କ୍ୟାପିଟାଲ ହାଇସ୍କୁଲ ବାର୍ଷିକ ଉତ୍ସବ, ସଚେତନ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ

ଭୁବନେଶ୍ବର: କ୍ୟାପିଟାଲ ହାଇସ୍କୁଲ୍‌ର ୬୮ତମ ବାର୍ଷିକ ଉତ୍ସବ ଆଜି ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ଯୋଗଦେଇ କହିଲେ, ପିଲାମାନେ ପୁଲିସକୁ ଡରିବା ଉଚିତ୍‌ ନୁହେଁ। ପୁଲିସ ସହ ବନ୍ଧୁତ୍ବ ସ୍ଥାପନ କରି ବିଭିନ୍ନ ଆଇନ ବିଷୟରେ ଅବଗତ ହେବା ଉଚିତ୍‌। ପିଲାମାନେ ସଚେତନ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଉଚ୍ଚଶିକ୍ଷା ପାଇଁ ଉତ୍ତମ ଆଚରଣର ଅବଶ୍ୟକତା ରହିଛି। ପାଠ ପଢ଼ିବା ସହ ଗଠନମୂଳକ କାମରେ ଛାତ୍ରଛାତ୍ରୀମାନେ ନିଜକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆୟକର ବିଭାଗର ପୂର୍ବତନ କମିସନର ଶିବ ପ୍ରସାଦ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ଏସ୍‌ବିଆଇର ସହକାରୀ ପ୍ରବନ୍ଧକ ପ୍ରଦୀପ ବିଶ୍ବାଳ ଏବଂ ଅଭିନେତା ପ୍ରୀତିରାଜ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୋନମିକା ରା‌ୟ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସ୍କୁଲର ମୁଖପତ୍ର ‘ରାଜଧାନୀ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଦିଲ୍ଲୀପ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ‌େର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର