ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ କିଛି ଆରକେଏସ୍ ବା ରୋଗୀ କଲ୍ୟାଣ ସିମିତିର କର୍ମଚାରୀଙ୍କୁ ଠିକା ସରକାରୀ କର୍ମଚାରୀ ନିଯୁକ୍ତି ଦେବାକୁ ଚକ୍ରାନ୍ତ ଆରମ୍ଭ ହୋଇଛି। ହସ୍ପିଟାଲର କିଛି ଅଧିକାରୀ ୧୦ଜଣ ଆରକେଏସ୍ କର୍ମଚାରୀଙ୍କୁ ଏଥିରେ ସାମିଲ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏହା ଏକ ବେଆଇନ କାର୍ଯ୍ୟ ଜାଣି ମଧ୍ୟ ଅଧିକାରୀମାନେ ଏ ଦିଗରେ ଫାଇଲ କାମ ଆଗକୁ ବଢ଼ାଇଛନ୍ତି। ପୂର୍ବରୁ ମଧ୍ୟ ଏଭଳି ପ୍ରଚେଷ୍ଟା ହୋଇଥିଲେ ହେଁ ତାହା ବିଫଳ ହୋଇଥିଲା। ମାତ୍ର ଏଥର ଏହାକୁ ଆଇନର ଜାଲ ଭିତରେ ଛନ୍ଦି ଦେବାକୁ ଉଦ୍ୟମ କରାଯାଇଛି।
ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଡାକ୍ତରଖାନାର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଖର୍ଚ କରାଯାଇଥାଏ। କିଛି ବର୍ଷ ହେବ ଆରକେଏସ୍ ପାଣ୍ଠିରୁ ଡାକ୍ତରଖାନାରେ ଆଟେଣ୍ଡାଣ୍ଟ ଓ ଡ୍ରାଇଭର୍ଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ୭ଜଣ ଆଟେଣ୍ଡାଣ୍ଟ ଓ ୩ଜଣ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ ୧୦ଜଣ ଆର୍କେଏସ୍ ପାଣ୍ଠିରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଠିକା କର୍ମଚାରୀରେ ନିଯୁକ୍ତି ଦେବାକୁ ଚକ୍ରାନ୍ତ ଆରମ୍ଭ ହୋଇଛି। ହସ୍ପିଟାଲରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ସଂପର୍କୀୟ ଏଥିରେ ରହିଥିବାରୁ ସେମାନଙ୍କୁ ଏଭଳି ନିଯୁକ୍ତି ଦେବା ପାଇଁ ଉଦ୍ୟମ କରାଯାଇଛି। ଏପରିକି ହସ୍ପିଟାଲରେ କାର୍ଯ୍ୟରତ କିଛି କର୍ମଚାରୀ ଦୀର୍ଘ ବର୍ଷ ଧରି କାମ କରୁଥିଲେ ହେଁ ତାଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ। ଏହି ପରିସ୍ଥିତିରେ ଆର୍କେଏସ୍ ଅଧୀନରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଚଞ୍ଚକତା କରି ନିଯୁକ୍ତି ଦେବାକୁ ଯୋଜନା କରାଯାଉଛି।
ଅପରପକ୍ଷରେ ଚଳିତବର୍ଷ ପହିଲାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ନିଦାନ’ ଯୋଜନାରେ ରୋଗୀଙ୍କଠାରୁ କୌଣସି ଅର୍ଥ ଆଦାୟ କରାଯାଉନାହିଁ। ଏହାସହ ସ୍ବାଧୀନତା ଦିବସରୁ ରୋଗୀଙ୍କଠାରୁ ରେଜିଷ୍ଟ୍ରେସନ୍ ବାବଦରେ ଆଦାୟ ହେଉଥିବା ଫି’କୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଫଳରେ ସରକାରୀ ଡାକ୍ତରଖାନାଗୁଡ଼ିକର ଆରକେଏସ୍ ପାଣ୍ଠିକୁ ଟଙ୍କା ଆସୁନାହିଁ। ଏହି ବାବଦ ଆସୁଥିବା ଅର୍ଥକୁ ରାଜ୍ୟ ସରକାର ଭରଣା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ଠିକ୍ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କା ଦିଆଯାଇ ନାହିଁ। ଆର୍କେଏସ୍ ପାଣ୍ଠିକୁ ଟଙ୍କା ଆସିବା ବନ୍ଦ ହେବା ପରେ ମଧ୍ୟ ହସ୍ପିଟାଲ କର୍ତୃପକ୍ଷ ଆହୁରି ୨୨ଜଣ କର୍ମଚାରୀଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ଦେଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କ ଦରମା ପୂର୍ବରୁ ହସ୍ପିଟାଲର ଆର୍କେଏସ୍ ପାଣ୍ଠିରେ ଥିବା ଟଙ୍କାରୁ ଭରଣା କରାଯାଉଛି। ଆର୍କେଏସ୍ ପାଣ୍ଠିରେ ଏବେ ସଂକଟ ଦେଖାଦେଲାଣି। ନିକଟରେ ରାଜ୍ୟ ସରକାର ‘ନିର୍ମଳ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସଫେଇ କର୍ମଚାରୀ, ଲିଫ୍ଟ ମ୍ୟାନ୍, ଲଣ୍ଡ୍ରି ଓ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯିବ। ଏଥିରେ ଆରକେଏସ୍ ଅଧୀନରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସଂପର୍କରେ କିଛି ଉଲ୍ଲେଖ ନାହିଁ। ଯଦି କ୍ୟାପିଟାଲ ହସ୍ପିଟାଲରେ ଆର୍କେଏସ୍ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଭଳି ଠିକା ନିଯୁକ୍ତି ଦିଆଯାଏ, ତେବେ ରାଜ୍ୟବ୍ୟାପୀ ସରକାରୀ ଡାକ୍ତରଖାନାଗୁଡ଼ିକରେ ଆରକେଏସ୍ ଅଧୀନରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନେଇ ମଧ୍ୟ ସମସ୍ୟା ଉପୁଜିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରୁ ଏଭଳି ଏକ ଫାଇଲ ନିକଟରେ ସ୍ବାସ୍ଥ୍ୟ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିଲେ ହେଁ ବିଭାଗ ଏହାକୁ ସ୍ପଷ୍ଟ ମନା କରି ଦେଇଛି। ତେଣୁ ଏହି ୧୦ଜଣ କର୍ମଚାରୀ ଆଗାମୀ ଦିନରେ କିଭଳି ନିଜର ଦାବି ଉପସ୍ଥାପନ କରିପାରିବେ, ସେଥିପାଇଁ ଆଇନଗତ ବିବାଦରେ ଫାଇଲକୁ ଛନ୍ଦି ଦେବାକୁ ଯୋଜନା ଆରମ୍ଭ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/capital-hospital-1.jpg)