ଧଉଳି: ଭଡ଼ାରେ ନେଇ ଅଟୋ ଚଳାଉଥିବା ଜଣେ ଧୂର୍ତ୍ତ ଚାଳକ ଦୁଇ ଦିନ ହେଲା ଦେଖାନାହିଁ। ତେଣୁ ଚାଳକ ଅଟୋ ଚୋରି କରି ନେଇଥିବା ସନ୍ଦେହରେ ମାଲିକ ଧଉଳି ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନାନୁସାରେ ଭଦ୍ରକ ବାସୁଦେବପୁରର ଅଟୋ ମାଲିକ ମନୋରଞ୍ଜନ ପଣ୍ଡା ନୂଆଗାଁ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ତାଙ୍କ ଯାତ୍ରୀବାହୀ ଅଟୋକୁ ସୁନ୍ଦରଗଡ଼ର ଜଣେ ଚାଳକ ଭଡ଼ାରେ ନେଇ ଚଳାଉଥିଲା। ପ୍ରତିଦିନ ସକାଳେ ଅଟୋ ନେଇ ସନ୍ଧ୍ୟାରେ ଭଡ଼ା ଟଙ୍କା ସହ ସେ ଅଟୋ ଫେରାଉଥିଲା। କିନ୍ତୁ ଗତକାଲି ସକାଳୁ ସେ ଅଟୋ ନେଇ ଯାଇଥିବା ବେଳେ ଆଉ ଫେରି ନାହି। ଚାଳକର ମୋବାଇଲ ଫୋନ୍ ସୁଇଚ୍ ଅଫ୍ ଅଛି। ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ବି ଅଟୋ ଚାଳକ ସତକୁ ସତ ଅଟୋ ଚୋରି କରିନେଇଛି କି କୌଣସି ଅସୁବିଧାରେ ପଡ଼ିଛି, ସେନେଇ ଖୋଳତାଡ଼ କରୁଛି। ମାତ୍ର ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସକୁ କୌଣସି ସୁରାକ ମିଳିନାହିଁ।
ହାଇୱା, ଟ୍ରକ୍, ଟ୍ରାକ୍ଟର ଜବତ
ବାଲିଅନ୍ତା ବଜାର: ଯେତେ ଚଢ଼ଉ ହେଲେ ବି ବାଲିଅନ୍ତା ତହସିଲ ଅଞ୍ଚଳରେ ଦିନ ଦିନକୁ ବାଲି, ମାଟି ଚୋରା ଚାଲଣ ବଢ଼ିବାରେ ଲାଗିଛି। ଆଜି ସକାଳୁ ତହସିଲଦାର ବିମଳ କୁମାର ଲେଙ୍କା ଓ ତାଙ୍କ ଟିମ୍ କାକରୁଦ୍ରପୁର, ପ୍ରତାପରୁଦ୍ରପୁର, ଜୟଦେବ, ବେଣୁପୁର ଓ ଭିଙ୍ଗାରପୁର ଅଞ୍ଚଳରେ ଚଢ଼ଉ କରି ୨ ବାଲି ବୋଝେଇ ହାଇୱା, ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜବତ କରିଥିଲେ। ଉକ୍ତ ଗାଡ଼ିଗୁଡ଼ିକୁ ଥାନାରେ ଅଟକ ରଖାଯାଇଛି। ଜରିମାନା ପଇଠ କରିବା ପରେ ଗାଡ଼ିସବୁ ଛଡ଼ାଯିବ ବୋଲି ତହସିଲଦାର କହିଛନ୍ତି।
ଅବକାରୀ ଚଢ଼ଉ, ୪ ଗିରଫ
ଭୁବନେଶ୍ବର: ଅବକାରୀ ବିଭାଗ ପକ୍ଷରୁ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରାଯାଇଛି। ନନ୍ଦନକାନନ ଓ କ୍ୟାପିଟାଲ ଥାନା ଅଞ୍ଚଳରୁ ୮୮ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ପଦସାହିର ବିଶ୍ବନାଥ ଭୋଇ, ମରିଚିଆ ଅଞ୍ଚଳରୁ ଅରବିନ୍ଦ ରାୟ କ୍ୟାପିଟାଲ ଥାନା ଅଞ୍ଚଳର ମନୀଷ ରାୟଙ୍କୁ ଗିରଫ କରାଯାଇଛି। ସେହିପରି ୟୁନିଟ୍ ୯ ଅଞ୍ଚଳରୁ ୪୩ ଲିଟର ଦେଶୀ ମଦ ଜବତ କରାଯିବା ସହ ଏକ ବାଇକ୍ ଜବତ କରାଯାଇଛି। ଡୁମୁଡୁମା ଅଞ୍ଚଳରୁ ୧୧୦ ଗ୍ରାମ୍ ହେରୋଇନ ଜବତ କରାଯିବା ସହ ଗୌତମ ଜେନାକୁ ଗିରଫ କରାଯାଇଛି। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
କ୍ୟାପିଟାଲ ହସ୍ପିଟାଲ୍ରୁ ଚୋରି କରି ଯୁବକ ଗିରଫ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ୍ ପରିସରରୁ ରୋଗୀ ସମ୍ପର୍କୀୟଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ଆଜି କ୍ୟାପିଟାଲ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ସେ ହେଲା ବାଲିପାଟଣା ଅଞ୍ଚଳର ସନ୍ତୋଷ କୁମାର ନନ୍ଦୀ(୩୩)। ତା’ ଠାରୁ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଗତ ୧ ତାରିଖରେ ଦିଲୀପ କୁମାର ସାମନ୍ତରାୟ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ବିଳମ୍ବିତ ରାତି ହୋଇଯିବାରୁ ସେ ଇଏନ୍ଟି ବିଭାଗ ବାରଣ୍ଡାରେ ବିଶ୍ରାମ ନେଇଥିଲେ। ବିଳମ୍ବିତ ରାତିରେ ଅଭିଯୁକ୍ତ ସନ୍ତୋଷ ତାଙ୍କ ବ୍ୟାଗ୍କୁ ଚୋରି କରି ନେଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ କ୍ୟାପିଟାଲ ଥାନା ପୁଲିସ ସିସିଟିଭି ଫୁଟେଜ୍ରୁ ତାକୁ ଚିହ୍ନଟ କରି ଗିରଫ କରିଛି।