କ୍ୟାପିଟାଲ କ୍ରାଇମ: ପାଇଖାନାରେ ୨ ଯୁବତୀଙ୍କୁ ବନ୍ଦୀ କଲା ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁର: ଗତକାଲି ବିଳମ୍ବିତ ରାତିରେ କାନନବିହାର ଫେଜ୍‌-୨ ଅଞ୍ଚଳରେ ଜଣେ ଦୁର୍ବୃତ୍ତ ଏକ ମହିଳା ମେସ୍‌ରେ ପଶି ଦୁଇ ଯୁବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ହୋଇଛି। ଇନ୍‌ଫୋସିଟି ଥାନା ପୁଲିସ ଅଭିଯୁକ୍ତ ଗୌତମ ଦାସକୁ ଆଜି କୋର୍ଟ ଚାଲାଣ କରିଛି ଏବଂ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଘଟଣା ଅନୁଯାୟୀ ଏକ ଭଡ଼ା ଘରେ ଦୁଇ ଯୁବତୀ ମେସ୍‌ କରି ରହୁଛନ୍ତି। ସେମାନେ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି। ଗତକାଲି ରାତିରେ ହଠାତ୍ ଗୌତମ ଉକ୍ତ ରୁମ୍‌କୁ ଆସି କବାଟ ବାଡ଼େଇ ଖୋଲିବାକୁ କହିଥିଲା। ଯୁବତୀମାନେ ପ୍ରଥମେ କବାଟ ଖୋଲିନଥିଲେ। କିନ୍ତୁ ଗୌତମ ଜୋର୍‌ରେ କବାଟ ବାଡ଼େଇବା ସହ ଭାଙ୍ଗିଦେବ ବୋଲି ଧମକ ଦେଇଥିଲା। ତେଣୁ ଭୟରେ ଯୁବତୀମାନେ କବାଟ ଖୋଲି ଦେଇଥିଲେ। ଗୌତମ ଘ‌ର ଭିତରକୁ ପଶିଯାଇ ଭିତର ପଟୁ ବନ୍ଦ କରିଦେଇଥିଲା। ଏହାପରେ ଦୁଇ ଯୁବତୀଙ୍କୁ ଏକ ବାଡ଼ିରେ ବାଡ଼େଇ ବାଡ଼େଇ ପାଇଖାନାରେ ଭର୍ତ୍ତି କରି ବାହାରୁ କବାଟ ବନ୍ଦ କରିଦେଇଥିଲା। ତେବେ ଭିତରୁ ଯୁବତୀମାନେ ମୋବାଇଲ୍‌ରେ ପୁଲିସକୁ ସୂଚନା ଦେବା ପରେ ଦୁଇ ଦୁଇଟି ପିସିଆର୍‌ ଘଟଣାସ୍ଥଳକୁ ଛୁଟିଆସିଥିଲା। ଏକପାଖିଆ ପ୍ରେମ କରି ଗୌତମ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।

୨ ବ୍ରାଉନ୍‌ସୁଗାର ବେପାରୀ ଗିରଫ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ପୁଲିସ ଡମଣା ଗୋପୀନାଥ କ୍ଲବ୍ ପଡ଼ିଆ ନିକଟରୁ ଦୁଇ ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରି ‌ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଅଭିଯୁକ୍ତ ଦୁହେଁ ହେଲେ ଶୈଳଶ୍ରୀବିହାର ବସ୍ତି ଅଞ୍ଚଳର ସନ୍ତୋଷ କୁମାର ରାଉତ (୪୬) ଏବଂ ‌ହରେକୃଷ୍ଣ ନଗର ବସ୍ତି ଅଞ୍ଚଳର ବିଶ୍ବନାଥ ନାୟକ (୨୧)। ସେମାନଙ୍କ ସହିତ ସାମିଲ ଥିବା ଆଉ କିଛି ଯୁବକଙ୍କୁ ପୁଲିସ୍ କାବୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଏହି ଦୁଇ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲାରୁ ବ୍ରାଉନସୁଗାର ଆଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛୋଟ ‌ବ୍ୟବସାୟୀମାନଙ୍କୁ ଦେଉଥିଲେ। ଗତକାଲି ଡମଣା ଅଞ୍ଚଳର କିଛି ବ୍ୟବସାୟୀଙ୍କୁ ବ୍ରାଉନସୁଗାର ଦେବାପାଇଁ ଆସିଥିଲା ବେଳେ ପୁଲିସ ସେମାନଙ୍କୁ ଧରିଥିଲା। ଏମାନେ ଡମଣା, ମଞ୍ଚେଶ୍ବର, ଶୈଳଶ୍ରୀବିହାର ଏବଂ ଓମଫେଡ ଛକ ଆଦି ସ୍ଥାନରେ କିଛି ଅଟୋ ଚାଳକ, ଛୋଟ ଦୋକାନୀ ଏବଂ ନିଶାବେପାରୀଙ୍କୁ ନିଶାଦ୍ରବ୍ୟ ଦେଉଥିଲେ ବୋଲି ସ୍ବୀକାର କରିଛନ୍ତି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ନାବାଳିକା ଉଦ୍ଧାର

ଭୁବନେଶ୍ବର: ନୟାଗଡ଼ ଅଞ୍ଚଳରୁ ନିଖୋଜ ନାବାଳିକାକୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଭରତପୁର ଥାନା ପୁଲିସ। ପୁଲିସ ସୂଚନା ଅନୁସାରେ ନୟାଗଡ଼ ଅଞ୍ଚଳର ଏକ ଘରୋଇ ହଷ୍ଟେଲରେ ନାବ‌ାଳିକା ଜଣକ ରହୁଥିଲେ। ଗତକାଲି ଘର ଲୋକଙ୍କୁ ଫୋନ କରି ଘରକୁ ଯିବାକୁ ଅନୁମତି ନେଇ ହଷ୍ଟେଲ ଛାଡ଼ିଥିଲେ। କିନ୍ତୁ ଘରକୁ ଯାଇ ନଥିଲେ। ପରିବାର‌ ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୁରାକ ପାଇ ନଥିଲେ। ‌ଫଳରେ ସେମାନେ ପୁଲିସରେ ଅଭି‌‌ଯୋଗ କରିଥି‌‌ଲେ। ଆଜି ବରମୁଣ୍ଡା ବସଷ୍ଟାଣ୍ଡରୁ ଭରତପୁର ଥାନା ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଛି।

କଇଁଚିରେ ଆକ୍ରମଣ କରି ଜେଲ୍‌ ଗଲା ଯୁବକ

ଧଉଳି: କଇଁଚିରେ ଆକ୍ରମଣ ଘଟଣାରେ ଧଉଳି ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଏହି ଥାନା ନଖାଉରପାଟଣା ଗ୍ରାମର ଚିଣ୍ଟୁ ଓରଫ ପ୍ରଦୀପ୍ତ କୁମାର ମହାନ୍ତି। ସୂଚନା ଅନୁସାରେ ଧଉଳି ଅଞ୍ଚଳର ଲକ୍ଷରଞ୍ଜନ ମହାରଣା ଓ ପ୍ରଦୀପ୍ତ ଉଭୟ ମିଶି ବ୍ୟବସାୟ କରନ୍ତି। ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଦୀପ୍ତ ଆଜି ଲକ୍ଷରଞ୍ଜନଙ୍କ ପେଟରେ ଏକ କଇଁଚି ଭର୍ତ୍ତି କରି ଦେଇଥିଲା। ଗୁରୁତର ଅବସ୍ଥାରେ ସେ ରାଜଧାନୀସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଲକ୍ଷରଞ୍ଜନ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର