ଭୁବନେଶ୍ବର: ମୋବାଇଲ୍ ଚୋରି କରି ଖସିଯାଉଥିବା ବେଳେ ଧରାପଡ଼ିଗଲା କୁଖ୍ୟାତ ଚୋର। ମାତ୍ର ଲୋକେ ତାକୁ ପୁଲିସ ଜିମା ଦେବେ କ’ଣ ଆଗ ତାକୁ ବିଦ୍ୟୁତ୍ ଖମ୍ବରେ ବାନ୍ଧି ନିର୍ଧୁମ ଛେଚିଲେ। ରାତିସାରା ବାଡ଼େଇବା ପରେ ସକାଳୁ ଖବର ପାଇ ପୁଲିସ ଚୋରକୁ ଉଦ୍ଧାର କଲା। ଏନେଇ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ସ୍ବାଭାବିକ ଭାବେ ଚୋର ବିରୋଧରେ ଗୋଟିଏ ମାମଲା ହୋଇଥିବା ବେଳେ ତାକୁ ବିଦ୍ୟୁତ୍ ଖମ୍ବରେ ବାନ୍ଧି ଅମାନୁଷିକ ଭାବେ ବାଡ଼େଇଥିବାରୁ ଲୋକଙ୍କ ବିରୋଧରେ ବି ପୁଲିସ ମାମଲା ରୁଜୁ କରିଛି। ଘଟଣାଟି ନୂଆପଲ୍ଲୀ ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ଗତକାଲି ନୂଆପଲ୍ଲୀ ବିଦ୍ୟୁତ୍ ସବଷ୍ଟେସନ ନିକଟସ୍ଥ ଏକ ନିର୍ମାଣାଧୀନ ଘରେ କିଛି ଶ୍ରମିକ ଶୋଇଥିଲେ। ବିଳମ୍ବିତ ରାତିରେ ଚୋରଜଣକ ଉକ୍ତ ଘରେ ପଶି ଶ୍ରମିକମାନଙ୍କ ୪ଟି ମୋବାଇଲ ନେଇପଳାଉଥିଲା। କିନ୍ତୁ ଖସି ପଳାଉଥିବା ବେଳେ ସେ ଶୋଇଥିବା ଜଣେ ଶ୍ରମିକଙ୍କ ଗୋଡ଼କୁ କୁଦି ପକାଇଥିଲା। ଫଳରେ ଶ୍ରମିକଜଣକ ଉଠିପଡ଼ି ଚୋର ଚୋର ବୋଲି ପାଟି କରିଥିଲେ। ଚୋର ଦୌଡ଼ି ପଳାଉଥିବା ବେଳେ ଶ୍ରମିକମାନେ ତାକୁ ପିଛା କରି କାବୁ କରିଥିଲେ। ଏହାପରେ ତାକୁ ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ସକାଳୁ କିଛି ସ୍ଥାନୀୟ ଲୋକ ଏହା ଦେଖିଥିଲେ ଏବଂ ସେମାନେ ବି ଚୋରକୁ ବିଧା ଗୋଇଠା ମାରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରି ଥାନାକୁ ନେଇଥିଲା।
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସହିଦନଗରରେ ରହୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଆଦିତ୍ୟ ରାଜ ସିଂହ(୨୧)କୁ କୋର୍ଟଚାଲାଣ କରିଛି। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ଆଦିତ୍ୟ ଗତ କିଛି ଦିନ ହେଲା ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଇନ୍ଷ୍ଟ୍ରାଗ୍ରାମ୍ ମାଧ୍ୟମରେ ସଂପର୍କ ବଢ଼ାଇଥିଲା। ଏକଦା ସେ ନାବାଳିକାଙ୍କୁ ଏକୁଟିଆ ଦେଖା କରିବାକୁ ଡକାଇଥିଲା ଏବଂ ସୁଯୋଗ ଦେଖି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଏହି ଅବସରରେ ସେ ସେହି ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ମୋବାଇଲରେ ଉଠାଇ ରଖିଥିଲା। ଏହାପରେ ସେ ନାବାଳିକାଙ୍କୁ ପୁଣି ଶାରୀରିକ ସଂପର୍କ ରଖିବାକୁ ଡାକିଥିଲା। କିନ୍ତୁ ନାବାଳିକା ମନା କରିବାରୁ ଆଦିତ୍ୟ ମୋବାଇଲ୍ରେ ରଖିଥିବା ଫଟୋ ଦେଖାଇ ତାଙ୍କୁ ବ୍ଲାକ୍ମେଲ୍ କରିଥିଲା। ଶାରୀରିକ ସମ୍ପର୍କ ନ ରଖିଲେ ନଗ୍ନ ଫଟୋ ସବୁ ଭାଇରାଲ୍ କରିବ ବୋଲି ଧମକ ଦେଇଥିଲା। ନାବାଳିକାଜଣଙ୍କ ଘରେ ଜଣାଇବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା।
ବନ୍ଧୁକ, ଗୁଳି ସହ ଧରାପଡ଼ିଲା ତପୁ
ଜଟଣୀ: ପତିଆରା ଜାହିର୍ ପାଇଁ କିଛି ସହଯୋଗୀଙ୍କ ସହ ବଜାରଘାଟରେ ଉତ୍ପାତ କରୁଥିବା ଜଣେ ଯୁବକକୁ ଜଟଣୀ ଥାନା ପୁଲିସ୍ ଗିରଫ କରିଛି। ସେ ହେଲା, ପଦନପୁର ତଳସାହିର ଚନ୍ଦ୍ରକାନ୍ତ ହରିଚନ୍ଦନ ଓରଫ୍ ତପୁ (୧୯)। ତା’ ନିକଟରୁ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଛି। ଗତ ରାତିରେ ବେଲାପଡ଼ା ମଶାଣି ପଡ଼ିଆସ୍ଥିତ ହନୁମାନ ମନ୍ଦିର ନିକଟରେ ତପୁ ଓ ତା’ର ସହଯୋଗୀ ଅପରାଧ ପାଇଁ ଯୋଜନା କରୁଥିବା ପୁଲିସ୍ ସେଠାରେ ଚଢ଼ଉ କରିଥିଲା। ଅନ୍ୟ ଫେରାର୍ ଅଭିଯୁକ୍ତଙ୍କୁ ପୁଲିସ୍ ଧରିବାକୁ ଉଦ୍ୟମ ଚଳାଇଛି। ଏନେଇ ପୁଲିସ୍ ନମ୍ବର ୨୨୯/୨୩ରେ ଏକ ମାମଲା ରୁଜୁ କରି ତପୁକୁ କୋର୍ଟଚାଲାଣ କରାଯାଇଛି।