ରାମକୃଷ୍ଣ ମଠରୁ ଆରମ୍ଭ ରାଜଧାନୀ ଦୁର୍ଗାପୂଜା

ଭାଗବତ ଟୁଙ୍ଗିରୁ ମଣ୍ଡପର ମୃଣ୍ମୟୀ ମୂର୍ତ୍ତି ଯାଏ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ବରରେ ବିଜୟା‌ ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜା ବହୁ ପ୍ରାଚୀନ। ପ୍ରାକ୍‌ ସ୍ବାଧୀନତା କାଳରୁ ଅର୍ଥାତ୍ ରାଜଧାନୀ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ପୁରୁଣା ଭୁବନେଶ୍ବରରେ ବିଭିନ୍ନ ସାହିରେ ଦୁର୍ଗାପୂଜା ହୋଇଆସୁଛି। ରାଜଧାନୀର ଦୁର୍ଗାପୂଜା ଇତିହାସ କୁହେ ଯେ ୧୯୩୬ ମସିହାରେ ରାମକୃଷ୍ଣ ମଠ ପ୍ରଥମେ ଏହି ପୂଜା ଆରମ୍ଭ କରିଥିଲା। ମଠର ବଙ୍ଗୀୟ ଅନ୍ତେବାସୀମାନେ ଦୁର୍ଗାପୂଜା କରିଥିଲେ। ସେମାନଙ୍କୁ ଦେଖି ପୁରୁଣା ଭୁବନେଶ୍ବରର କିଛି ସାହିବାସିନ୍ଦମାନେ ଭାଗବତ ଟୁଙ୍ଗୀରେ ମା’ ଦୁର୍ଗାଙ୍କ ଫଟୋ ରଖି ଏହି ପୂଜା କଲେ। କିନ୍ତୁ ଆଜି ଚିତ୍ର ବଦଳିଯାଇଛି। ପ୍ରାୟ ୨୦୦୦ ମସିହା ପରଠାରୁ ଏହି ପୂଜାରେ ପୁରୁଣା ଭୁବନେଶ୍ବରର ଆଧିପତ୍ୟ ଆଉ ନାହିଁ। ଭାଗବତ ଟୁଙ୍ଗିର ଫଟୋ ପୂଜାରୁ ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପର୍ଯ୍ୟନ୍ତ ନେଇଥିବା ପୁରୁଣା ଭୁବନେଶ୍ବରକୁ ବଳେଇଯାଇଛି କ୍ୟାପିଟାଲର ଅନ୍ୟାନ୍ୟ କମିଟି ଦ୍ବାରା ହେଉଥିବା ଦୁର୍ଗାପୂଜା। କେଉଁଠି ବିଶାଳ ତୋରଣଯୁକ୍ତ ମଣ୍ଡପ ତ କେଉଁଠି ମା’ଙ୍କୁ ସଜେଇ ଦିଆଯାଉଛି ସୁନା ଚାନ୍ଦିର ଗହଣାରେ। ଏମିତିକି ମେଢ଼ରେ ବି ଲାଗିଲାଣି ଚାନ୍ଦିର ତାରକସି କାମ।

ପୁରୁଣା ଭୁବନେଶ୍ବର ଅଞ୍ଚଳର ମୁରବି ଭାଗିରଥୀ ମହାସୁଆରଙ୍କ କହିବା ଅନୁଯାୟୀ ରାମକୃଷ୍ଣ ମଠରେ ପ୍ରଥମେ ଦଶହରା ପୂଜା ଆରମ୍ଭ ହୋଇଥିଲା। ମଠର ବଙ୍ଗୀୟ ଅନ୍ତେବାସୀମାନେ ଏହି ପୂଜା ଆରମ୍ଭ କରିଥିଲେ। ନବମୀ ତିଥିରେ ସ୍ଥାନୀୟ ଅଞ୍ଚଳର ଶୁଦ୍ଧପୂତ କୁମାରୀମାନଙ୍କୁ ଏହି ପୂଜା ପାଇଁ ମଠ ପକ୍ଷରୁ ଡକାଯାଉଥିଲା। ୧୯୩୬ ମସିହାରେ ମଠରେ ଆରମ୍ଭ ହୋଇଥିବା ଏହି ପୂଜାକୁ ଦେଖି ବ୍ରାହ୍ମଣସାହି ଭାଗବତ ଗୃହରେ ଦଶହରା ପୂଜା ଆରମ୍ଭ ହୋଇଥିଲା। ଏହାର ୨ବର୍ଷ ପରେ ଜମେଶ୍ବରପାଟଣା ସାହି ଭାଗବତ ଗୃହରେ ଏହି ପୂଜାର ଆୟୋଜନ ହେଲା। ଏଥିରେ ବଣିଆସାହି ଓ ଅନ୍ୟ ସାହି ଲୋକମାନେ ସାମିଲ ହେଉଥିଲେ। କିନ୍ତୁ ପରେ ବଣିଆସାହି ତରଫରୁ ଅଲଗା ପୂଜାର ଆୟୋଜନ କରାଗଲା। ସେତେବେଳେ ଭାଗବତ ଟୁଙ୍ଗୀରେ ହେଉଥିବା ଏହି ପୂଜାରେ ମା’ଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଥିଲା। ତେବେ ହାଟସାହିର ମୁରବିମାନଙ୍କ କହିବା କଥା କିଛି ବର୍ଷ ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାପାମା’ଙ୍କ ମନ୍ଦିର ନିକଟରେ ପ୍ରଥମେ ମୃଣ୍ମୟୀ ମୂର୍ତ୍ତି ଆରମ୍ଭ ହେଲା।

