ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ୟୁଟିଲିଟି ସେଣ୍ଟର୍ରେ ଥିବା ଦୋକାନୀମାନେ ଭଡ଼ା ଦେଉନାହାନ୍ତି। ବାରମ୍ବାର ନୋଟିସ୍ କରାଗଲେ ବି ଶୁଣୁନାହାନ୍ତି। ସେମାନଙ୍କ ଉପରେ ଲକ୍ଷାଧିକ ଟଙ୍କା ବାକି ପଡ଼ିଛି। ତେବେ ଟଙ୍କା ଆଦାୟ କରି ନପାରି ଏବେ ଦୋକାନକୁ ସିଲ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଆଜି ହସ୍ପିଟାଲ ପରିସରରେ ଖୋର୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି(ଆରକେଏସ୍)ର କାର୍ଯ୍ୟନିର୍ବାହୀ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇଛି। ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲକ୍ଷାଧିକ ଟଙ୍କା ବାକି ପଡ଼ିଥିବାକୁ ନେଇ ଖୋର୍ଧା ଜିଲ୍ଲାପାଳ ମଧ୍ୟ ଅସନ୍ତୋଷ ଝାଡ଼ିଛନ୍ତି। ହସ୍ପିଟାଲ ପରିସର ୟୁଟିଲିଟି ସେଣ୍ଟର୍ରେ ଥିବା ୧୨ ଦୋକାନରୁ ପ୍ରାୟ ୧୬ଲକ୍ଷ ଟଙ୍କା ବାକି ପଡ଼ିଛି। କେବଳ ଦୁଇଟି ଦୋକାନ ୧୧ଲକ୍ଷ ଟଙ୍କା ବାକି ରଖିଛନ୍ତି। ବାରମ୍ବାର ନୋଟିସ୍ କରାଗଲେ ବି ସେମାନେ ବିଭିନ୍ନ ଆଳ ଦେଖାଇ ଭଡ଼ା ଫାଙ୍କୁଛନ୍ତି। କେବଳ ୫ଟି ଦୋକାନ ନିୟମିତ ଭଡ଼ା ପୈଠ କରୁଥିବା ବେଳେ ଆଉ ୫ଟି ଦୋକାନ ଉପରେ ୫ ଲକ୍ଷ ଟଙ୍କା ବାକି ରହିଛି। ଯେଉଁ ୫ଟି ଦୋକାନ ଉପରେ ୫ଲକ୍ଷ ଟଙ୍କା ବାକି ପଡ଼ିଛି, ସେମାନଙ୍କୁ ନୋଟିସ୍ କରାଯିବ। ତେବେ ଦୀର୍ଘ ଦିନ ଧରି ସେମାନଙ୍କ ଉପରେ ଲକ୍ଷାଧିକ ଟଙ୍କା ବାକି ପଡ଼ିଥିଲେ ବି କର୍ତ୍ତୃପକ୍ଷ ଏତେ ଦିନ ଧରି କାହିଁକି ଚୁପ୍ ରହିଥିଲେ, ପୂର୍ବରୁ ସେମାନଙ୍କ ଦୋକାନକୁ ସିଲ୍ କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି। ଏଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ ବାରି ହୋଇପଡ଼ୁଛି। ଏହାସହ ୟୁଟିଲିଟି ସେଣ୍ଟର୍ରେ ଦୋକାନ କରିଥିବା ଦୋକାନୀମାନେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ନଜରକୁ ଆସିଛି। ସେମାନଙ୍କୁ ଯେତିକି ଜାଗା ଆବଣ୍ଟନ କରାଯାଇଛି, ତା’ଠାରୁ ଅଧିକ ସ୍ଥାନରେ ସେମାନେ ନିଜର ଜିନିଷ ରଖୁଛନ୍ତି। ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ୟୁନିଟ୍-୪ ସିଏଚ୍ସିରେ ଅଧିକ ପ୍ରସବ ଉପରେ ଗୁରୁତ୍ବ
ୟୁନିଟ୍-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ସଂଖ୍ୟା ବଢ଼ିବ। ହସ୍ପିଟାଲକୁ ଆଉ ୨ଜଣ ଲେଖାଏଁ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଓ ଷ୍ଟାଫ୍ନର୍ସ ଯୋଗାଇଦେଲେ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରିବ। ଗତକାଲି ୟୁନିଟ୍-୪ସ୍ଥିତ ସିଏଚ୍ସିର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲରେ ବର୍ତ୍ତମାନ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରହିଛନ୍ତି। ଆଉ ଦୁଇ ଜଣ ଡାକ୍ତରଙ୍କୁ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବ। ଏହାସହ ହସ୍ପିଟାଲର ଦୁଇ ଷ୍ଟାଫ୍ ନର୍ସଙ୍କୁ କ୍ୟାପିଟାଲ ହସ୍ପିଟାଲରରୁ ଫେରାଇ ଆଣିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯିବ। ଏହାସହ ହସ୍ପିଟାଲ ପରିସରରେ ଥିବା ପରୀକ୍ଷାଗାରରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜଣେ ଏଲ୍ଟି ବା ଲାବରୋଟାରି ଟେକ୍ନିସିଆନ୍ଙ୍କୁ ନିଯୁକ୍ତି ଦିଆଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ମେୟର ସୁଲୋଚନା ଦାସଙ୍କ ସମେତ ହସ୍ପିଟାଲ ଅଧିକାରୀ ଯୋଗ ଦେଇଥିଲେ।
ପିଜିଆଇକୁ ମିଳିଲା ନୂତନ ଲୋଗୋ
ପିଜିଆଇଏମଇଆର୍ ଆଣ୍ଡ କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ନୂତନ ଲୋଗୋ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଲୋଗୋକୁ ଅନୁମତି ଦିଆଯାଇଛି। ଏହି ଲୋଗୋକୁ ୨୧ସେପ୍ଟମ୍ବର ଦିନ ପିଜିଆଇଏମଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଥିଲା।
ସେହିଭଳି ଚକ୍ଷୁଦାନ ଉପରେ ଅଧିକରୁ ଅଧିକ ସଚେତନତା ଉପରେ ଗୁରୁତ୍ବ ଦିଆଯିବ। କ୍ୟାପିଟାଲ ହସ୍ପିଟାଲରେ ବର୍ଷକୁ ପ୍ରାୟ ୧୬୦୦ ଚକ୍ଷୁ ସଂଗ୍ରହ କରାଯାଉଛି। ତେବେ ସଚେତନତା ଅଭାବରୁ ବହୁ ଲୋକ ଚକ୍ଷୁ ଦାନ କରିବାକୁ ରାଜି ହେଉନାହାନ୍ତି। ଅଧିକ ସଚେତନତା ପାଇଁ ଅଧିକ ବିଜ୍ଞାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କାଜୁଆଲ୍ଟି ସମ୍ମୁଖରେ ଏକ ଚକ୍ଷୁଦାନ ସଚେତନତା କାଉଣ୍ଟର ଖୋଲାଯିବ। ପୂର୍ବ ରୋଗୀକଲ୍ୟାଣ ସମିତି ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲା। ରୋଗୀ ସଂପର୍କୀୟ ବିଶ୍ରାମଗାର, ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାର, ନୂତନ ଔଷଧ ସବ୍ଷ୍ଟୋର ନିର୍ମାଣ, ମଡ୍ୟୁଲାର କିଚେନ୍, ହସ୍ପିଟାଲ ପରିସରରେ ୱାର୍କସପ ନିର୍ମାଣ, ମେସିନାଇଜଡ୍ ଲଣ୍ଡ୍ରି ଓ କର୍କଟ ସେବା କେନ୍ଦ୍ରର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ତେବେ ହସ୍ପିଟାଲର ସମସ୍ତ ଶଯ୍ୟାକୁ ଅକ୍ସିଜେନ୍ ଗ୍ୟାସ୍ ସଂଯୋଗ ନିଷ୍ପତ୍ତି ଉପରେ କୌଣସି ପ୍ରଶାସନିକ ଅନୁମୋଦନ ମିଳି ନଥିବା ବୈଠକରୁ ସୂଚନା ମିଳିଛି।