ଭୁବନେଶ୍ବର: ଭଡ଼ାଟିଆଙ୍କ ଘରୁ ଚୋରି କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ୍ ହାଡ଼ବାଇ ବସ୍ତିର ରାଜେଶ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଚକେଇସିଆଣିସ୍ଥିତ ଭଗବତୀ ବସ୍ତିରେ ବିଜୟ କୁମାର ଆଚାର୍ଯ୍ୟ ରହନ୍ତି ଓ ତାଙ୍କର କିଛି ଘରକୁ ସେ ଭଡ଼ା ସୂତ୍ରରେ ଦେଇଛନ୍ତି। ଗତ ୬ ତାରିଖ ଦିନ ଭଡ଼ାଟିଆମାନେ କାମକୁ ଯାଇଥିବା ବେଳେ ଏହି ସୁଯୋଗରେ ରାଜେଶ ସେମାନଙ୍କ ଘର ତାଲା ଭାଙ୍ଗି ନଗଦ ଟଙ୍କା ଚୋରି କରି ନେଇଥିଲା। ଏ ସଂପର୍କରେ ଜଣାପଡ଼ିବା ପରେ ଭଡ଼ାଟିଆମାନେ ବିଜୟଙ୍କୁ ଅବଗତ କରାଇଥିଲେ। ବିଜୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ୍ ବିଜୟକୁ ହାଡ଼ବାଇ ବସ୍ତିରୁ କାବୁ କରି ଥାନାକୁ ନେଇଥିଲା। ପଚରାଉଚରା ବେଳେ ସେ ସତ ମାନି ଯାଇଥିଲା। ଚୋରି ଟଙ୍କାରେ ସେ ମଦ ଓ ଅନ୍ୟାନ୍ୟ ଜିନିଷ କିଣିଥିବା ପୁଲିସ୍କୁ କହିଛି।
ହାତଗୋଡ଼ ବାନ୍ଧି ଚୋରକୁ ଛେଚିଲେ
ବାଲିଅନ୍ତା: ଲୁଟ୍ପାଟ୍ ଉଦ୍ଦେଶ୍ୟରେ ଘରେ ପଶିଥିବା ଚୋରର ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୁଲିସ୍ ଜିମା ଦେଲେ ପରିବାରଲୋକ। ସ୍ଥାନୀୟ ନୂଆସାହି ଗ୍ରାମରେ ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାନୁଯାୟୀ, ପପୁ ନାମକ ଜଣେ ଯୁବକ ଗତକାଲି ରାତିରେ ଗାଁର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଘରେ ପଶିଥିଲା। ପରିବାରଲୋକଙ୍କ ନଜର ପଡ଼ି ଯିବାରୁ ସେ ଖସି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କ୍ଷୀରୋଦ ତାକୁ କାବୁ କରି ବାନ୍ଧି ପକାଇଥିଲେ। ଖବର ପାଇ ବାଲିପାଟଣା ପିସିଆର୍ ତାକୁ ଉଦ୍ଧାର କରି ବାଲିଅନ୍ତା ଥାନାକୁ ହସ୍ତାନ୍ତର କରିଥିଲା। ଏ ସଂପର୍କରେ କ୍ଷୀରୋଦଙ୍କ ପତ୍ନୀ ମାନସୀରାଣୀ ପଣ୍ଡା ଅଭିଯୋଗ କରିଛନ୍ତି।
ମଧୁବନ ମଠ ପରିସରରୁ ଧରାପଡ଼ିଲେ ୩ ନିଶାଡ଼ି
ବାଲିପାଟଣା: ଆଜି ରାତିରେ ବାଲିପାଟଣା ଥାନା ପୁଲିସ ମଧୁବନ ମଠ ପରିସରରେ ଚଢ଼ଉ କରି ୩ ନିଶାଡ଼ିଙ୍କୁ ଧରି ଥାନାରେ ଅଟକ ରଖିଛି। ଧରାପଡ଼ିଥିବା ଯୁବକମାନେ ପିପିଲି ଓ ନୂଆଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ଚଢ଼ଉ ବେଳେ ୩ଜଣ ପାଚେରି ଡେଇଁ ପଳାଇବାରେ ସକ୍ଷମ ହୋଇଛନ୍ତି। ଏମାନେ ସମସ୍ତେ ବ୍ରାଉନ୍ସୁଗାର ବେପାରୀ ବୋଲି ସନ୍ଦେହ କରାଯାଉଛି। ତେବେ ଏମାନେ ନିଶା ବେପାରୀ କି ଡକାୟତ ଦଳ, ତାହା ସ୍ପଷ୍ଟ ହୋଇପାରିନାହିଁ। ସୂଚନାନୁଯାୟୀ ଆଜି ରାତି ପ୍ରାୟ ୯ଟାରେ ୬ଜଣ ମଠ ପରିସରରେ ସନ୍ଦେହଜନକ ଅବସ୍ଥାରେ ବସିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ରାସ୍ତାକଡ଼ରୁ ଶବ ଜବତ
ଭୁବନେଶ୍ବର: କ୍ୟାପିଟାଲ ଥାନା ପୁଲିସ୍ ଆଜି ୟୁନିଟ୍-୨ ଅଞ୍ଚଳ ରାସ୍ତାକଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ପରିଚୟ ମିଳି ନଥିବାରୁ ଶବକୁ କ୍ୟାପିଟାଲ ହସ୍ପିଟାଲ ଶବାଗୃହରେ ରଖାଯାଇଛି।
ମୋବାଇଲ ଚୋର ଗିରଫ
ଭୁବନେଶ୍ବର: ମୋବାଇଲ ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଆଜି ଶିଶୁଭବନ ଛକ ଝରଣା ସାହି ଅଞ୍ଚଳର ଦିପ୍ତୀ ରଞ୍ଜନ ନାୟକ(୨୦) ଓରଫ ଦୀପୁକୁ ଗିରଫ କରିଛି। ଦୀପୁ ରାଜମହଲ ଛକ ନିକଟରେ ଚୋରି ମୋବାଇଲ ଫୋନକୁ ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ପୁଲିସ ତାକୁ କାବୁ କରିଥିଲା।