କେବେ ହେବ ମଡେଲ ହସ୍ପିଟାଲ?, ଘୋଷଣା ପ୍ରହସନ କାମ ଶୂନ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ ହସ୍ପିଟାଲ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା କରୁଛନ୍ତି। ଏଥିପାଇଁ ନିୟମିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ଅନେକ ନୂଆ ନୂଆ ସ୍ବାସ୍ଥ୍ୟସେବା କାର୍ଯ୍ୟକାରୀ କରିବା ପାଇଁ ଘୋଷଣା ହୋଇଛି। ଅନେକ ସମୟରେ କେନ୍ଦ୍ର ଓ ଉଚ୍ଚ ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରୁଛନ୍ତି। ଏସବୁକୁ ନଜରରେ ରଖି ହସ୍ପିଟାଲ ଢାଞ୍ଚାରେ ପରିବର୍ତନ ଆଣିବା ପାଇଁ ନିଷ୍ପତ୍ତି ନିଆଯାଉଛି। ହେଲେ ଗତ ୨ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ସେବା ଦେବା ପାଇଁ ଘୋଷଣା ହୋଇଥିଲା ତହିଁରୁ ଗୋଟିଏ ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହା ଭିତରେ ସ୍ବାସ୍ଥ୍ୟ ବିଭାଗର ଏକାଧିକ ଅଧିକାରୀଙ୍କ ସମେତ ହସ୍ପିଟାଲର ନିର୍ଦେଶକ ବଦଳି ଯାଇଥିବା ବେଳେ ନୂତନ ଭାବେ କାର୍ଯ୍ୟ କରୁଥିବା ଅଧିକାରୀ ଏସବୁ ସଂପର୍କରେ ଅଜଣା। ଫଳରେ ଏସବୁ ଘୋଷଣା କେବଳ କାଗଜପତ୍ରରେ ସୀମିତ ରହିଛି।

କୁଆଡ଼େ ଗଲା ଟ୍ରମା କେୟାର ୟୁନିଟ୍?
କ୍ୟାପିଟାଲ ହସ୍ପିଟାଲକୁ ଅଧିକ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସୁଥିବାରୁ ଏକ ଟ୍ରମା କେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ଏହା ଉଭୟ ରାଜଧାନୀ ସହିତ ଖୋର୍ଧା ଜିଲ୍ଲା ପାଇଁ ଫଳପ୍ରଦ ହୋଇପାରିବ। ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଗଲାଣି, ଟ୍ରମା କେୟାର ସେଣ୍ଟରର ଚିହ୍ନବର୍ଣ୍ଣ ନାହିଁ। ଏଥିପାଇଁ ବ୍ୟୟ ଅଟକଳ ହୋଇଥିବା ବେଳେ ବିଭାଗର ନାଲିଫିତା ତଳେ ଏହି ନିଷ୍ପତ୍ତି ଅଟକି ରହିଛି। ରାଜଧାନୀରେ ଦୁର୍ଘଟଣାକୁ ନଜରରେ ରଖି ଏକ ଟ୍ରମାକେୟାର ସେଣ୍ଟରର ଆବଶ୍ୟକତା ରହିଥିବା ବେଳେ ବିଭାଗ କେବଳ ଏହି ସେଣ୍ଟର ପାଇଁ ଘୋଷଣା କରିଦେଇ ଚୁପ୍ ବସିଛି।

ଧିମେଇ ଚାଲିଛି ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥା
କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ରେଜିଷ୍ଟ୍ରେସନ୍‌ଠାରୁ ଆରମ୍ଭ କରି ରୋଗୀଙ୍କ ରେକର୍ଡ ସବୁ କିଛି କମ୍ପ୍ୟୁଟର୍‌ରେ ସଂରକ୍ଷିତ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛିବର୍ଷ ହେବ ଏଭଳି ନିଷ୍ପତ୍ତି ନିଆଯାଇଛି। ମାତ୍ର କିଭଳି ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଯିବ, ତାହା ସ୍ବାସ୍ଥ୍ୟ ବିଭାଗ ସ୍ଥିର କରିପାରୁନାହିଁ। ନିକଟରେ ନୂତନ ଭାବେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ଗ୍ରହଣ କରିଥିବା ମନ୍ତ୍ରୀ ନବ କିଶୋର ଦାସ ଏହାର ସମୀକ୍ଷା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ ବାଦ୍ ଏସ୍‌ସିବି ମେଡିକାଲ କଲେଜରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ, ତାହାକୁ ଅପେକ୍ଷା।

