ଭୁବନେଶ୍ବର: ବିଏମ୍ସି କମିସନର୍ଙ୍କ ଗାଡ଼ି ଚାଳକ ପରିଚୟ ଦେଇ ବିଭିନ୍ନ ସ୍ଥାନରୁ ବଟି ଆଦାୟ କରୁଥିବା ଜଣେ ଧୂର୍ତ୍ତକୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେ ହେଲା, ଅନ୍ଧାରୁଆ ଅଞ୍ଚଳର ବୁନୁ ଜେନା(୩୨)। ସୂଚନାନୁସାରେ ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ବ୍ୟବହାର କରୁଥିବା ଭଡ଼ାଗାଡ଼ି ବୁନୁ ଚଲାଏ। କିନ୍ତୁ ନିଜକୁ ସେ ବିଏମ୍ସି କମିସନରଙ୍କ ଡ୍ରାଇଭର୍ ପରିଚୟ ଦେଇ ବିଭିନ୍ନ ଦୋକାନୀଙ୍କୁ ଧମକ ଦେଉଥିଲା। ପଲିଥିନ୍ ବିକ୍ରି କରୁଥିବା ଦୋକାନୀଙ୍କୁ ୫୦ ହଜାର ଟଙ୍କା ଜରିମାନା କରିବା ଧମକ ଦେଉଥିଲା। ତେବେ ଜରିମାନା ଟାଳିବାକୁ ଚାହିଲେ ବଟି ଦେବାକୁ ପଡ଼ିବ ବୋଲି କହୁଥିଲା। ଏମିତି ଉପାୟରେ ସେ ବହୁ ଦୋକାନୀଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରୁଥିଲା। ଆଜି ଡେଲ୍ଟା ଛକରେ କପଡ଼ା ବ୍ୟାଗ୍ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ବି ସେ ଏମିତି ଜରିମାନା କାଟିବାକୁ ଧମକ ଦେଇଥିଲା। ପଲିଥିନ୍ ବିକ୍ରି କରୁଥିବାରୁ ୪ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ମହିଳାଙ୍କୁ କହିଥିଲା। ତେବେ ମହିଳାଜଣଙ୍କ ୪ ହଜାର ଟଙ୍କା ଦେଇ ରସିଦ୍ ମାଗିବାରୁ ସେ ଦେଇପାରି ନଥିଲା। ମହିଳାଙ୍କ ସନ୍ଦେହ ହେବାରୁ ସ୍ଥାନୀୟ ଦୋକାନୀମାନଙ୍କ ସହଯୋଗରେ ମହିଳାଜଣଙ୍କ ବୁନୁକୁ କାବୁ କରି ଖଣ୍ଡଗିରି ପୁଲିସ୍ର ଜିମା ଦେଇଥିଲେ। ପୁଲିସ୍ ବୁନୁକୁ ଗିରଫ କରି କୋର୍ଟଚାଲାଣ କରିଛି।
ଜମି ବିବାଦରୁ ବୁଲିଲା ଖଣ୍ଡା
ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ବାଲିଗୁଣ୍ଡି ଗ୍ରାମରେ ଆଜି ଜମି ବିବାଦକୁ କେନ୍ଦ୍ର କରି ଖଣ୍ଡା ବୁଲିଛି। ବାଲିଗୁଣ୍ଡି ମୌଜାରେ ଉକ୍ତ ଗ୍ରାମ ଓ ଅନ୍ଧୋଟି ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ଜମି ସୀମା ଚିହ୍ନଟକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା। ଅନ୍ଧୋଟି ଗ୍ରାମର ଜମି ମାଲିକଙ୍କ ସମର୍ଥିତ ୩୦ରୁ ଅଧିକ ଯୁବକ ବାଇକ୍ରେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଉକ୍ତ ଗ୍ରାମରେ ପହଞ୍ଚିଥିଲେ। ସେମାନେ ଗ୍ରାମରେ ଖଣ୍ଡା ବୁଲାଇବା ସହ ଆତଙ୍କ ଖେଳାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଗ୍ରାମରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଘଟଣାସ୍ଥଳରେ ଭିଡିଓ ସୁଟିଂ କରୁଥିବା ଗ୍ରାମର ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତ୍ୟକ୍ତ ଯୁବକମାନେ ମାରପିଟ୍ କରିବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଅନ୍ଧୋଟି ଗ୍ରାମର ଯୁବକଙ୍କ ମାଡ଼ରେ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଜମି ମାଲିକ ଆହତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇ ନଥିଲା।
ମହିଳାଙ୍କ ସୁନାଚେନ୍ ଛିଡ଼ାଇ ଜଣେ ଗିରଫ
ଭୁବନେଶ୍ବର: ମହିଳାଙ୍କ ବେକରୁ ସୁନାଚେନ୍ ଛିଡ଼ାଇନେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଆଜି କପିଳେଶ୍ବର କୁମ୍ଭାରସାହିର ଚନ୍ଦନ ମହାରଣା(୨୫)କୁ ଗିରଫ କରିଛି। ତା’ ନିକଟରୁ ପୁଲିସ୍ ୧୪ଗ୍ରାମ ଓ ୧୨ଗ୍ରାମ୍ ଓଜନର ଦୁଇଟି ସୁନା ଚେନ୍ ଜବତ କରିଛି। ସୂଚନାନୁସାରେ, ଗଂଜାମ ଜିଲ୍ଲା ରମ୍ଭା ଅଞ୍ଚଳର ମହିଳା ଗୀତାଞ୍ଜଳି ପାତ୍ର ଗତ ୧୪ ତାରିଖରେ ଭୁବନେଶ୍ବର ଶାସ୍ତ୍ରୀନଗରସ୍ଥିତ ଝିଅ ଘରକୁ ଆସୁଥିଲେ। ଶାସ୍ତ୍ରୀନଗର ଟ୍ରାଫିକ୍ ଛକ ନିକଟରେ ଦୁଇ ଅଭିଯୁକ୍ତ ଏକ ବାଇକ୍ରେ ଆସି ତାଙ୍କ ବେକରୁ ୨୮ ଗ୍ରାମ୍ ଓଜନର ସୁନା ଚେନ୍ ଛିଡ଼ାଇ ନେଇଥିଲେ। ଏ ସଂପର୍କରେ ଗୀତାଞ୍ଜଳି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ବଡ଼ଗଡ଼ ପୁଲିସ୍ ହାତରେ ଧରାପଡ଼ିଥିବା କୁଖ୍ୟାତ ଲୁଟେରା ରଂଜନ ପ୍ରଧାନକୁ ପଚରାଉଚରା ବେଳେ ସେ ଚନ୍ଦନର ନାଁ ନେଇଥିଲା।
ସଫେଇ ଆଳରେ ଗହଣା ଲୁଟ୍
ଚନ୍ଦ୍ରଶେଖରପୁର: ସଫେଇ ଆଳରେ ଲୁଟିନେଲେ ଗହଣା। ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଜିଏ କଲୋନିର ଅସ୍ମିତା ମହାନ୍ତି। ଅସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, ସୁନା ଓ ରୁପା ଗହଣା ସଫେଇ କରିବା ପାଇଁ ଆଜି ଦିନବେଳେ ଦୁଇଜଣ ମହିଳା ପ୍ରଚାର କରୁଥିଲେ। ଅସ୍ମିତା ସେମାନଙ୍କୁ ଘରକୁ ଡକାଇ କିଛି ସୁନାଚେନ୍ ଓ ରୁପା ପାଉଁଜି ସଫା କରିବା ପାଇଁ ଦେଇଥିଲେ। ସେଗୁଡ଼ିକ ସଫା କରିଦେବା ପରେ ଅସ୍ମିତା ସେଗୁଡ଼ିକୁ ନେଇଯାଇ ଆଉ ଗୋଟିଏ ସୁନା ମୁଦି ଏବଂ ରୁପା ମୁଦି ସଫା କରିବା ପାଇଁ ଦେଇଥିଲେ। ଏହି ସମୟରେ ଅଳଙ୍କାର ସଫା କରୁଥିବା ଜଣେ ମହିଳା ଅସ୍ମିତାଙ୍କୁ ହଳଦୀ ପାଣି ଆଣିବା ପାଇଁ କହିଥିଲା। ଅସ୍ମିତା ଘର ଭିତରୁ ପାଣି ଆଣିବା ବେଳକୁ ମହିଳାଦ୍ବୟ ସେଠାରୁ ମୁଦି ନେଇ ଚମ୍ପଟ ମାରିଥିଲେ।