କ୍ୟାପିଟାଲ ହସ୍ପିଟାଲରେ ଅନ୍ଧାରର ରାଜୁତି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏବେ ଅନ୍ଧାରର ରାଜୁତି। ଗତମାସରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟି ବୈଠକରେ ହସ୍ପିଟାଲ କ୍ୟାମ୍ପସର ଅନେକ ସ୍ଥାନରେ ଲାଇଟ୍‌ ଜଳୁ ନ ଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ଏବଂ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ୧୫ଦିନ ଭିତରେ ଏହାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଖୋଦ୍‌ ଜିଲ୍ଲାପାଳ ଏ ନେଇ ତାଗିଦ କରିଥିଲେ। ମାତ୍ର ଏ ପର୍ଯ୍ୟନ୍ତ କ୍ୟାମ୍ପସରେ ଲାଇଟ୍‌ର ବ୍ୟବସ୍ଥା ହୋଇପାରି ନାହିଁ। ହସ୍ପିଟାଲର କ୍ୟାମ୍ପସରେ ଅନ୍ଧାରକୁ ନେଇ ରୋଗୀ ଓ ଆଟେଣ୍ଡାଣ୍ଟ ବାରମ୍ବାର ଅଭିଯୋଗ କରୁଛନ୍ତି। ବିଶେଷକରି ସାଇକେଲ ଷ୍ଟାଣ୍ଡ, ହସ୍ପିଟାଲ ମୁଖ୍ୟ ଫାଟକ ଓ ପଛ ପାଖରେ ସଂପୂର୍ଣ୍ଣ ଅନ୍ଧାର ରହୁଛି। ଏହାସହ ହସ୍ପିଟାଲ କ୍ୟାମ୍ପସ ମଦୁଆଙ୍କ ଏକପ୍ରକାର ଆଡ଼ାସ୍ଥଳି ପାଲଟିଗଲାଣି। ହସ୍ପିଟାଲ ଫାଣ୍ଡି ପୁଲସ ମଧ୍ୟ ଏହାକୁ ରୋକିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛି। ଫଳରେ ହସ୍ପିଟାଲ କ୍ୟାମ୍ପସ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି।

କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟି ବୈଠକରେ ଖୋର୍ଧା ଜିଲ୍ଲାପାଳଙ୍କ ସମେତ ହସ୍ପିଟାଲର ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ହସ୍ପିଟାଲ କ୍ୟାମ୍ପସରେ ଅନେକ ଲାଇଟ୍‌ ଦୀର୍ଘଦିନ ହେବ ବନ୍ଦ ହୋଇ ପଡ଼ିଥିବା ନେଇ କର୍ତୃପକ୍ଷ ବିଭାଗୀୟ ଯନ୍ତ୍ରୀଙ୍କ ନଜରକୁ ଆଣିଥିଲେ। ତେଣୁ ହସ୍ପିଟାଲର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ଟି ଏଲଇଡି ଲାଇଟ୍‌ର ବ୍ୟବସ୍ଥା କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଇଲେକ୍ଟ୍ରିକାଲ ବିଭାଗ ପକ୍ଷରୁ ଏହାର ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ହସ୍ପିଟାଲ କ୍ୟାମ୍ପସରେ ଲାଇଟ୍‌ର ବ୍ୟବସ୍ଥା ହୋଇପାରି ନାହିଁ।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭାଗୀୟ ଯନ୍ତ୍ରୀ ବିଭିନ୍ନ ସମୟରେ କେବଳ ବାହାନା ନେବାରେ ବ୍ୟସ୍ତ। ହସ୍ପିଟାଲ କ୍ୟାମ୍ପସରେ ଦୀର୍ଘଦିନ ହେବ ୨୫/୩୦ଟି ଲାଇଟ୍‌ ଜଳୁନାହିଁ। ତେଣୁ ହସ୍ପିଟାଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ଟି ଏଲ୍‌ଇଡି ଲାଇଟ୍‌ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲାଇଟ୍‌ର ତୁରନ୍ତ ସମାଧାନ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତୀ ସମୟରେ ମେୟରଙ୍କ ମଧ୍ୟ ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଲାଇଟ୍‌ର ବ୍ୟବସ୍ଥା କରିବାକୁ କୁହାଯାଉଥିଲେ ହେଁ, ବିଭିନ୍ନ କାରଣ ଦର୍ଶାଇ ସେ ଏହାକୁ ଏଡ଼ାଇବାରେ ଲାଗିଛନ୍ତି। ଫଳରେ ହସ୍ପିଟାଲ କ୍ୟାମ୍ପସ ପୂର୍ବରୁ ଯେଉଁ ଅନ୍ଧାରରେ ଥିଲା ଏବେ ମଧ୍ୟ ସେହି ଅନ୍ଧାରରେ ରହିଛି। ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବଢ଼ି ବଢ଼ି ଚାଲିଛି।

