କ୍ୟାପିଟାଲ କ୍ରାଇମ: ୮୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ମେଣ୍ଢାଶାଳ: ଚନ୍ଦକା ଥାନା ଅନ୍ତର୍ଗତ ଚୂନକୋଳି ବସ୍ତିରେ ଚନ୍ଦକା ଥାନା ପୁଲିସ ଚଢ଼ଉ କରି ଜଣେ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୁନାରାମ ଟୁଡୁ (୪୦)। ପୁଲିସ ତା’ ନିକଟରୁ ୮୦ ଲିଟର ଦେଶୀ ମଦ ଜବତ କରିଛି। ଅନ୍ଧାରୁଆ ପଞ୍ଚାୟତର ଚୂନକୋଳି ବସ୍ତିରେ ବ୍ୟାପକ ଦେଶୀ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଉଥିଲା। ଆଜି ଚନ୍ଦକା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବସ୍ତିରେ ଚଢ଼ଉ କରି ସୁନାରାମକୁ କାବୁ କରିଥିଲା।

୨ ଲୁଟେରା ଗିରଫ, ୩ ସୁନାଚେନ୍‌ ଜବତ

ଚନ୍ଦ୍ରଶେଖରପୁର: ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ପଳାଶପଲ୍ଲୀ ବସ୍ତିର ସୋନି ନାୟକ (୩୧) ଏବଂ ପଟିଆ କେଳାସାହିର ଶ୍ରୀଗୁରୁ ଘୋଷ(୩୦)। ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଓ ୩ଟି ସୁନାଚେନ୍‌ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଗତ ଦୁଇ ଦିନ ତଳେ ଶୈଳଶ୍ରୀବିହାର ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ଦୁଇ ଦୁର୍ବୃତ୍ତ ସୁନା ଚେନ୍ ଝାମ୍ପି ନେଇଥିଲେ। ମହିଳାଜଣଙ୍କ ନିଜ ଘର ଆଗରେ ଏକ ଫେରିବାଲାଠାରୁ କିଣାକିଣି କରୁଥିବା ବେଳେ ଦୁଇ ଲୁଟେରା ଅଚାନକ ତାଙ୍କ ନିକଟକୁ ଆସି ବେକରୁ ସୁନାଚେନ୍ ଟାଣିନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଆଖପାଖ ଅଞ୍ଚଳରେ ସିସିଟିଭି ଫୁଟେଜ୍ ତଦନ୍ତ କରି ଲୁଟେରାଙ୍କୁ ଠାବ କରିଥିଲା।

ସମ୍ବନ୍ଧିତ ଖବର