ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଚରମ ଅବହେଳା ହେଉଥିବା ଅଭିଯୋଗର ସତ୍ୟତା ପଦାକୁ ଆସିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଦିଆଯାଇଥିବା ସାଲାଇନ୍ ଛୁଞ୍ଚି ବାହାରି ସାଲାଇନ୍ ଓ ରକ୍ତ ଉଭୟ ବାହାରୁଥିଲେ ହେଁ ଷ୍ଟାଫ୍ ନର୍ସ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ଏପରିକି ବାରମ୍ବାର ଏଥିପାଇଁ ନର୍ସଙ୍କୁ ଅନୁରୋଧ କରାଯାଇଥିଲେ ହେଁ ସେ ଶୁଣି ନ ଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲା। ରୋଗୀଙ୍କ ମୁହଁ ଖଣ୍ଡିଆଖାବରା ହୋଇପଡ଼ିଥିବା ବେଳେ ଦାନ୍ତ ଭାଙ୍ଗି ଯାଇଥିଲା। ହସ୍ପିଟାଲେର ଅବଜରଭେସନ୍ ରୁମ୍ରେ ତାଙ୍କୁ ସାଲାଇନ୍ ଦେଇଥିଲେ ନର୍ସ। କିନ୍ତୁ ସାଲାଇନ୍ ଲାଗିବାର କିଛି ସମୟ ପରେ ରୋଗୀଙ୍କ ହାତରୁ ସାଲାଇନ୍ ଛୁଞ୍ଚି ଖସି ଯାଇଥିଲା। ଛୁଞ୍ଚି ଫୋଡ଼ା ହୋଇଥିବା ସ୍ଥାନରୁ ରକ୍ତ ବାହାରିବା ସହିତ ରକ୍ତ ଓ ସାଲାଇନ୍ ପାଣି ଚାରିଆଡ଼େ ବୋହିବାକୁ ଲାଗିଥିଲା। ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିଲେ ହେଁ, ହସ୍ପିଟାଲରେ ରାତି ଡ୍ୟୁଟି କରୁଥିବା ନର୍ସ ଏହାକୁ ଧ୍ୟାନ ଦେଇ ନ ଥିଲେ। ୱାର୍ଡରେ ଥିବା ସ୍ବେଚ୍ଛାସେବୀ ଏଥିପାଇଁ ନର୍ସଙ୍କୁ ଅନୁରୋଧ କରିଥିଲେ ହେଁ ସେ ଓଲଟା ବିରକ୍ତ ହୋଇଥିଲେ। ରକ୍ତ ସେଭଳି ବୋହି ଚାଲିଥିଲେ ହେଁ କେହି ଶୁଣି ନ ଥିଲେ। ଶେଷରେ ହସ୍ପିଟାଲରେ ଥିବା ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ସେହି ଅଚିହ୍ନା ବ୍ୟକ୍ତିଙ୍କୁ ସହାୟତା କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଏଭଳି ଅବହେଳା ନୂଆ କଥା ନୁହେଁ। ଗତବର୍ଷ ମଧ୍ୟ ସମାନ ଢଙ୍ଗରେ ଏଭଳି ଜଣେ ଯୁବକଙ୍କୁ ଦିଆଯାଇଥିବା ସାଲାଇନ୍ ଖସି ରକ୍ତ ବାହାରିଥିଲେ ହେଁ କେହି ଶୁଣି ନ ଥିଲେ। ଯାହାକୁ ନେଇ ହସ୍ପିଟାଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ନର୍ସ ଏଭଳି ନୁହନ୍ତି। କେତେଜଣ ଏମିତି ଦାୟିତ୍ବହୀନ କାମ କରୁଛନ୍ତି। ଆସନ୍ତାକାଲି ଘଟଣା ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।