ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ସର୍ଜରି ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଭାଗର ୪ଜଣ ଡାକ୍ତରଙ୍କ ପଦୋନ୍ନତି ପରେ ବଦଳି ପାଇଁ ନିର୍ଦେଶ ଆସିବା ପରେ ଡାକ୍ତର ସଂକଟ ଦେଖା ଦେଇଛି। ଏପରିକି ୪ଜଣ ଡାକ୍ତର ହସ୍ପିଟାଲରୁ ରିଲିଭ୍ ହେବା ପରେ ଅସ୍ତ୍ରୋପଚାର ସଂପୂର୍ଣ୍ଣ ବନ୍ଦ ହୋଇଯିବା ଭଳି ପରିସ୍ଥିତି ହୋଇଛି। ହସ୍ପିଟାଲରୁ ଯେତିକି ସଂଖ୍ୟକ ଡାକ୍ତରଙ୍କ ବଦଳି ହୋଇଛି ବଦଳରେ ଆହୁରି ଅଧିକ ଡାକ୍ତର ଆସୁଥିଲେ ହେଁ ସର୍ଜରି ବିଭାଗ ପାଇଁ ଆବଶ୍ୟକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ।

Advertisment

କ୍ୟାପିଟାଲ ହସ୍ପିଟାଲରେ ୧୩୩ ଡାକ୍ତରଙ୍କ ପଦବି ରହିଥିବା ବେଳେ ଏବେ ୧୨୦ଜଣ ଡାକ୍ତର ରହିଛନ୍ତି। ନିକଟରେ ହସ୍ପିଟାଲରୁ ୧୮ଜଣ ଡାକ୍ତରଙ୍କ ପଦୋନ୍ନତି ପରେ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ୧୯ଜଣ ଡାକ୍ତର ହସ୍ପିଟାଲକୁ ଫେରିବେ। କେଉଁ କେଉଁ ବିଭାଗକୁ ଏକାଧିକ ଡାକ୍ତର ଆସୁଥିବା ବେଳେ ସର୍ଜରି ବିଭାଗରୁ ଯେତିକି ଡାକ୍ତର ବଦଳି ହୋଇଛନ୍ତି ତାହା ତୁଳନାରେ ଆସୁଥିବା ଡାକ୍ତର ସଂଖ୍ୟା ଯଥେଷ୍ଟ କମ୍। ସର୍ଜରି ବିଭାଗରେ ଏବେ ୭ଜଣ ଡାକ୍ତର ରହିଛନ୍ତି। ତହିଁରୁ ୪ଜଣଙ୍କର ପଦୋନ୍ନତି ପରେ ବଦଳି ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅନ୍ୟ ୩ଜଣ ଡାକ୍ତରଙ୍କୁ ମଧ୍ୟରୁ ଜଣେ ସୁପରିନ୍‌ଟେଣ୍ଡେଣ୍ଟ ବା ଅଧୀକ୍ଷକଙ୍କ ଦାୟିତ୍ବ‌ରେ ରହିଛନ୍ତି। ଏ ପରିସ୍ଥିତିରେ କାଜୁଆଲ୍‌ଟି, ବହିର୍ବିଭାଗ ଓ ଅସ୍ତ୍ରୋପଚାର କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଦୋନ୍ନତି ପରେ ବଦଳି ହୋଇଥିବା ଡାକ୍ତରଙ୍କୁ ତୁରନ୍ତ ରିଲିଭ୍ କରିବା ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ହସ୍ପିଟାଲକୁ ପ୍ରତ୍ୟେକ ଦିନ ବହୁ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ଆସୁଥିବା ବେଳେ କାଜୁଆଲ୍‌ଟିରେ ପ୍ରତି ସିଫ୍‌ଟରେ ଜଣେ ସର୍ଜରି ଡାକ୍ତର ରହିବାକୁ ବାଧ୍ୟ। ଏହାସହ ସକାଳ ଓ ସଂଧ୍ୟାରେ ସର୍ଭରି ବହିର୍ବିଭାଗକୁ ୧୨୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ସେଠାରେ ଏକାଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି। ହସ୍ପିଟାଲରେ ପ୍ରତ୍ୟେକ ଦିନ ୮/୧୦ଟି ଅସ୍ତ୍ରୋପଚାର ହେଉଛି। ସପ୍ତାହର ପ୍ରତ୍ୟେକ ଦିନ ଜଣେ ଲେଖାଏଁ ଡାକ୍ତରଙ୍କ ଅଫ୍ ବା ଛୁଟି ଦିନ ରହିଥିବା ବେଳେ ୩ଜଣ ଡାକ୍ତର କିଭଳି ଗୋଟିଏ ବିଭାଗକୁ ଚଳାଇବେ ତାହା ହସ୍ପିଟାଲ କର୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରୁ ବଦଳି ହୋଇଥିବା ଡାକ୍ତରଙ୍କ ବଦଳରେ ଅନ୍ୟ ସ୍ଥାନରୁ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ସର୍ଜରି ବିଭାଗକୁ ମଧ୍ୟ ଡାକ୍ତର ଦିଆଯାଇଛି। ସେ ଖୁବଶୀଘ୍ର କ୍ୟର୍ଯ୍ୟରେ ଯୋଗ ଦେବେ ବୋଲି ଡା.ପଟ୍ଟନାୟକ କହିଛନ୍ତି।