ଭୁବନେଶ୍ବର: ଜଣେ ଦୋକାନୀଙ୍କୁ ମାଡ଼ ମାରିବା ସହ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଜାମୁକୋଳି ଗ୍ରାମର ମିଥୁନ ଖଟେଇ(୩୨)କୁ ଗିରଫ କରିଛି। ଅଭିଯୁକ୍ତ ମିଥୁନ ଗତ ମାସ ୧୭ ତାରିଖ ଦିନ ସାଧୁ ପରିଡ଼ାଙ୍କ ତେଜରାତି ଦୋକାନରେ ପଶି ଏହି କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଥିଲା।
୨୨ କିଲୋ ଗଞ୍ଜେଇ ଜବତ, ୩ ଗିରଫ
ଭୁବନେଶ୍ବର: ଭରତପୁର ଥାନା ପୁଲିସ ଆଜି ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଟେକ୍ ନୋ କଲୋନି ରୋଡ୍ରୁ ୨୨କିଲୋ ୫୫୦ ଗ୍ରାମ୍ରଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ବୌଦ୍ଧରୁ ଦେବେନ୍ଦ୍ର ସାହୁ(୨୬), କନ୍ଧମାଳରୁ ଭାଗବତ ପ୍ରଧାନ(୩୨), ଗଞ୍ଜାମରୁ ଅନନ୍ତ ଦିଗାଲ(୧୯)। ସେମାନେ କନ୍ଧମାଳରୁ ଗଂଜେଇ ଆଣି ଭୁବନେଶ୍ବରରେ ବିକ୍ରି କରୁଥିବା ପୁଲିସ୍ ପଚରାଉଚରା ବେଳେ ମାନିଛନ୍ତି।
ଟୁରିଷ୍ଟ ବସ୍ରୁ ଚୋରି, ଜଣେ ଗିରଫ
ଭୁବନେଶ୍ବର: ଝାଡ଼ଖଣ୍ଡ ଅଞ୍ଚଳର ଏକ ଟୁରିଷ୍ଟ ବସ୍ରୁ ଚୋରି କରିବା ଅଭିଯୋଗରେ ପୁରୁଣା ଭୁବନେଶ୍ବର ବିନ୍ଦୁସାଗର ରୋଡ୍ ଅଞ୍ଚଳର କାଳିଆ ସେଠୀ(୨୧)କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ସୂଚନା ଅନୁସାରେ ବିମଲ ସିଂ ଝାଡ଼ଖଣ୍ଡରୁ କିଛି ଯାତ୍ରୀଙ୍କୁ ନେଇ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗତ ୮ ତାରିଖ ଦିନ ରାତି ପ୍ରାୟ ୯ ଟାରେ ମନ୍ଦିର ନିକଟରେ ପହଞ୍ଚିଥିଲେ। ରାତି ପ୍ରାୟ ୨ ବେଳେ ସମସ୍ତ ଯାତ୍ରୀ ବସ୍ର ଝରକା ବନ୍ଦ କରି ଶୋଇଥିବା ବେଳେ କାଳିଆ ବସ୍ ଡ୍ରାଇଭରଙ୍କ ପାଖ ଝରକା ଭଙ୍ଗି ଝରକା ପାଖରେ ଥିବା ମନି ବ୍ୟାଗରୁ ୨୦୦୦ ଟଙ୍କା ଚୋରି କରି ନେଇଯାଇଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା।
୩ ବ୍ରାଉନ୍ସୁଗାର ବେପାରୀ ଗିରଫ
ଭୁବନେଶ୍ବର: ବ୍ରାଉନ୍ସୁଗାର ବେପାର କରୁଥିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ପଥରବନ୍ଧ ବସ୍ତି ଅଞ୍ଚଳର ୩ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ାର ସେକ୍ ରାହିଲ୍(୨୫), ପୁରୀ ଡେଲାଙ୍ଗ ଅଞ୍ଚଳର ଟୁଲୁ ଜେନା(୨୫) ଓ ମୋହନ କିଶୋର ବେହେରା(୨୫)। ପୁଲିସ ସେମାନଙ୍କ ନିକଟରୁ ୧୦ ଗ୍ରାମ୍ ବ୍ରାଉନ୍ସୁଗାର, ୩୬ ହଜାର ଟଙ୍କା, ୨ ବାଇକ୍ ଓ ୩ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ଚଢ଼ଉ ପୂର୍ବରୁ ସେମାନେ ଜବତ ହୋଇଥିବା ୩୬ ହଜାର ଟଙ୍କାର ଧଳାଜହର ବିକି ଦେଇଥିଲେ।