ଭୁବନେଶ୍ୱର: କେଉଁ ଉପାନ୍ତ କିମ୍ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ। ବରଂ ରାଜଧାନୀରେ ଏ ବିଚିତ୍ର ବ୍ୟବସ୍ଥା। ବସ୍ ଉପରେ ଯାତ୍ରୀମାନେ ବସି ବିପଜ୍ଜନକ ଭାବେ ଯାତ୍ରା କରୁଛନ୍ତି। ରାତି ୮ଟା ପରେ ଏଭଳି ଚିତ୍ର ଭୁବନେଶ୍ୱରର କଳ୍ପନା ମ୍ୟୁଜିୟମ୍ ପାଖ ବସଷ୍ଟାଣ୍ଡ୍ରୁ ପୁରୀ, ନିମାପଡ଼ା, ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି ଅଭିମୁଖେ ଯାଉଥିବା ବସ୍ଗୁଡ଼ିକ ଉପରେ ଦେଖିବାକୁ ମିଳେ। ଦୈନିକ ଏଭଳି ବିପଜ୍ଜନକ ଭାବେ ବସ୍ ଉପରେ ଯାତ୍ରୀମାନେ ଯାଉଥିଲେ ମଧ୍ୟ କମିସନରେଟ୍ ପୁଲିସ ନ ଦେଖିଲା ଭଳି ଚୁପ୍ ରହୁଛି। କେତେବେଳେ କ’ଣ ଅଘଟଣ ନ ଘଟିବ ତାର କେହି ଗ୍ୟାରେଣ୍ଟି ମଧ୍ୟ ଦେଇପାରିବେ ନାହିଁ। ଯାହା ସୂଚନା ମିଳିଛି ଭୁବନେଶ୍ୱର ପୁରୀକୁ ପାଖାପାଖି ୫୦ଟି ବସ୍ ଚଳାଚଳ କରୁଛି। ତେବେ ସନ୍ଧ୍ୟା ପରଠାରୁ ଭୁବନେଶ୍ୱର ପଟୁ ପୁରୀକୁ ବସ୍ ଚଳାଚଳ ଧୀରେ ଧୀରେ କମି କମି ଯାଇଥାଏ। ଯାହାର ଫାଇଦା ଉଠାଇଥାନ୍ତି ଆଉ କେତେକ ବସ୍ ଚାଳକ। ସେମାନେ ବସ୍ ଭିତରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଭର୍ତ୍ତି କରିବା ସହ ଛାତ ଉପରେ ମଧ୍ୟ ଯାତ୍ରୀମାନଙ୍କୁ ବସାଇ ନେଇ ଯାଉଛନ୍ତି। ଏଭଳି ବସ୍ ଛାତ ଉପରେ ବସି କରି ଯିବା ନୂଆ କଥା ନୁହେଁ, କିନ୍ତୁ କମିସନରେଟ୍ ପୁଲିସ ଓ ପରିବହନ ବିଭାଗ ସବୁ ଦେଖୁଥିଲେ ମଧ୍ୟ ଚୁପ୍ ହୋଇ ବସି ପଡ଼ିଛି। ଆଉ ଯାତ୍ରୀମାନଙ୍କୁ ଠେଲି ଦେଉଛି ମରଣମୁହଁକୁ। ଏ ସମ୍ପର୍କରେ ଟ୍ରାଫିକ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବସ୍ ଛାତରେ ଯାତ୍ରୀମାନେ ଯିବା ବେଆଇନ। ତେବେ ସେମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଏହି କାମ ପରିବହନ ବିଭାଗର। ଏ ସଂପର୍କରେ ଆର୍ଟିଓ-୧ ପିକେ ମହାନ୍ତିଙ୍କୁ ପଚାରିବାରୁ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରାଜଧାନୀରେ ଏଭଳି ବସ୍ ଉପରେ ଯାତ୍ରୀ ଯାଉଛନ୍ତି ବୋଲି ବିଶ୍ୱାସ କରି ପାରି ନ ଥିଲେ। ତେବେ ଖୁବ୍ ଶୀଘ୍ର ସଂପୃକ୍ତ ବସ୍ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ରାଜଧାନୀରେ ଏ ବିଚିତ୍ର ବ୍ୟବସ୍ଥା: ବସ୍ ଛାତରେ ଯାତ୍ରୀ
ଟ୍ରାଫିକ୍ ପୁଲିସ ଓ ପରିବହନ ବିଭାଗର ନାହିଁ କଟକଣା
/sambad/media/post_attachments/wp-content/uploads/2018/06/tapas-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)