ବାଲିଅନ୍ତା: ବରଯାତ୍ରୀ ଶୋଭାଯାତ୍ରାରେ ଗଣ୍ଡଗୋଳ କରି ଫେରାର୍ ଥିବା ଜଣେ ଯୁବକକୁ ଆଜି ପାହାଳ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ନୂଆ କାଚରାମାଳର ସରୋଜ ନାୟକ(୨୬)। ଜାମିନ ଖାରଜ ହେବାରୁ ସରୋଜକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଗତ ଜାନୁଆରି ୧୯ ତାରିଖ ରାତିରେ ପାହାଳ ଲକ୍ଷେଶ୍ୱର ବିବାହ ମଣ୍ଡପ ନିକଟରେ ଏହି ଗଣ୍ଡଗୋଳ ହୋଇଥିଲା।
ଚେନ୍ ଛିନ୍ତାଇ କରି ୨ ଗିରଫ
ଚନ୍ଦ୍ରଶେଖରପୁର: ଜଣେ କର୍ମଜୀବୀ ଯୁବତୀଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ୍ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିଆସାହିର ସମୀର ସାହୁ(୨୨) ଓ ରାଜୁ ରେଡ୍ଡୀ(୨୯)। ପୁଲିସ ସୂଚନାନୁସାରେ ଗତକାଲି ସଂଧ୍ୟା ବେଳେ ଯୁବତୀଜଣଙ୍କ ଚାଲିଚାଲି କାର୍ଯ୍ୟାଳୟରୁ ଫେରୁଥିଲେ। ରାସ୍ତାରେ ତାଙ୍କୁ ଏକୁଟିଆ ଦେଖି ଦୁଇ ଅଭିଯୁକ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ବେକରୁ ସୁନାଚେନ୍ ଝାମ୍ପି ପଳାଇଥିଲେ। ପୁଲିସ ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।
ସିନେପଲିସ୍ ଗଣ୍ଡଗୋଳ ମାମଲାରେ ଜଣେ ଗିରଫ
ଭୁବନେଶ୍ବର: ସିନେପଲିସ୍ ମଲ୍ଟିପ୍ଲେକ୍ସର ମ୍ୟାନେଜରଙ୍କୁ ଠେଲାପେଲା କରିବା ଓ ସାମ୍ପ୍ରଦାୟିକ ଭାଷା ପ୍ରୟୋଗ କରି ଗାଳି କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଆଜି ଚନ୍ଦକା ଥାନା ଅଞ୍ଚଳର ରାଜେଶ ପଟ୍ଟନାୟକ(୫୫)ଙ୍କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ରାଜେଶ ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଭାବେ ପରିଚିତ। ସୂଚନାନୁସାରେ କିଛି ଦିନ ତଳେ ସିନେପଲିସ୍ ମଲ୍ଟପ୍ଲେକ୍ସରେ ଦ କେରଲା ଷ୍ ଟୋରି ଫିଲ୍ମ ଚାଲୁଥିବା ସମୟରେ କୌଣସି କାରଣରୁ ହଲ୍ର ଏସି ବନ୍ଦ ହୋଇଯାଇଥିଲା। ଏହାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଯୁବକ ମଲ୍ଟିପ୍ଲେକ୍ସର ମ୍ୟାନେଜରଙ୍କୁ ଠେଲାପେଲା କରିବା ସହିତ ଆକ୍ଷେପମୂଳକ ଓ ଅଭଦ୍ର ଭାଷାରେ ଗାଳିକରିଥିଲେ। ଏହି ଦୃଶ୍ୟକୁ ଭିଡିଓ କରି ରାଜେଶ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ।
ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ୩ ଗିରଫ
ଭୁବନେଶ୍ବର: ପ୍ରଚୁର ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନାଗେଶ୍ବର ଟାଙ୍ଗୀ ଅଞ୍ଚଳର ମୁକେଶ ବସ୍ତିଆ(୨୯), ସୁନ୍ଦରପଦା ହାଇଟେକ୍ ପ୍ଲାଜା ଅଞ୍ଚଳର ଶୁଭାଶିଷ ମହାନ୍ତି ଓ ଗ୍ୟାରେଜ୍ ଛକ ଅଞ୍ଚଳର ପ୍ରିନ୍ସ କୁମାର। ଗତକାଲି ରାତିରେ ପୁଲିସ ସେମାନଙ୍କୁ କଳ୍ପନା ଛକରୁ ଧରିଥିଲା।