ଭୁବନେଶ୍ବର: ଆଜି ଦbଇ ଘଣ୍ଟାର ଅବିଶ୍ରାନ୍ତ ବର୍ଷାରେ ରାଜଧାନୀର ସ୍ଥିତି ବେହାଲ୍ ହୋଇଛି। ଭୁବନେଶ୍ବରର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି। ନାଳ ଜାମ୍ କାରଣରୁ ବର୍ଷା ଜଳ ନିଷ୍କାସନ ନ ହୋଇପାରି ନାଳପାଣି ମିଶା ବର୍ଷା ପାଣି ରାସ୍ତାରେ ଲହଡ଼ି ଭାଙ୍ଗିଛି। ରାଜଧାନୀର ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚ ପାଣି ଭାସିଛି। ରାସ୍ତାଘାଟର ଏଭଳି ସ୍ଥିତି ଜନଜୀବନକୁ ପ୍ରଭାବିତ କରିଥିବାବେଳେ ଆଜି ନାଳ ପାଣିର ଉତ୍କଟ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ଲୋକଙ୍କୁ ଅଣନିଃଶ୍ବାସୀ କରି ପକାଇଛି। ନାଳର ଆବର୍ଜନା ବି ରାସ୍ତାରେ ଭାସିଛି। ବମିଖାଲ, ଲକ୍ଷ୍ମୀସାଗର, ଆଇଆର୍ସି ଭିଲେଜ, ଏକାମ୍ର ଭିଲ୍ଲା ଭଳି ପ୍ରମୁଖ ରାସ୍ତାରେ ଏଭଳି ସ୍ଥିତି ଭୁବନେଶ୍ବର ମହାନଗର ନିଗମ ଡ୍ରେନେଜ୍ ବିଭାଗର ଅପାରଗତାକୁ ପଦାରେ ପକାଇଛି। ୨୦୧୯ ମସିହା ଜୁଲାଇ ୨୫ ତାରିଖରେ ଏକାମ୍ର ଭିଲ୍ଲା ନିକଟରେ ଭାସିଯାଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ସ୍ଥାନର ସ୍ଥିତି ଆଜି ବି ବଦଳି ନାହିଁ। ଆଜି ବର୍ଷା ସମୟରେ ସେହି ବାଟ ଦେଇ ଯିବାକୁ ଲୋକେ ଭୟ କରିଥିଲେ। ସେହିପରି ଜୟଦେବବିହାର ଓଭରବ୍ରିଜ୍ ନିକଟରେ ବର୍ଷାଜଳ ଜମି ରହିବା ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।
ଆଜି ରାଜଧାନୀରେ ଦିନତମାମ ଆକାଶ ମେଘାଛନ୍ନ ରହିବା ସହ ସକାଳୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଦେଖୁଦେଖୁ ପ୍ରମୁଖ ରାସ୍ତା ଓ ସାହି ଗଳିକନ୍ଦିରେ ବର୍ଷା ପାଣି ଭରି ଯାଇଥିଲା। କେଉଁଠି ଆଣ୍ଠୁଏ ତ କେଉଁଠି ଜଙ୍ଘେ ଉଚ୍ଚରେ ପାଣି ଲହଡ଼ି ମାରିଥିଲା। ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା। ପ୍ରମୁଖ ରାସ୍ତାଘାଟରେ ବହୁ ସମୟ ଧରି ପାଣି ଜମି ରହିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ବମିଖାଲ ଛକରେ ନାଳପାଣି ମିଶା ବର୍ଷା ପାଣି ରାସ୍ତାରେ ପ୍ରାୟ ୧ ଘଣ୍ଟା ଧରି ଜମି ରହିବାରୁ ଲୋକେ ବ୍ରିଜ୍ ଉପର ଦେଇ ଯା’ଆସ କରିଥିଲେ। କିଛି ଗାଡ଼ି ବି ପାଣି ଭିତରେ ଅଟକି ରହିଥିଲା। ନାଳପାଣିର ଉତ୍କଟ ଦୁର୍ଗନ୍ଧ ବି ବାହାରୁଥିଲା। ଲକ୍ଷ୍ମୀସାଗର, ରସୁଲଗଡ଼ କୋଚିଲେଇ ହାଟଠାରୁ ଏସ୍ପ୍ଲାନେଡ୍ ପର୍ଯ୍ୟନ୍ତ ସ୍ଥିତି ବି ସମାନ ରହିଥିଲା। ସେହିଭଳି ଆଇଆର୍ସି ଭିଲେଜ୍ରେ ବି ରାସ୍ତାରେ ନାଳପାଣି ମିଶା ବର୍ଷା ପାଣି ଭାସିଥିଲା। ସବୁଠି ନାଳ ସ୍ଥିତିକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭୁବନେଶ୍ବର ମହାନଗର ନିଗମ ନିୟମିତ ନାଳ ସଫେଇ କରୁଛନ୍ତି। ଏ ବାଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହା ଲୋକ ଦେଖାଣିଆ ହୋଇ ରହିଯାଇଛି। ଯେଉଁଥିପାଇଁ ସାମାନ୍ୟ ବର୍ଷାରେ ନାଳ ଜାମ୍ ହେଉଛି ଓ ରାସ୍ତାରେ ବର୍ଷା ପାଣି ଲହଡ଼ି ମାରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାଣିପାଗ ବିଭାଗ ସୂଚନା ମୁତାବକ, ଗତକାଲି ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୧୨୪ ମିମି ବର୍ଷା ହୋଇଥିଲା। କିନ୍ତୁ ଗତକାଲି ଭୁବନେଶ୍ବରରେ ବର୍ଷା ନଥିଲା। ଆଜି ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ସ୍ଥାନରେ ବର୍ଷା ହୋଇଛି।
କାର୍ ଅଧା ବୁଡ଼ିଗଲା, ସେନ୍ସର୍ ଅଚଳ ହୋଇଗଲା
କାର୍ ଭିତରେ ଘଣ୍ଟାଏ ରହିଗଲେ ମହିଳା
ଚନ୍ଦ୍ରଶେଖରପୁର: ଆଜି ପୂର୍ବାହ୍ଣରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ପଟିଆ ନିକଟସ୍ଥ ଅହଲ୍ୟାନଗରରେ ଦୁଇଫୁଟ୍ ଉଚ୍ଚରେ ପାଣି ଜମିରହିଲା। ଡ୍ରେନ୍ ବ୍ଲକ୍ ହୋଇଯିବାରୁ କଲୋନି ଭିତରୁ ବର୍ଷା ପାଣି ନିଷ୍କାସିତ ହୋଇପାରିଲା ନାହିଁ। ଏହି ସମୟରେ କଲୋନି ଭିତରେ ଏକ କାର୍ ଅଧା ବୁଡ଼ିଯିବାରୁ ସେନ୍ସର କାମ କଲାନି ଏବଂ ଡୋର୍ ନ ଖୋଲିବାରୁ ଭିତରେ ଜଣେ ମହିଳା ଫସିରହିଥିଲେ। ପ୍ରାୟ ଘଣ୍ଟାକ ପରେ ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରିଥିଲା। ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ହେଁ ସେ ଭୟଭୀତ ହୋଇ ପଡ଼ିଥିଲେ ଏବଂ ତାଙ୍କ ରକ୍ତଚାପ ବଢ଼ିଯାଇଥିଲା। ଘଟଣାଟି ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ବର୍ଷା ଆରମ୍ଭ ହୋଇଯାଇଥିଲେ ହେଁ ମହିଳାଜଣକ କୌଣସି କାମରେ ଯିବା ଲାଗି ଆଗୁଆ ଆସି କାର୍ରେ ବସିଯାଇଥିଲେ। ଚାଳକ କାର୍ ପାଖକୁ ଆସିବା