କ୍ୟାପିଟାଲ କ୍ରାଇମ: ଜମି ନାଁରେ ୧୪ଲକ୍ଷ ଚଳୁ, ଧୂର୍ତ୍ତ ଗିରଫ

ଭୁବନେଶ୍ବର: ଜମି ଦେବା ନାଁରେ ୧୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଆଶୁତୋଷ ଦାସ(୩୦)। ସେ ଏଠାରେ ଓସ୍କାର ସିଟି ଅଞ୍ଚଳରେ ରହୁଥିଲା। ପୁଲିସ ସୂଚନା ମୁତାବକ ୨୦୨୨ ମସିହାରେ ଆଶୁତୋଷ ଝାରପଡ଼ା ଅଞ୍ଚଳରେ ଏକ ଜମି ଦେବା ପାଇଁ ତ୍ରିଲୋଚନ ଥାଟୋଇଙ୍କୁ କହିଥିଲା। ଏଥିପାଇଁ ସେ ତାଙ୍କଠାରୁ ନଗଦ ଆକାରରେ ସାଢ଼େ ୫ଲକ୍ଷ ଏବଂ ଚେକ୍‌ରେ ସାଢ଼େ ୮ଲକ୍ଷ ଟଙ୍କା ନେଇଥିଲା। ‌କିନ୍ତୁ ଟଙ୍କା ପାଇବା ପରେ ସେ ଆଉ ତ୍ରିଲୋଚନଙ୍କୁ ଧରାଛୁଆଁ ଦେଇନଥିଲେ। ତ୍ରିଲୋଚନ ଟଙ୍କା ଫେରସ୍ତ ମାଗିବାରୁ ଆଶୁତୋଷ ତାଙ୍କୁ ପାଲଟା ନାଲିଆଖି ଦେଖାଇ ଧମକଚମକ ଦେଇଥିଲା। ତେଣୁ ତ୍ରିଲୋଚନ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ଜଗନ୍ନାଥନଗରରୁ ସେକ୍ସ ରୢାକେଟ ଠାବ!

ଭୁବନେଶ୍ବର, ୬/୨(ଇମିସ): ଜଗନ୍ନାଥନଗର ଲେନ୍-୪ ଅଞ୍ଚଳରେ ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ଏକ ସେକ୍ସ ରୢାକେଟ ଠାବ କରିଛି କମିସନରେଟ ପୁଲିସ। ଯୁବତୀ ଓ ଯୁବକ ମିଶି ୬ଜଣଙ୍କୁ ପୁଲିସ ଜେରା କରୁଛି। ପ୍ରାୟ ଦେଢ଼ ମାସ ହେବ, ସେହି ଘରେ ଏଭଳି ଅନୈତିକ କାରବାର ଚାଲିଥିଲା। ସ୍ଥାନୀୟ ଲୋକ ଏହାକୁ ନେଇ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକଟ କରି ଆସୁଥିଲେ। ଗତକାଲି କିଛି ଯୁବତୀ ଓ ଯୁବକ ଏକ ଘରକୁ ଆସିବା ଫଳରେ ସେମାନଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ଦୁଇଟି ପିସିଆର୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ଘର ଭିତରେ ଥିବା ସମସ୍ତ ୬ ଯୁବକ/ଯୁବତୀଙ୍କୁ ପୁଲିସ୍‌ ଥାନାକୁ ନେଇ ଯାଇଥିଲା। ଉକ୍ତ ଘରଟି ଜଣେ ବିଲଡର୍‌ଙ୍କର ବୋଲି ଜଣାଯାଇଛି। ତେବେ ଏଭଳି କୌଣସି ଘଟଣା ଘଟିନାହିଁ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି।