ବିଧି ଅନୁସାରେ ପ୍ରଥମେ ଏଠାରେ ହରପାର୍ବତୀ ପୂଜା କରାଯାଇଥିଲା। ଏହା ପ୍ରାୟ ୧୯୫୧ ମସିହାର କଥା। ତେବେ ପରବର୍ତ୍ତୀ କାଳରେ ଏହି ୪ ସାହିର ମୁରବିମାନେ ଦେବୀ ମଣ୍ଡପ ତିଆରି କରି ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କଲେ। ଜମେଶ୍ବର ପାଟଣାସାହିର ସଭାପତି ପ୍ରସନ୍ନ କୁମାର ସ୍ବାଇଁ କୁହନ୍ତି ଯେ ପ୍ରାୟ ୧୯୪୭ କିମ୍ବା ୧୯୪୮ମସିହାରୁ ସାହିର ଭାଗବତ ଗୃହରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରାଯାଉଥିଲା। ୧୯୫୧/୫୨ ମସିହା ପରେ ପୁରୁଣା ଭୁବନେଶ୍ବରରେ ସ୍ବତନ୍ତ୍ର ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ସୁନ୍ଦରପଦା ଅଞ୍ଚଳର ମୁରବି ରାମକୃଷ୍ଣ ପରିଡ଼ା କୁହନ୍ତି ଯେ କ୍ୟାପିଟାଲ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ କେବଳ ପୁରୁଣା ଭୁବନେଶ୍ବରରେ ଦୁର୍ଗା ମେଢ଼ ହେଉଥିଲା। ଏମିତିକି ନୂଆ କ୍ୟାପିଟାଲ ନିର୍ମାଣ ହେବାର ବହୁ ବର୍ଷ ପର୍ଯ୍ୟନ୍ତ ବି ଅନ୍ୟ କେଉଁଠି ଦୁର୍ଗାପୂଜା ନଥିଲା। ତେଣୁ ଲୋକେ ଦଶହରାରେ କଟକ ଯାଉଥିଲେ କିମ୍ବା ପୁରୁଣା ଭୁବନେଶ୍ବର ବୁଲାବୁଲି କରୁଥିଲେ। ତେବେ ଏବେ ସେଦିନ ଆଉ ନାହିଁ। ପ୍ରାୟ ୨୦/୨୨ବର୍ଷ ହେଲା ରାଜଧାନୀର ବିଭିନ୍ନ ଅଞ୍ଚଳରେ ମହାଆଡ଼ମ୍ବରରେ ଦୁର୍ଗା ପୂଜା ହେଉଛି। ସହିଦନଗର, ନୂଆପଲ୍ଲୀ, ରସୁଲଗଡ଼, ଝାରପଡ଼ା, ପୁରୁଣା ଷ୍ଟେସନ ବଜାର, ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ହେଉଥିବା ଦଶହରା ଯାତ୍ରାରେ ପ୍ରବଳ ଭିଡ଼ ହେଉଛି। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସୁଦୃଶ ତୋରଣ ପାଇଁ ସ୍ଥାନାଭାବ ହେତୁ ଅନ୍ୟମାନେ ବିଶାଳ ତୋରଣ କରି ପୂଜା ପ୍ରତିଯୋଗିତାରେ ଆଗରେ ରହୁଛନ୍ତି ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର