ଧଉଳି: ସ୍ଥାନୀୟ ରଘୁନାଥପୁର ଗ୍ରାମରେ ଏକ ଏକ ସରକାରୀ ଜମିକୁ କେନ୍ଦ୍ରକରି ଗତକାଲି ସକାଳେ ଘଟିଥିବା ଗଣ୍ଡଗୋଳ ମାମଲାରେ ଆଜି ଧଉଳି ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକଦ୍ବୟ ହେଲେ ରଘୁନାଥପୁର ଗ୍ରାମର ଅକ୍ଷୟ ଭୋଇ ଏବଂ ମୁକେଶ ଭୋଇ। କୋର୍ଟରେ ଉଭୟଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ ଦିବ୍ୟବିହାର ଅଞ୍ଚଳରେ ମୁକେଶଙ୍କ ଦଖଲରେ ଏକ ସରକାରୀ ଜମି ଅଛି। ଅକ୍ଷୟ ମାଙ୍କଡ଼ା ପଥର ବେପାର କରନ୍ତି। ସେହି ଜମିରେ ସବୁବେଳେ ପଥର ବୋଝେଇ ଟ୍ରକ ଯାତାୟାତ କରିବାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହାର କିଛି ସମୟ ପରେ ମୁକେଶ ଓ ଅକ୍ଷୟ ଗାଁରେ ପହଞ୍ଚି ଠେଙ୍ଗାବାଡ଼ିରେ ମାରପିଟ ହୋଇଥିଲେ। ଆକ୍ରମଣ ଏବଂ ପ୍ରତି ଆକ୍ରମଣରେ ଦୁହେଁ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Advertisment

ଦାଦାବଟି ପାଇଁ କଟୁରି ଚୋଟ, ଅଭିଯୁକ୍ତ ଗିରଫ

ବାଲିପାଟଣା: ଦାଦାବଟି ପାଇଁ ପଡ଼ୋଶୀଙ୍କୁ କଟୁରିରେ ଆକ୍ରମଣ କରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ମହୁଖଣ୍ଡା ଗ୍ରାମର ପ୍ରକାଶ ବେହେରା ଓରଫ୍‌ ବାଙ୍କା(୩୯)କୁ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ଗୁରୁବାର ଦିନ ମହୁଖଣ୍ଡା ଗ୍ରାମର ଶଶିଭୂଷଣ ଦାସ(୫୮) ମନ୍ଦିର ପାଖରେ ବସିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଅସାମାଜିକ ଯୁବକ ବାଙ୍କା ତାଙ୍କୁ ଟଙ୍କା ମାଗିଥିଲା। ଶଶିଭୂଷଣ ମନା କରିବାରୁ ବାଙ୍କା ତାଙ୍କୁ ହତ୍ୟା ଧମକ ଦେଇଥିଲା। ଶଶିଭୂଷଣ ଡରି ନଯାଇ ତାକୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଙ୍କା ପାଖରେ ଲୁଚାଇ ରଖିଥିବା ଏକ କଟୁରି ବାହାର କରି ତାଙ୍କୁ ହାଣି ପକାଇଥିଲା। ଫଳରେ ଶଶିଭୂଷଣଙ୍କ କାନ୍ଧ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କ ପାଟି ଶୁଣି ଗାଁର କିଛି ଲୋକ ସେଠାକୁ ଧାଇଁ ଆସିବାରୁ ବାଙ୍କା ସେଠାରୁ ଦୌଡ଼ି ପଳାଇଥିଲା।

ଦମ୍ପତିଙ୍କୁ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ବର: ଦମ୍ପତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଆଜି ବରମୁଣ୍ଡା ହାଉସିଂବୋର୍ଡ କଲୋନିର ରାଣା ପ୍ରତାପ ମିଶ୍ର(୪୮)ଙ୍କୁ ଗିରଫ କରିଛି। ସୂଚନାନୁସାରେ ଗତ ୩ ତାରିଖ ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ରାଣା, ତାଙ୍କ ପୁ୍ଅ କୁନୁ ଓ ପତ୍ନୀ ମିଳିତ ଭାବେ ପ୍ରଣବ ସାହୁ ଓ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଭଙ୍ଗା ଇଟା ମାଡ଼ରେ ପ୍ରଣବଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ସେମାନେ ଚୁଟି ଧରି ତଳେ ଘୋଷାରି ପକାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦମ୍ପତିଙ୍କୁ ହସ୍ପିଟାଲ ନେଇଥିଲା।