କର୍ମଚାରୀ ଅଭାବରୁ ସ୍ପେସାଲ କ୍ୟାବିନ୍‌ ୬ ମାସ ହେଲା ବନ୍ଦ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସ୍ପେସାଲ କ୍ୟାବିନ୍‌ ଗତ ୬ମାସ ହେବ ବନ୍ଦ ହୋଇଯାଇଛି। ସ୍ପେସାଲ କ୍ୟାବିନ୍‌ର ପରିଚାଳନା ପାଇଁ ଆବଶ୍ୟକ ଥିବା କର୍ମଚାରୀଙ୍କ ଅଭାବ ପାଇଁ କ୍ୟାବିନ୍‌କୁ ବନ୍ଦ କରି ଦିଆଯାଇଛି। ଏଥିରୁ କେତେକ ଘରକୁ ଏବେ କର୍ମଚାରୀମାନେ ବ୍ୟବହାର କରୁଛନ୍ତି।

ତେବେ ସ୍ପେସାଲ କ୍ୟାବିନ୍‌ ବନ୍ଦ ହୋଇଯିବା ଯୋଗୁଁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ରହିବାରେ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଅନେକ ନର୍ସିଂହୋମ୍‌ରେ ଅଧିକ ଟଙ୍କା ଦେଇ ରହିବାକୁ ଅନେକ ବାଧ୍ୟ ହେଉଛନ୍ତି। କେବଳ ରୋଗୀଙ୍କ ପାଇଁ ସମସ୍ୟାକୁ ବାଦ୍‌ ଦେଲେ ହସ୍ପିଟାଲ କର୍ତୃପକ୍ଷ କ୍ୟାବିନ୍‌ ଜରିଆରେ ଆସିବାକୁ ଥିବା ଅର୍ଥ ହରାଉଛନ୍ତି। ଏଥିପାଇଁ ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ।

କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍‌ ଓ ନର୍ସିଂ ହୋମ୍‌କୁ ବାଦ୍‌ ଦେଲେ ୧୫ଟି ସ୍ପେସାଲ କ୍ୟାବିନ୍‌ ରହିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ନିଜ ଇଚ୍ଛା ମୁତାବକ କ୍ୟାବିନ୍‌ ବାଛିବାର ସୁଯୋଗ ରହିଛି। ତେବେ ଗତ ୬ମାସରୁ ଅଧିକ ସମୟ ହେବ ହସ୍ପିଟାଲରେ ସ୍ପେସାଲ କ୍ୟାବିନ୍‌ ବନ୍ଦ ରହିଛି। ସ୍ପେସାଲ କ୍ୟାବିନ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏମ୍‌ସିଏଚ୍‌ ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ପରେ ସେଠାକୁ ସ୍ଥାନାନ୍ତରିତ କରାଯାଇଛି। ଫଳରେ ସ୍ପେସାଲ କ୍ୟାବିନ୍‌କୁ ଚଳାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ ସୂଚନା ଅନୁଯାୟୀ, ଏମ୍‌ସିଏଚ୍‌ ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ପରେ ସ୍ପେସାଲ କ୍ୟାବିନ୍‌କୁ ଚଳାଇବା ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ପୁରୁଣା ବିଲ୍ଡିଂରେ ଥିବା ସ୍ପେସାଲ କ୍ୟାବିନ୍‌କୁ ଅସ୍ତ୍ରୋପଚାର ଓ୍ଵାର୍ଡ(ପୁରୁଷ)ରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଅସ୍ତ୍ରୋପଚାର ଓ୍ଵାର୍ଡରେ କାର୍ଯ୍ୟରତ କର୍ମଚାରୀମାନେ ଏହାର ଦାୟିତ୍ୱରେ ରହିବେ। ସ୍ପେସାଲ କ୍ୟାବିନ୍‌ ଦର ୩୫୦ଟଙ୍କା ରଖାଯାଇଛି। ସେହିପରି ଏମ୍‌ସିଏଚ୍‌ ବିଲ୍ଡିଂରେ ଏବେ ସ୍ୱତନ୍ତ୍ରଭାବେ ୯ଟି କ୍ୟାବିନ୍‌ ପ୍ରସ୍ତୁତ କରାଯାଇଛି। ରୋଗୀଙ୍କ ଭିଡ଼କୁ ନଜରରେ ରଖି ଏହି କ୍ୟାବିନ୍‌ ପ୍ରସ୍ତୁତ ହୋଇଛି। ଏହାର ଦର ୭୫୦ଟଙ୍କା ରହିଥିବା ବେଳେ ଏସି କ୍ୟାବିନ୍‌ର ଦର ଅଲଗା ରହିଥିବା ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର