ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ମଧୁସୂଦନ ନଗରରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ନବକିଶୋର ବେହେରାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ମଧୁସୂଦନ ନଗରର ପ୍ରଫୁଲ୍ଲ ବେହେରା। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ହେଲେ ଗତକାଲି ବିବାଦ ଉଗ୍ର ରୂପ ନେଇଥିଲା। ଘଟଣାକୁ ନେଇ ଅଭିଯୁକ୍ତ ପ୍ରଫୁଲ୍ଲ ପଡ଼ୋଶୀ ନବକିଶୋରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣରେ ନବକିଶୋରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହେବା ସହ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ଏ ନେଇ ନବକିଶୋରଙ୍କ ପୁଅ ସୌମ୍ୟ ରଞ୍ଜନ ବେହେରା ଥାନାରେ ଅଭିଯୋଗ କରିଥିଲେ ବୋଲି ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂ ସୂଚନା ଦେଇଛନ୍ତି।
ପର୍ଯ୍ୟଟକଙ୍କ ବସ୍ରୁ ଚୋରି ଯୋଜନା, ଆଉ ଜଣେ ଗିରଫ
ଭୁବନେଶ୍ବର: ଟୁରିଷ୍ଟ୍ ବସରୁ ଚୋରି କରିବାକୁ ଯୋଜନା କରୁଥିବା ଜଣେ ଯୁବକଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଭାରତୀ ମଠ ଭୋଇସାହିର ବିଜୟ ବେହେରା ଓରଫ୍ ହନୁଆ(୩୦)। ପୁଲିସ ସୂଚନା ଅନୁଯାୟୀ ଗତ ୨୦୨୨ ସେପ୍ଟେମ୍ବର ୨୭ରେ ଲିଙ୍ଗରାଜ ଥାନା ପୁଲିସ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ନୂଆ ବିଏମ୍ସି ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା ଟୁରିଷ୍ଟ ବସ୍ଗୁଡିକରୁ ଚୋରି କରିବାକୁ ଯୋଜନା କରୁଥିବା ରାଜେଶ, ଦେବୀପ୍ରସାଦ, ରୁଦ୍ର ଏବଂ ସୁରଜଙ୍କୁ ଗିରଫ କରିଥିଲା। ଘଟଣା ଦିନ ହନୁଆ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା।
ମୋବାଇଲ ଚୋର ଗିରଫ
ଭୁବନେଶ୍ବର: ମୋବାଇଲ ଚୋରି ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ଭରତପୁର ଘାଟିକିଆ ଚାରି ଛକ ଅଞ୍ଚଳରୁ ସୁଦାମ ସାହୁ(୨୬)କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ୧୯ ତାରିଖରେ ପ୍ରୀତମ ପଣ୍ଡା ଜୟଦେବ ବାଟିକା ନିକଟରେ ଥିବା ଚିନୁ ଚା’ ଦୋକାନକୁ ଚା’ ପିଇବା ପାଇଁ ଯାଇଥିଲେ। ସେଠାରେ ଚା’ ପିଉଥିବା ସମୟରେ ନିକଟରେ ଥିବା ଏକ ଚେୟାର ଉପରେ ତାଙ୍କର ୨ଟି ଯାକ ମୋବାଇଲ ଫୋନ୍ ରଖିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ସୁଦାମ ୨ଟି ଯାକ ମୋବାଇଲ ଫୋନ ଚୋରି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।