ରାତିରେ ଘରେ ପଶି ମହିଳାଙ୍କୁ ଅସଦାଚରଣ

ଭୁବନେଶ୍ବର: ଡୁମୁଡୁମା ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ତାଙ୍କୁ ଧମକାଇ ଦୁର୍ବୃତ୍ତମାନେ କିଛି ଜରୁରୀ କାଗଜପତ୍ର ନେଇଯାଇଛନ୍ତି ବୋଲି ଅଭିଯୋଗକାରିଣୀ ଏତଲାରେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ତାଙ୍କୁ ବିଭିନ୍ନ ଅଜଣା ନମ୍ବରରୁ ବାରମ୍ବାର ଧମକପୂର୍ଣ୍ଣ କଲ୍‌ କରୁଥିବାରୁ ତାଙ୍କ ଜୀବନପ୍ରତି ବିପଦ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭି‌‌ଯୋଗ ଅନୁସାରେ ଗତ ୩୧ ତାରିଖ ଦିନ ରାତି ପ୍ରାୟ ୧୧ଟା ବେଳେ ସୁମନ୍ତ ସାହୁ ତାଙ୍କ କବାଟ ବାଡ଼େଇଥିଲେ। ପାଣି ପିଇବା ପାଇଁ ସେ କବାଟ ବାଡ଼େଇ ଡାକିଥି‌ଲେ। ବିଶ୍ବାସ କରି ମହିଳା କବାଟ ଖୋଲିଥିଲେ। କିନ୍ତୁ ହଠାତ୍‌ ସୁମନ୍ତଙ୍କ ସହିତ ୧୫/୧୬ ଜଣ ଯୁବକ ତାଙ୍କ ଘରକୁ ଧସେଇ ପଶିଯାଇଥିଲେ। ମଦ ନିଶାରେ ଚୁର୍‌ ଯୁବକମାନେ ଭୁଜାଲି ଦେଖାଇ ମହିଳାଙ୍କୁ ଭୟଭୀତ କରାଇ ଶାରୀରିକ ନିର୍ଯାତନା ଦେବ‌ା ସହିତ ଅସଦାଚରଣ କରିଥିଲେ। ଏହା ଭିତରେ ସେମାନେ ମହିଳାଙ୍କ ଆଲ୍‌ମିରାରୁ ଚେକ୍‌ ବୁକ୍‌, କିଛି ଜରୁରୀ କାଗଜପତ୍ର ନେବା ସହିତ ଷ୍ଟାମ୍ପ୍‌ ପେପରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ପ୍ରଥମେ ସେ ରାଜି ନହେବାରୁ ତାଙ୍କ ବେକରେ ଭୁଜାଲି ଲଗାଇ ହତ୍ୟା ଧମକ ଦେଇଥିଲେ। ତେଣୁ ଭୟରେ ସେ ଷ୍ଟାମ୍ପ ପେପରରେ ଦସ୍ତଖତ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ମହିଳାଙ୍କୁ କାଠ ଫାଳିଆରେ ଆକ୍ରମଣ, ୨ ଗିରଫ

ଭୁବନେଶ୍ବର: ମହିଳାଙ୍କୁ କାଠ ଫାଳିଆରେ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ୟୁନିଟ୍‌-୪ ପରିବା ମାର୍କେଟ୍ ଅଞ୍ଚଳର ନିରାକର ଜେନା ଓରଫ ନିର(୪୨) ଓ ସଂଯୁକ୍ତା ମିଶ୍ର ଓରଫ୍‌ ସଂଜୁ (୪୩)। ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ସୁଲୋଚନା ମାଝୀ ନାମକ ମହିଳାଙ୍କ ସହ ଉଭୟଙ୍କର ବିବାଦ ଲାଗି ରହିଥିଲା। ଗତ ୪ ତାରିଖ ରାତିରେ ମହିଳାଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ଯାଉଥିବା ବେଳେ ସଂଜୁ ଓ ନିର ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଉଭୟ ତାଙ୍କୁ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ। ଆକ୍ରମଣରେ ମହିଳାଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁହଁ, ମୁଣ୍ଡ‌, ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ଖାରବେଳନଗର ଥାନା ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ଏ ସଂପର୍କରେ ମହିଳା ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର