାନେ ତାଙ୍କୁ ବି ମାଡ଼ ମାରିଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପିସିଆର୍ ସେଠାରେ ପହଞ୍ଚିବା ବେଳକୁ ଅଭିଯୁକ୍ତଦ୍ବୟ ଫେରାର୍ ହୋଇଯାଇଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର, ଜଣେ ଗିରଫ
ଚନ୍ଦ୍ରଶେଖପୁର: ଗତକାଲି ବିଳମ୍ବିତ ରାତିରେ ସାଲିଆସାହି ବାଜପେୟୀନଗରର ସନ୍ତୋଷ ପ୍ରହରାଜଙ୍କୁ ହୋଇଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜିତୁ ବେହେରା ଓରଫ୍ ଚିଆଁ(୩୨)। ଅଭିଯୁକ୍ତ ଚିଆଁ କର୍ପୋରେଟର ପ୍ରେମାନନ୍ଦ ଜେନାଙ୍କ ପାଖ ଲୋକ ହୋଇଥିବାରୁ ଏହି ଆକ୍ରମଣରେ ତାଙ୍କ ସମ୍ପୃକ୍ତି ଥିବା ନେଇ ସନ୍ତୋଷଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ ସନ୍ତୋଷ ଓ ତାଙ୍କର ଜଣେ ସାଙ୍ଗ ଘରକୁ ଫେରୁଥିବା ବେଳେ ସାଲିଆସାହି ଯାତ୍ରା ପଡ଼ିଆରେ ତାଙ୍କୁ ପ୍ରାୟ ୨୦/୩୦ଯୁବକ ଘେରି ଯାଇଥିଲେ। ସେମାନେ ସନ୍ତୋଷକୁ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଆକ୍ରମଣ କରିଥିଲେ। ତେବେ କୌଣସି ଉପାୟରେ ସନ୍ତୋଷ ପ୍ରାଣ ବଞ୍ଚାଇ ବସ୍ତି ଭିତରକୁ ଧାଇଁ ଯାଇଥିଲେ।