ଚନ୍ଦ୍ରଶେଖରପୁର: ଚୁନୁକୋଳି ବସ୍ତି ଅଞ୍ଚଳରୁ ଇନ୍‌ଫୋସିଟି ଥାନା ପୁଲିସ ଦୁଇ ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ପଟିଆ ଅଞ୍ଚଳର କାହ୍ନୁଚରଣ ମହାରଣା (୬୩) ଓ ଶିଖରଚଣ୍ଡୀ ନଗର ବସ୍ତିର ଧରମା ଆର୍ଚି (୫୦)। ସେମାନଙ୍କ ନିକଟରୁ ପୁଲିସ ୨କେଜି ଗଞ୍ଜେଇ ଜବତ କରିବା ସହିତ ନଗଦ ୫୦୭୦ ଟଙ୍କା ଜବତ କରିଛି। ଆଜି ସଂଧ୍ୟାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଦ୍ବୟ କନ୍ଧମାଳରୁ ଗଞ୍ଜେଇ ଆଣି ବେପାର କରୁଥଲେ। ଗତକାଲି ରାତିରେ ପୁଲିସ ଟିମ୍‌ ଚୁନୁକୋଳି ବସ୍ତି ଖେଳପଡ଼ିଆ ପାଖ ଏକ ଭଙ୍ଗା ଘର ଉପରେ ଚଢ଼ଉ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲା।

Advertisment

ଫଟୋ ସାମ୍ବାଦିକଙ୍କୁ ରକ୍ତାକ୍ତ ଆକ୍ରମଣ

ବାରଙ୍ଗ: ଆଜି ଅପରାହ୍ଣରେ ପୁରୀ କେନାଲ ବନ୍ଧ ରାସ୍ତାରେ କଣ୍ଟାପାଟଣା ଗାଁ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ଟିଭିରେ କାମ କରୁଥିବା ଫଟୋ ସାମ୍ବାଦିକ କିସନ ବେହେରାଙ୍କୁ ରକ୍ତାକ୍ତ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କୁ କିସନ ଚିହ୍ନିପାରିନଥିବା ବେଳେ ସେମାନେ ପଞ୍ଚୁପାଳ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଆକ୍ରମଣର କାରଣ ଜଣାପଡ଼ିନାହିଁ। କିସନଙ୍କ ସୂଚନାନୁସାରେ ସେ ଓ ତାଙ୍କ ମାଉସୀ ପୁଅ ଗୁରୁକୃଷ୍ଣ ବେହେରା ବାଇକ୍‌ ଯୋଗେ ଷଣ୍ଢପୁର ଗାଁକୁ ଫେରୁଥିବା ବେଳେ କଣ୍ଟାପାଟଣା ଗାଁ ପାଖରେ ସେମାନଙ୍କୁ ଆକ୍ରମଣ ହୋଇଥିଲା। ଏକ ବାଇକ୍‌ରେ ଥିବା ୩ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଏକ ମଦ ବୋତଲରେ କିସନଙ୍କୁ ପିଟି ଦେଇଥିଲେ। ତେବେ ମଦ ବୋତଲ ମାଡ଼ରେ ଗୁରୁକୃଷ୍ଣଙ୍କ ମୁଣ୍ଡ ଫାଟି ଯାଇଥିଲା। ଭଙ୍ଗା ବୋତଲ ମାଡ଼ରେ କିସନଙ୍କୁ ଆଙ୍ଗୁଠି କ୍ଷତବିକ୍ଷତ ହୋଇଯାଇଥିଲା। ଏହାପରେ ସେମାନେ ଫେରାର୍ ହୋଇଯାଇଥିଲେ।

ଝରକା ତାଡ଼ି ନେଇଗଲେ ୧୦ ଲକ୍ଷର ଅଳଙ୍କାର

ଧଉଳି: ସ୍ଥାନୀୟ କୃଷ୍ଣପୁର ଦୟାନଦୀବିହାର ଲେନ-୨ ଅଞ୍ଚଳର ବ୍ୟବସାୟୀ ଗୁଲସନ୍‌ କୁମାର ଶତପଥୀଙ୍କ ଘରୁ ବଡ଼ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଗୁଲସନଙ୍କ ଭଉଣୀ ରିମ୍‌ଝିମ୍‌ ଚୌଧୁରୀ ରହୁଥିବା ତଳମହଲାର ଝରକା ତାଡ଼ି ଆଲମିରାରେ ଥିବା ନଗଦ ସାଢ଼େ ୪ ଲକ୍ଷ ଟଙ୍କା ସହିତ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ଗୁଲସନ୍‌ ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ନେଇ ତନାଘନା କରିଥିଲେ। କିନ୍ତୁ କୌଣସି ସୁରାକ ମିଳିନାହିଁ। ସେହିପରି ଅନ୍ୟ ଏକ ଘଟଣାରେ ବାଲିପାଟଣା ଥାନା ଅଧୀନ ତୁରିନ୍ତିରା ଗ୍ରାମର ଜିତେନ୍ଦ୍ର ସେନାପତିଙ୍କ ଭେରାଇଟି ଷ୍ଟୋରରୁ ପ୍ରାୟ ୩୦ ହଜାର ଟଙ୍କାର ମୂଲ୍ୟବାନ ସାମଗ୍ରୀ ଲୁଟ୍‌ ହୋଇଛି। ସିସି କ୍ୟାମେରା ଫୁଟେଜ୍‌ରେ ଦୁଇଜଣ ଲୁଟେରା ଲୁଟପାଟ କରୁଥିବା ଦୃଶ୍ୟ କଏଦ ହୋଇଛି। ଅନୁରୂପ ଭାବେ ଦୁର୍ବୃତ୍ତମାନେ ସାଧୁବିହାରରେ ଥିବା ଏକ ଲେଡିଜ ହଷ୍ଟେଲ ଝରକା ତାଡ଼ି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଯୁବତୀମାନେ ଚିତ୍କାର କରିବାରୁ ଲୁଟେରା ଦୌଡ଼ି ପଳାଇଥିଲେ।