କ୍ୟାପିଟାଲ ହସ୍ପିଟାଲ୍‌ରେ ନବଜାତକର ମୃତ୍ୟୁ ଘଟଣା : ତଦନ୍ତ ସରିଲା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ବର : ଗତ ୪ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଏକ ନବଜାତକର ମୃତ୍ୟୁକୁ ନେଇ ହୋଇଥିବା ଅଭିଯୋଗ ଘଟଣାର ତଦନ୍ତ ଶେଷ ହୋଇଛି। ରିପୋର୍ଟ ପାଇବା ପରେ ହସ୍ପିଟାଲ କର୍ତୃପକ୍ଷ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା କରାଯାଇଛି। ଅପରପକ୍ଷରେ ଆଜି ମୃତକଙ୍କ ପରିବାରଙ୍କ ପକ୍ଷରୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଭେଟି ନିଜର ଦାବି ସଂପର୍କରେ ଜଣାଇଥିବା କୁହାଯାଉଛି। ହସ୍ପିଟାଲର ନିର୍ଦେଶକ ତାଙ୍କୁ କେହି ଭେଟି ନ ଥିବା କହିଛନ୍ତି।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ମୃତକଙ୍କ ପରିବାର ଲୋକ କ୍ୟାପିଟାଲ ଥାନାରେ ପହଞ୍ଚି ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ପଚାରିଥିଲେ। ଥାନା ପକ୍ଷରୁ ଆଜି କ୍ୟାପିଟାଲ ହସ୍ପିଟାଲକୁ ଆସି ଏ ସଂପର୍କରେ ଜାଣିବା ପାଇଁ କୁହାଯାଇଥିଲା। ଆଜି ମୃତକଙ୍କ ପରିବାର ଓ ଅନ୍ୟ ସ୍ଥାନୀୟ ନେତୃବୃନ୍ଦ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କୁ ସିସିଟିଭି ଯାଞ୍ଚ କରିବା ପାଇଁ କହିଥିଲେ। ତେବେ ସିସିଟିଭି ଅପରେଟର୍‌ ନ ଥିବାରୁ ଯାଞ୍ଚ ହୋଇପାରିବ ନାହିଁ ବୋଲି କର୍ତୃପକ୍ଷ କହିଥିଲେ। ପରବର୍ତୀ ସମୟରେ ହସ୍ପିଟାଲ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ଏହି ଘଟଣା ପାଇଁ ଭୁଲ ମାଗିଥିବା ପରିବାର ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ତାଙ୍କୁ ଆଜି କେହି ଭେଟି ନାହାନ୍ତି। ତେବେ ନବଜାତକ ମୃତ୍ୟୁ ଘଟଣାରେ ତଦନ୍ତ ଶେଷ ହୋଇଛି। ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ, ପୁରୁଣା ଭୁବନେଶ୍ବର ମଠ ରୋଡ୍‌ରେ ରହୁଥିବା ରମେଶ ସାହୁଙ୍କ ପତ୍ନୀ ରବିବାର ସକାଳ ୯ଟା ସମୟରେ କ୍ୟାପିଟାଲ ହସ୍ପିଟାଲରେ ପ୍ରସୂତି ବିଭାଗରେ ଭର୍ତି ହୋଇଥିଲେ। ଭୀଷଣ ଯନ୍ତ୍ରଣା ସତ୍ବେ ତାଙ୍କୁ ଚିକିତ୍ସା ନ ଦେଇ ୩ଘଣ୍ଟା କାଳ କର୍ତୃପକ୍ଷ ପକାଇ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ପ୍ରସବର କିଛି ସମୟ ପରେ ନବଜାତକର ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସାରେ ଅବହେଳାରୁ ଏପରି ଘଟଣା ଘଟିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ହସ୍ପିଟାଲ କର୍ତୃପକ୍ଷଙ୍କୁ ପୁଲିସ୍ ଡାକିବାକୁ ପଡ଼ିଥିଲା। ପରେ ମୃତ ନବଜାତକଙ୍କ ପରିବାର ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧିତ ଖବର