ଭୁବନେଶ୍ବର: ମୋବାଇଲ୍‌ ଛିନ୍‌ତାଇ କରୁଥିବା ଓ ଚୋରା ମୋବାଇଲ୍‌ କିଣିଥିବା ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଲୁଟେରାମାନେ ହେଲେ ଗଞ୍ଜାମ ଭଞ୍ଜନଗରର ସୁଦର୍ଶନ ସ୍ବାଇଁ(୨୬), ସାଗର ନାୟକ(୨୪), ଖୋର୍ଦ୍ଧା ଜଟଣୀର ଲିଟୁ ସ୍ବାଇଁ(୨୪) ଏବଂ ଚୋରା ମୋବାଇଲ୍‌ ଗ୍ରାହକଦ୍ବୟ ହେଲେ ବସ୍‌ ଚାଳକ ନୟାଗଡ଼ ଫତେଗଡ଼ର ସୁବାସ ଚନ୍ଦ୍ର ସାହୁ(୫୧) ଓ ପାହାଳର ଦୀପକ ଷଡ଼ଙ୍ଗୀ(୪୫)। ସେମାନଙ୍କଠାରୁ ୯ଟି ଚୋରା ମୋବାଇଲ ଜବତ କରାଯାଇଛି। ଆଜି ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ କେଶରୀ ହୋଟେଲ ନିକଟରେ ଲୁଟେରା ସୁଦର୍ଶନ, ଲିଟୁ ଓ ସାଗର ଚୋରା ମୋବାଇଲ ଫୋନ୍‌ ବିକିବାକୁ ଅପେକ୍ଷା କରିଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ପରେ ପୁଲିସ ଦୁଇ ବସ୍‌ ଚାଳକଙ୍କୁ ଗିରଫ କରିଥିଲା।

Advertisment

ନାବାଳିକା ଉଦ୍ଧାର, ଅପହର୍ତ୍ତା ଗିରଫ

ଭୁବନେଶ୍ବର: ଦୀର୍ଘ ୧୦ ମାସ ପରେ ନୂଆପଲ୍ଲୀ ଥାନା ପୁଲିସ ଅପହୃତା ନାବାଳିକାଙ୍କୁ ନୀଳକଣ୍ଠନଗର ମୁଣ୍ଡାସାହିରୁ ଉଦ୍ଧାର କରିବା ସହ ଅପହର୍ତ୍ତାକୁ ଗିରଫ କରିଛି। ଅଭିଯୁକ୍ତ ହେଲା ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ପ୍ରଫୁଲ୍ଲ କୁମାର ପ୍ରଧାନ(୨୯)। ସୂଚନାନୁସାରେ ଅଭିଯୁକ୍ତ ପ୍ରଫୁଲ୍ଲ ଏକତରଫା ଭଲ ପାଉଥିବା ନାବାଳିକାଙ୍କୁ ଗତ ବର୍ଷ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରେ ଅପହରଣ କରି ନେଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରଫୁଲ୍ଲ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ଦୁଷ୍କର୍ମ କରିଥିଲା। ଗତକାଲି ସୁଯୋଗ ପାଇ ନାବାଳିକା ପରିବାର ଲୋକଙ୍କୁ ଫୋନ୍‌ କରିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି।

ସାଲିଆସାହିରୁ ପୁଣି ଦେଶୀ ମଦଭାଟି ଠାବ

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌, ମୈତ୍ରୀବିହାର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଆଜି ସାଲିଆସାହିରୁ ପୁଣି ଏକ ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଛି। ଭାଟିରୁ ବିପୁଳ ପରିମାଣର ଦେଶୀ ମଦ ମଦ ଓ ପୋଚ ଜବତ କରାଯାଇଛି। ଭାଟି ପରିଚାଳନା‌ କରୁଥିବା ଜଣେ ମହିଳାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଭାଟିରୁ ମିଳିଥିବା ୫ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୫୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହିତ ମଦ ତିଆରିରେ ବ୍ୟବହାର ହେଉଥିବା ସରଞ୍ଜାମ ଓ ଉପକରଣଗୁଡ଼ିକୁ ମଧ୍ୟ ଭାଙ୍ଗିଦିଆଯାଇଛି। ଏହି ଚଢ଼ଉ ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ଗୁପ୍ତଶ୍ୱର ମହାପାତ୍ର ଉପସ୍ଥିତ ଥିଲେ।