କ୍ୟାପିଟାଲ କ୍ରାଇମ: ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ବାଲିଅନ୍ତା: ଭୁବନେଶ୍ୱର ଅବକାରୀ ଟିମ୍‌ ଆଜି ସନ୍ଧ୍ୟାରେ ବାଳକାଟି ଭାର୍ଗବୀ ବ୍ରିଜ୍‌ ନିକଟରେ ଚଢ଼ଉ କରି ବ୍ରାଉନ୍‌ସୁଗାର କାରବାର କରୁଥିବା ନୂଆପାଟଣା ମଦନମୋହନ ସାହିର ସୁବାସ ସାହୁ (୩୨)କୁ ଗିରଫ କରିଛି। ତା’ ନିକଟରୁ ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ୧୦ ହଜାର ଟଙ୍କା ଜବତ କରାଯାଇଛି। ଜବତ ଧଳାଜହରର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅବକାରୀ ଇନ୍ସପେକ୍ଟର ବିକାଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍‌ ଏହି ଚଢ଼ଉ କରିଥିଲା।

ବ୍ରାଉନ୍‌ସୁଗାର ଜବତ, ୫ ଗିରଫ

ଚନ୍ଦ୍ରଶେଖରପୁର: ରାସ୍ତାକଡ଼ରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ୫ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ହରେକୃଷ୍ଣ ନଗର ବସ୍ତିର ସେଖ୍ ଲାଲଚାନ୍ଦ (୨୬), ପଣ୍ଡାପାର୍କ ବସ୍ତିର ବାପି ନାୟକ(୨୫), ହାଉସିଂ ବୋର୍ଡ କଲୋନିର ସାଫିଉଲା ଖାନ୍(୨୩) ଓ ପିଙ୍କୁ ବେହେରା (୨୩ ) ଏବଂ ପଣ୍ଡାପାର୍କ ବସ୍ତିର ହାପି ନାୟକ (୧୯)। ପୁଲିସ ସେମାନଙ୍କ ନିକଟରୁ ୯ଗ୍ରାମ ବ୍ରାଉନସୁଗାର, ୨ଟି ବାଇକ୍ ଓ ୩ଟି ମୋବାଇଲ୍ ଫୋନ ଜବତ କରିଛି। ନୀଳାଦ୍ରିବିହାର ଦୁଇ ଶହ ଫୁଟିଆ ରାସ୍ତା ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ନେଇ ପୁଲିସ ସୂଚନା ପାଇ ଚଢ଼ଉ କରିଥିଲା। ଉତ୍କଳ ହସ୍ପିଟାଲ ଛକରୁ ସେମାନଙ୍କୁ କାବୁ କରିଥିଲା। ଲାଲଚାନ୍ଦ ଏହି କାରବାରର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ସେ ଭଦ୍ରକରୁ ଏହି ନିଶାଦ୍ରବ୍ୟ ଆଣି ଅନ୍ୟ ୪ଜଣଙ୍କ ସହଯୋଗରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଛୋଟ ଦୋକାନରେ ବିକ୍ରି କରୁଥିଲା।

କଳାକନା ବୁଲାଇଦେଲେ ସିନ୍ଧିଚୋର

ବାଲିଅନ୍ତା: ସ୍ଥାନୀୟ ଗୋତଳବିନ୍ଧା ଗ୍ରାମର ଅଙ୍ଗନବାଡ଼ି ସହାୟିକା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଘରୁ ସିନ୍ଧି ଚୋରି ହୋଇଛି। ଦୁର୍ବୃତ୍ତମ‌ାନେ ତାଙ୍କ ଘରର କବାଟ ତାଲା ଭାଙ୍ଗି ବହୁ ସୁନା ଅଳଙ୍କାର ସହିତ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ଅଳଙ୍କାର ମଧ୍ୟରେ ରହିଛି ୩ଟି ମଙ୍ଗଳସୂତ୍ର, ଗୋଟିଏ ଚେନ୍‌ ଓ ୩ ହଳ କାନଫୁଲ। ସେସବୁର ଆନୁମାନିକ ବଜାର ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଲକ୍ଷ୍ମୀପ୍ରିୟା ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ମାମଲା ରୁଜୁ ହୋଇଛି। ସୂଚନାନୁସାରେ ଲକ୍ଷ୍ମୀପ୍ରିୟା କୌଣସି କାମରେ ୪ଦିନ ହେଲା ଢେଙ୍କାନାଳ ଯାଇଥିଲେ। ଘରେ ତାଙ୍କର ବଡ଼ଝିଅ ଓ ଜ୍ବାଇଁ ରହୁଥିଲେ। ଗତକାଲି ରାତିରେ ଦୁର୍ବୃତ୍ତମାନେ ସେମାନଙ୍କ ଶୋଇବା ଘରର ବାହାର ପଟୁ ତାଲା ପକାଇ ଅନ୍ୟ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଆଲ୍‌ମିରା ତାଡ଼ି ସେଥିରୁ ଟଙ୍କା ଓ ସୁନା ଗହଣା ନେଇଯାଇଥିଲେ।

ହସ୍ପିଟାଲ୍‌ରୁ ନାବାଳିକାଙ୍କ ମୃତଦେହ ଜବତ

ଭୁବନେଶ୍ବର: ଆଜି ବଡ଼ଗଡ଼ ଥାନା ପୁଲିସ ଚନ୍ଦ୍ରଶେଖରପୁରସ୍ଥିତ ଏକ ହସ୍ପିଟାଲ୍‌ରୁ ଜଣେ ନାବାଳିକାଙ୍କ ମୃତଦେହକୁ ଜବତ କରିଛି। ସେ ହେଲେ ବାଙ୍କୁଆଳ ଅଞ୍ଚଳର ସୁଶ୍ରୀ ବିଜୟଲକ୍ଷ୍ମୀ ସ୍ବାଇଁ(୧୫)। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ସେ କୌଣସି ବିଷାକ୍ତ ଦ୍ରବ୍ୟ ସେବନ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବିଜୟଲକ୍ଷ୍ମୀ ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ନେଇ ଶୁକ୍ରବାର ଦିନ ତାଙ୍କ ମା’ ଆକଟ କରିଥିଲେ। ରାତି ପାଖାପାଖି ୧୦ଟା ସମୟରେ ସେ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ନେଇଥିଲେ। ସେଠାରୁ ତାଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ଏକ ‌ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର