ଭୁବନେଶ୍ୱର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ହାଇ ସିକ୍ୟୁରିଟି ଜୋନ୍‌ କୁହାଯାଉଥିବା ଲୋୟର ପିଏମ୍‌ଜି, ଯେଉଁଠି ଦିନ ରାତି ଗଣ୍ଡାଗଣ୍ଡା ପୁଲିସ ପଇଁତରା ମାରନ୍ତି। ମାଷ୍ଟରକ୍ୟାଣ୍ଟିନ୍‌ରୁ ପିଏମ୍‌ଜି ମଧ୍ୟରେ କମିସନରେଟ୍‌ ପୁଲିସର ୩ଟି ଆଉଟପୋଷ୍ଟ। ୫ଶହ ମିଟର ଦୂରରେ ବିଧାନସଭା ସଚିବାଳୟ। ସେଠାରେ ମଧ୍ୟ ସଶସ୍ତ୍ର ପୁଲିସ। ହାଇ ରିଜୋଲ୍ୟୁସନ୍‌ ସିସି କ୍ୟାମେରା। ଏତେ ସବୁ ସୁରକ୍ଷା ବନ୍ଦୋବସ୍ତ ଥିବା ସତ୍ତ୍ୱେ ଦୁଇ ମଦ୍ୟପ ଯୁବକ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ୨ ଭଉଣୀଙ୍କୁ ଅସଦାଚରଣ କରିବାକୁ ପଛାଇ ନାହାନ୍ତି। କେବଳ ସେତିକି ନୁହେଁ, ଦୁର୍ବୃତ୍ତଦ୍ୱୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଏ ନେଇ ଦୁଇ ଭଉଣୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଗିରଫ କରିଛି। ତା ନାଁ ବବ୍‌ଲୁ ମହାପାତ୍ର। ଘର କଟକର ମଙ୍ଗଳାବାଗ୍‌ରେ। ପୁଲିସ ବବ୍‌ଲୁର ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ତେବେ ଦୁଇ ଭଉଣୀଙ୍କୁ ଅସଦାଚରଣ  କରାଯାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି କ୍ୟାପିଟାଲ ଥାନା ଇନ୍ସପେକ୍ଟର ତଥା ଏସିପି ଇନଚାର୍ଜ ମାନସ ଗଡ଼ନାୟକ। କହିଛନ୍ତି  ଦୁଇଜଣ ଯୁବକ କେବଳ ମଦ ପିଇ ଗାଳିଗୁଲଜ କରିଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ଦୁଇ ଭଉଣୀ, ଦୈମତୀ ମାଝୀ ଓ ପାର୍ବତୀ ମାଝୀ ୩ ମାସ ତଳୁ ଲୋୟର ପିଏମ୍‌ଜିରେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଯେ ତାଙ୍କର କିଛି ସମ୍ପର୍କୀୟ ତାଙ୍କ ବାପାଙ୍କୁ ହତ୍ୟା କରି ତାଙ୍କ ଘର ଦ୍ୱାର ଓ ଜମି ଦଖଲ କରି ନେଇଛନ୍ତି। ତାଙ୍କ ମା’ଙ୍କର ମଧ୍ୟ କିଛି ବର୍ଷ ତଳୁ ମୃତ୍ୟୁ ଘଟିଛି। ଏ ନେଇ ଦୁଇ ଭଉଣୀ, କୋରାପୁଟ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ପୁଲିସ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ଫଳ ପାଇ ନଥିଲେ। ଶେଷରେ ବାଧ୍ୟ ହୋଇ ଭୁବନେଶ୍ୱର ଆସି ଲୋୟର ପିଏମ୍‌ଜିରେ ଧାରଣା ଦେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଦୁଇଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଲୋୟର ପିଏମ୍‌ଜିରେ ପହଞ୍ଚି ଦୁଇ ଭଉଣୀଙ୍କୁ ଟଣାଓଟଣା କରିବା ସହ ଗାଳିଗୁଲଜ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ସହ ନ ଗଲେ ଦୁଷ୍କର୍ମ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଏନେଇ ଭଉଣୀଦ୍ୱୟ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବବ୍‌ଲୁକୁ ପୁଲିସ ଗିରଫ କରିଛି। ରାଜଧାନୀର ପ୍ରମୁଖ ସ୍ଥାନରେ ଏଭଳି ଘଟଣାକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।