କ୍ୟାପିଟାଲ କ୍ରାଇମ: କବାଡ଼ିଆଠୁ ୩ ଲକ୍ଷ ଠକି ବନ୍ଧା ହେଲା ଧୂର୍ତ୍ତ

ବାଲିପାଟଣା: ଜଣେ କବାଡ଼ିଆଙ୍କଠାରୁ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ବାଲିପାଟଣା ଥାନା ପୁଲିସ ଜଣେ ଧୂର୍ତ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପିରିଖାପାଟଣା ଗ୍ରାମର ଚିତ୍ତରଞ୍ଜନ ମୁଦୁଲି ଓରଫ୍‌ ବାବୁ। ପୁଲିସ ସୂଚନାନୁସାରେ ଚମ୍ପାବସ୍ତ ଗ୍ରାମର ବଟକୃଷ୍ଣ ଦାସଙ୍କର ଏକ କବାଡ଼ିଆ ଦୋକାନ ଅଛି। ବାଲିପାଟଣା ଥାନାରେ ବହୁ ଦିନ ହେଲା ଜବତ ହୋଇ ପଡ଼ିଥିବା ବାଇକ୍, କାର୍, ଟ୍ରାକ୍ଟର ଆଦିକୁ କବାଡ଼ି ମୂଲ୍ୟରେ କିଣେଇ ଦେବ ବୋଲି ଧୂର୍ତ୍ତ ବାବୁ ତାଙ୍କୁ କହିଥିଲା। ଏଥିପାଇଁ ସେ କବାଡ଼ିଆ ବଟଙ୍କୁ ପ୍ରଲୋଭିତ କରି ତାଙ୍କଠାରୁ ପ୍ରାୟ ତିନି ଲକ୍ଷ ଟଙ୍କା ନେଇଥିଲା। ମାତ୍ର ପରେ ଆଉ ଧରାଛୁଆଁ ଦେଲାନାହିଁ। ଟଙ୍କା ମାଗିବାରୁ ବାବୁ ପାଲଟା ବଟଙ୍କୁ ମାଡ଼ ମାରିଥିଲା।

ଜିଇଡି ବସ୍ତି ସୁଶାନ୍ତ ହତ୍ୟା ଘଟଣା: ୪ ଦିନିଆ ରିମାଣ୍ଡରେ ସୁଜିତ

ଭୁବନେଶ୍ବର: କ୍ୟାପିଟାଲ୍‌ ଥାନା ଜିଇଡି ବସ୍ତିରେ ଘଟିଥିବା ସୁଶାନ୍ତ ନାୟକ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ସୁଜିତ୍ ନାୟକକୁ ଆଜି ରିମାଣ୍ଡରେ ଅଣାଯାଇଛି। ଗତକାଲି ସେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲା। ୪ ଦିନିଆ ରିମାଣ୍ଡରେ ଆସିଥିବା ସୁଜିତ୍‌କୁ ଆଜି ପୁଲିସ ଘନଘନ ଜେରା କରୁଛି। ବିଶେଷକରି ଏହି ହତ୍ୟାକାଣ୍ଡରେ ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ବିଶାଲ୍ ଓ ଅନ୍ୟମାନଙ୍କ ବାବଦରେ ପୁଲିସ ତାକୁ ଜେରା କରୁଛି। ହତ୍ୟାକାଣ୍ଡ ପୂର୍ବରୁ ସେମାନେ କିଭଳି ଯୋଜନା ପ୍ରସ୍ତୁତ କରିଥିଲେ, ହତ୍ୟାକାଣ୍ଡ ପରେ ସେମାନେ କିଏ କୁଆଡ଼େ ଗଲେ ଆଦି ବାବଦରେ ପୁଲିସ ସୁଜିତ୍‌କୁ ପଚାରୁଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ସୁଶାନ୍ତ ନାୟକ ପରିବାର ସହ ଅଭିଯୁକ୍ତ ବଶାଲ୍‌ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ସୁଶାନ୍ତଙ୍କ ଝିଆରୀକୁ ବିଶାଲ୍‌ ରାସ୍ତାରେ ଅସଦାଚରଣ କରିବା ନେଇ ସୁଶାନ୍ତ ଥାନାରେ ଅଭିଯୋଗ କରିଥିଲେ। ମାମଲା ପ୍ରତ୍ୟାହାର ନ କରିବା‌ରୁ ବିଶାଲ୍‌ ଗୋଷ୍ଠୀ ଛକି ରହି ଖଣ୍ଡା, କଟୁରିରେ ହାଣି ତାଙ୍କୁ ହତ୍ୟା କରିଥିଲେ।

ଅଟକ ଲୁଟେରାଠୁ ୩ ଚେନ୍‌ ଜବତ

ଭୁବନେଶ୍ବର: ଘରଭଡ଼ା ବୁଝିବା ଆଳରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେବା ଘଟଣାରେ ଅଟକ ଲୁଟେରାକୁ ଆଜି ଖାରବେଳନଗର ଥାନା ପୁଲିସ କୋର୍ଟଚାଲାଣ କରିଛି। ସେ ହେଲା, ୟୁନିଟ୍‌-୩ ଅଞ୍ଚଳର ପ୍ରଭାତ କୁମାର ସାହୁ ଓରଫ ରିଙ୍କୁ (୩୫)। ପୁଲିସ୍‌ ତା’ଠାରୁ ସାଢ଼େ ୧୬ ଗ୍ରାମ୍‌ ଓଜନର ୩ଟି ସୁନା ଚେନ୍‌ ଜବତ କରିଛି। ଗୁରୁବାର ଦିନ ପାଖାପାଖି ସାଢ଼େ ୧୦ଟାରେ ୟୁନିଟ୍‌- ୩ସ୍ଥିତ ଟାଇପ୍‌-୨ ଅଞ୍ଚଳର ଦିବାକର ବେହେରା ଓ ତାଙ୍କ ମା’ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ରିଙ୍କୁ ଓ ତା’ର ସହଯୋଗୀ ଏକ ସ୍କୁଟିରେ ଆସି ସେଠାରେ ପହଞ୍ଚିଥିଲେ। ଘରଭଡ଼ା ବୁଝିବା ଆଳରେ ରିଙ୍କୁ ମହିଳାଙ୍କ ବେକରୁ ଚେନ୍‌ ଝାମ୍ପି ନେଇଥିଲା। ଏହା ଦେଖି ଉପସ୍ଥିତ ଅନ୍ୟ ଯୁବକମାନେ ରିଙ୍କୁକୁ କାବୁ କରିଥିଲେ। କିନ୍ତୁ ତା’ର ସହଯୋଗୀ ସ୍କୁଟିରେ ଫେରାର୍‌ ହୋଇଯାଇଥିଲା। ରିଙ୍କୁ ମଧ୍ୟ ନିଜକୁ ସଫ୍ଟୱେୟାର ଇଞ୍ଜିନିୟର କହି ଛୁ’ ମାରିବାକୁ ବସିଥିଲା।

ସମ୍ବନ୍ଧିତ ଖବର