ବେଳକୁ ବର୍ଷା ବଢ଼ିଯାଇଥିଲା ଏବଂ କଲୋନି ଭିତରେ ୨ଫୁଟ ଉଚ୍ଚର ପାଣି ଜମି ଯାଇଥିଲା। କାର୍ଟି ଅଧା ବୁଡ଼ିଯିବାରୁ ସେନ୍ସର୍ ଅଚଳ ହୋଇଯାଇଥିଲା। ତେଣୁ ଡୋର୍ ଲକ୍ ଖୋଲିନଥିଲା। ଫଳରେ ଚାଳକ ଗାଡ଼ି ଭିତରକୁ ଯାଇପାରି ନଥିଲେ। କାର୍ ଭିତରକୁ ପାଣି ପଶିବାକୁ ଲାଗିଥାଏ ଏବଂ ମହିଳାଜଣକ ସାମାନ୍ୟ ଅଣନିଶ୍ବାସୀ ହୋଇପଡ଼ୁଥାନ୍ତି। ଅନ୍ୟ ଉପାୟ ନପାଇ ଚାଳକ ଅଗ୍ନିଶମ ବାହିନୀକୁ ଫୋନ୍ କରି ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡୋର୍ ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଥିଲା। ପରେପେର ବିଏମ୍ସି କର୍ମଚାରୀମାନେ ମଟର ଲଗାଇ କଲୋନିରୁ ଜଳ ନିଷ୍କାସନ କରିଥିଲେ।
ଡ୍ରେନ୍ ଫଟାଇ ଭାସିଲା ନାଳ ପାଣି
ଭୁବନେଶ୍ବର: ନାଳ ସଫେଇର ଲୋକଦେଖାଣିଆ କାମକୁ ଆଜିର ରାଜଧାନୀର ଡ୍ରେନେଜ୍ ସ୍ଥିତି ଧରା ପକାଇ ଦେଇଛି। ବର୍ଷାରେ ଡ୍ରେନ୍ ଫଟାଇ ନାଳ ପାଣି ରାସ୍ତାରେ ଭାସିଛି। ପୁରୁଣା ଏଜି କଲୋନି କଲ୍ୟାଣମଣ୍ଡପ ସମ୍ମୁଖ ଡ୍ରେନ୍ ସ୍ଥିତି ସହରର ବର୍ଜ୍ୟଜଳ ପରିଚାଳନାର ବିକଳ ଚିତ୍ର ବୟାନ କରୁଛି। ବର୍ଷା ପାଣି ଡ୍ରେନ୍ ଦେଇ ନିଷ୍କାସନ ହୋଇ ନପାରି ଆଜି କଲ୍ୟାଣମଣ୍ଡପ ସମ୍ମୁଖ ଡ୍ରେନ୍କୁ ଫଟାଇ ଭସ୍ ଭସ୍ ହୋଇ ଉପରକୁ ଉଠିବା ସହ ଆଖପାଖ ରାସ୍ତାଘାଟ ଓ ଅଞ୍ଚଳ ଜଳାର୍ଣ୍ଣବ କରିଛି। ଚାରିଆଡ଼େ ଆବର୍ଜନା ପାଣି ଲହଡ଼ି ମାରିଛି। ଆଜି ପୂର୍ବାହ୍ଣର ଏଭଳି ସ୍ଥିତି ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ବର୍ଷା ପୂର୍ବରୁ ନିୟମିତ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନାଳ ସଫେଇ କରାଯାଉଛି। ଠିକାସଂସ୍ଥା ଜରିଆରେ କୋଟି କୋଟି ଟଙ୍କାରେ ନାଳରୁ ମାଟି କଢ଼ା, ଆବର୍ଜନା କଢ଼ା ସହ ଆବଶ୍ୟକ ମରାମତି କରାଯାଉଛି। ଏହି କାମକୁ ତଦାରଖ ପାଇଁ ସ୍ବତନ୍ତ୍ର ଡ୍ରେନେଜ ଡିଭିଜନ୍ ରହିଛି। ଯନ୍ତ୍ରୀ ବି ମାଳ ମାଳ ରହିଛନ୍ତି। କିନ୍ତୁ କେହି ସ୍ଥିତି ପରଖୁନାହାନ୍ତି। ଠିକାସଂସ୍ଥାକୁ ସୁହାଇଲା ଭଳି କାମ ହେଉଛି। ଏଣୁ ପ୍ରତିବର୍ଷ ବର୍ଷାରେ ରାଜଧାନୀର ସ୍ଥିତି ସଙ୍ଗିନ୍ ହେଉଛି। ନାଳପାଣି ରାସ୍ତାରେ ଲହଡ଼ି ମାରୁଛି। ପ୍ରମୁଖ ରାସ୍ତା, ସାହିଗଳି କନ୍ଦି ରାସ୍ତାକୁ ବୁଡ଼ାଉଛି ବୋଲି ଅଭିଯୋଗ ହୋଇଛି।