ଭୁବନେଶ୍ୱର: ତିନିଦିନ ଧରି ଉତ୍କଳ ମଣ୍ଡପରେ ଚାଲିଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆଜି ଉଦ୍‌ଯାପିତ ହୋଇଯାଇଛି। ସଭାରେ ଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ମେୟର୍‌ ସୁଲୋଚନା ଦାସ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଓ ବିଏମ୍‌ସି ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ମିହିର କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ପରେଡ୍‌ ପାଇଁ ୬ ସ୍କୁଲ ସମ୍ବର୍ଦ୍ଧିତ
ସ୍ୱତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ

ପୁରସ୍କାର ବିତରଣ ଉତ୍ସବରେ, ପରେଡ୍‌ରେ ବରିଷ୍ଠସ୍ତରରେ ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି, ପୁଲିସ ମିତ୍ର ଓ ମହର୍ଷି କଲେଜକୁ ପୁରସ୍କୃତ କରାଯାଇଥିଲା। ସେହିପରି ପବ୍ଲିକ୍‌ ସ୍କୁଲସ୍ତରରେ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲ ଏବଂ ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ସ୍କୁଲ ଓ ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ପୁରସ୍କୃତ କରାଯାଇଥିଲା। ଶୃଙ୍ଖଳିତ ଦଳ ଭାବେ ସୈନିକ ସ୍କୁଲ ଓ ଏନ୍‌ସିସି ଫାଷ୍ଟ ବାଟାଲିୟନ୍‌ (ବାଳିକା) ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଥମ ଦିନରେ ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ମହାବିଦ୍ୟାଳୟସ୍ତରରେ ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଓ ମହର୍ଷି ମହାବିଦ୍ୟାଳୟ ତୃତୀୟ ସ୍ଥାନ ଏବଂ ଉଚ୍ଚବିଦ୍ୟାଳୟ ସ୍ତରରେ ଚନ୍ଦ୍ରଶେଖର ଡିଏଭି ପବ୍ଲିକ୍‌ ସ୍କୁଲ ପ୍ରଥମ, ପୋଖରୀପୁଟ୍‌ ଡିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ଓ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ଏବଂ କପିଳପ୍ରସାଦ ସରକାରୀ (ମ୍ୟୁନିସିପାଲ) ଉଚ୍ଚ ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ଭାରତର ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରେ ଓଡ଼ିଶାରୁ ସାମିଲ ହୋଇଥିବା ୪ ଜଣ କ୍ରିକେଟର ଫୁଲ ସୋରେନ୍‌, ବାସନ୍ତୀ ହାଁସଦା, ପଦ୍ମିନୀ ଟୁଡ଼ୁ ଓ ଝିଲି ବିରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଭାରତୀୟ ଡାକ ପକ୍ଷରୁ ଏକ ପୋଷ୍ଟାଲ କଭର୍‌ ଉନ୍ମୋଚିତ ହୋଇଥିଲା।
ଶେଷରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ଏବଂ ବସନ୍ତ ପାତ୍ର, ମିଲନ ପାଣିଗ୍ରାହୀ, ଇପ୍ସିତ ପତି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଶ୍ରୀନିବାସ ଘଟୁଆରୀ ଓ ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।