ଭୁବନେଶ୍ବର: ବଟି ନ ଦେବାରୁ ଜଣେ ବସ୍ କଣ୍ଡକ୍ଟରଙ୍କୁ ଲୁହା ଛଡ଼ରେ ଆକ୍ରମଣ କରିବା ସହ ଟଙ୍କା ଛଡ଼ାଇନେବା ଅଭିଯୋଗରେ ଭରତପୁର ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ବରମୁଣ୍ଡା ଢିପସାହିର ପ୍ରସନ୍ନ ସେନାପତି(୩୧)।
ସୂଚନାନୁସାରେ, ଶ୍ରୀହରି ପ୍ରଧାନ ସାଇଶଙ୍କର ବସ୍ର କଣ୍ଡକ୍ଟର୍। ବସ୍ଟିକୁ ସେ ବରମୁଣ୍ଡା ବସ୍ଷ୍ଟାଣ୍ଡର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଇଥା’ନ୍ତି। ପ୍ରସନ୍ନ ଓ ତାଙ୍କ ସହଯୋଗୀମାନେ ପ୍ରତିଦିନ ବସ୍ଷ୍ଟାଣ୍ଡକୁ ଆସି ତାଙ୍କୁ ହଜାରେ ଟଙ୍କା ବଟି ମାଗୁଥିଲେ। ତେବେ ଶ୍ରୀହରି ସେମାନଙ୍କୁ ବଟି ଦେବାକୁ ବାରମ୍ବାର ମନା କରିଥିଲେ। ଏହି ରାଗରେ ଗତ ଫେବ୍ରୁଆରି ୯ତାରିଖ ଦିନ ପ୍ରସନ୍ନ ଓ ତା’ର ୭ରୁ ୮ ସହଯୋଗୀ ଶ୍ରୀହରିଙ୍କୁ ଏକ ଲୁହାଛଡ଼ରେ ଆକ୍ରମଣ କରି ତାଙ୍କ ପାଖରୁ ୬ହଜାର ୪୦୦ ଟଙ୍କା ଲୁଟି ନେଇଥିଲେ। ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ପୁଲିସ୍ ସାନପୁଟ ଗ୍ରାମରେ ଚଢ଼ଉ କରି ପ୍ରସନ୍ନକୁ ଗିରଫ କରିଥିଲା।
ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ୍, ୨ ଗିରଫ
ଭୁବନେଶ୍ବର: ଟ୍ରକ୍ ଚାଳକ ଓ ହେଲପର୍ଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା, ମୋବାଇଲ୍ ଲୁଟିନେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଅଶୋକ ନଗର ଅଞ୍ଚଳର ସୌମ୍ୟରଞ୍ଜନ ଓଝା(୨୩) ଓ ୟୁନିଟ୍-୩ ଅଞ୍ଚଳରେ ରହୁଥିବା ସୁନ୍ଦରଗଡ଼ ଜିଲ୍ଲାର ଅଭିଷେକ କୁଜୁର(୨୧)। ପୁଲିସ ସେମାନଙ୍କ ନିକଟରୁ ଭୁଜାଲି, ସ୍କୁଟି, ଦୁଇଟି ମୋବାଇଲ ଓ କିଛି ନଗଦ ଟଙ୍କା ଜବତ କରିଛି।
ସୂଚନାନୁସାରେ, ବରମୁଣ୍ଡା ରୁଚିକା ମାର୍କେଟ୍ରେ ଗଦାଧର ସାହୁଙ୍କ ଏକ ପ୍ଲାଇଉଡ୍ ଦୋକାନ ଅଛି। ସେ ଲକ୍ଷ୍ନୌରୁ କିଛି ସାମଗ୍ରୀ ମଗାଇଥିଲେ। ଏକ ଟ୍ରକ୍ (ୟୁପି-୩୨-ଏଫଏନ-୭୦୬୬)ରେ ତାଙ୍କ ସାମଗ୍ରୀ ଆସିଥିଲା। ଗତ ୧୦ ତାରିଖ ଦିନ ବିଳମ୍ବିତ ରାତିରେ ଟ୍ରକ୍ ଭୁବନେଶ୍ବରେ ପହଞ୍ଚିବା ପରେ ସୌମ୍ୟ ଓ ଅଭିଷେକ ଟ୍ରକ୍କୁ ପିଛା କରି ଖଣ୍ଡଗିରି ଛକରେ ଟ୍ରକ୍କୁ ଅଟକାଇଥିଲେ। ଚାଳକ ଆଶିକ ଅଲ୍ଲୀ ତଳକୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତଦ୍ବୟ ଭୁଜାଲିରେ ତାଙ୍କୁ ଆକ୍ରମଣ କରି ତାଙ୍କ ପାଖରୁ ୨ ହଜାର ଟଙ୍କା, ଗୋଟିଏ ମୋବାଇଲ୍ ବଳପୂର୍ବକ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ଗଦାଧର ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ରାଜମହଲ ଛକ ନିକଟରେ ଚଢ଼ଉ କରି ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା।
ସଫେଇ ଆଳରେ ଲୁଟିନେଲେ ୫ ଭରିର ସୁନାଚେନ୍
ବାଲିଅନ୍ତା ବଜାର: ସଫେଇ ଆଳରେ ୫ ଭରିର ସୁନାଚେନ୍ ଲୁଟିନେଲେ। ବାଲିଅନ୍ତା ଥାନା ଭୁବନପୁର ଗାଁରେ ଆପରାଧିକ ଘଟଣା ଘଟିଛି। ଲୁଟ୍ ଅଳଙ୍କାରର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଦ୍ବୟଙ୍କ ସବୁ କଳାକାରନାମା କଏଦ୍ ହୋଇଥିବା ସିସିଟିଭି ଫୁଟେଜ୍ରୁ ପୁଲିସ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।
ମିଳିଥିବା ସୂଚନାନୁସାରେ, ଆଜି ଦିନ ପ୍ରାୟ ସାଢ଼େ ୧୦ଟାରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଭୁବନପୁର ଗାଁରେ ପହଞ୍ଚିଥିଲେ। ସେମାନେ କମ୍ ଦାମ୍ରେ ଲୋକଙ୍କ ଅଳଙ୍କାର ସଫେଇ କରିଦେବେ ବୋଲି କହିଥିଲେ। ସେମାନଙ୍କ କଥାରେ ବିଶ୍ବାସ କରି ଗାଁର ରାକେଶ ସାହୁଙ୍କ ସ୍ତ୍ରୀ ବେବିନା ସେମାନଙ୍କୁ ଘରକୁ ଡାକିତିଲେ। ବେବିନା ଘରୁ ୫ ଭରିର ଏକ ସୁନାଚେନ୍ ସେମାନଙ୍କୁ ସଫା କରିବାକୁ ଦେଇଥିଲେ। ଚେନ୍ ପାଇବା କ୍ଷଣି ଲୁଟେରାମାନେ ବାଇକ୍ରେ ଦ୍ରୁତଗତିରେ ଫେରାର୍ ହୋଇଯାଇଥିଲେ। ବେବିନା ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ ହେଁ ସେତେବେଳକୁ ଡେରି ହୋଇଯାଇଥିଲା। ଏ ସଂପର୍କରେ ରାକେଶ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୬ ଦିନ ତଳେ ଏ ଲୁଟେରାମାନେ ବାସନ ସଫା ଆଳରେ ପ୍ରତାପରୁଦ୍ରପୁର ପଞ୍ଚାୟତର ଦେବେନ୍ଦ୍ର ପଣ୍ଡାଙ୍କ ଘରୁ ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest1-1.jpg)