ନାଲି ଫିତା ତଳେ ତରଳ ଅକ୍ସିଜେନ୍ ପ୍ଲାଣ୍ଟ
କ୍ୟାପିଟାଲ ହସ୍ପିଟାଲରେ ଏକ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ସ୍ବାସ୍ଥ୍ୟ ବିଭାଗ। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ଏକ କମିଟି ଗଠନ ହୋଇଥିଲା। କିଭଳି ଢଙ୍ଗରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ ଓ ଏଥିପାଇଁ କେତେ ଟଙ୍କା ଖର୍ଚ କରାଯିବ ତାହାର ଏକ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ପାଇଁ କମିଟିକୁ ନିର୍ଦେଶ ଦିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଏବେ ସିଲିଣ୍ତର ଜରିଆରେ ଅକ୍ସିଜେନ୍‌ ପ୍ରଦାନ କରାଯାଉଛି। ବାହାରୁ ଅକ୍ସିଜେନ୍‌ ଅଣାଯାଇ ହସ୍ପିଟାଲର ବିଭିନ୍ନ ଵାର୍ଡକୁ ଯୋଗା ଯାଉଛି। କେବଳ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଓ ସିଏନ୍‌ସିୟୁକୁ ସେଣ୍ଟ୍ରାଲି ଅକ୍ସିଜେନ୍‌ ଦିଆଯାଉଛି। ଫଳରେ ଜରୁରୀ ପରିସ୍ଥିତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ଅକ୍ସିଜେନ୍‌ ନେବାରେ ସମସ୍ୟା ହେଉଛି। ତେଣୁ ତରଳ ଅକ୍ସିଜେନ୍ ପ୍ଲାଣ୍ଟ ଏ ଦିଗରେ ସହାୟକ ହୋଇଥାନ୍ତା। ମାତ୍ର କମିଟି କ’ଣ ରିପୋର୍ଟ ଦେଲା ଓ ଏ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ନିଶା ନିବାରଣ କେନ୍ଦ୍ରର ଚିହ୍ନବର୍ଣ୍ଣ ନାହିଁ
କ୍ୟାପିଟାଲ ହସ୍ପିଟାଲରେ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଏକ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏପରିକି ୨ବର୍ଷ ତଳେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ହସ୍ପିଟାଲରେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲି ପାରିଲା ନାହିଁ। କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ଶିଶୁଭବନରେ ପ୍ରଥମେ ଏହି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଦୀର୍ଘଦିନ ଧରି ସେଠାରେ ଏହି କେନ୍ଦ୍ର ଖୋଲିବ କି ନାହିଁ ତାହାକୁ ନେଇ ତର୍କ ବିତର୍କ ଚାଲିବା ପରେ ଏହି ନିଷ୍ପତ୍ତିରୁ କର୍ତୃପକ୍ଷ ଓହରି ଯାଇଥିଲେ। ପରବର୍ତୀ ସମୟରେ ଏହାକୁ ସ˚କ୍ରମଣ ରୋଗ ବା ଆଇଡି ଵାର୍ଡ ନିକଟରେ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ମଧୢ ନିଷ୍ପତ୍ତିରେ ରହିଯାଇଛି। ଏଥିପାଇଁ ଏକ ଜଏଣ୍ଟ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ଏଥିରେ ଟଙ୍କା ମଧ୍ୟ ଦିଆଯାଇଛି। ମାତ୍ର ଜାଗା ଚିହ୍ନଟ ହୋଇନାହିଁ କି ଆବଶ୍ୟକ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। ଅପରପକ୍ଷରେ ହସ୍ପିଟାଲ ପରିସରରେ ରୋଗୀଙ୍କ ସହିତ ନିଶାଡ଼ିମାନଙ୍କ ଚିକିତ୍ସା ସମୟରେ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରି କର୍ମଚାରୀମାନେ ଏହାକୁ ନାପସନ୍ଦ କରିଥିଲେ। ଏସବୁ ସତ୍ତ୍ବେ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇନାହିଁ।

ଘୋଷଣାରେ ସୀମିତ ମେରୁଦଣ୍ଡ ଆଘାତ କେନ୍ଦ୍ର
କ୍ୟାପିଟାଲ ହସ୍ପିଟାଲରେ ମେରୁଦଣ୍ଡ ଆଘାତ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ୨ କୋଟି ୩୩ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟ ହୋଇଥିଲା। ଏହି କେନ୍ଦ୍ରରେ ବହିର୍ବିଭାଗ, ୧୨ଟି ସ୍ବତନ୍ତ୍ର ଶଯ୍ୟା, ଅତିରିକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ସହ ଅସ୍ଥି ବିଭାଗର ଅସ୍ତ୍ରୋପଚାର ଗୃହକୁ ବ୍ୟବହାର କରାଯିବ ବୋଲି କୁହାଯାଇଥିଲା। ଏହାସହ ଥଇଥାନ ସୁବିଧା ଉପଲବ୍ଧ ସହ ଆର୍ଥୋଟିକ୍‌ ଓ ପ୍ରୋସ୍ଥେଟିକ ବିଭାଗ ଓ ଅସିଷ୍ଟିଭ୍‌ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଶିକ୍ଷା ଓ ତାଲିମ୍‌ ବ୍ୟବସ୍ଥା କରାଯିବ ବୋଲି ଯୋଜନା ହୋଇଥିଲା। ହେଲେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଟା ଖଣ୍ଡେ ବି ଯୋଡ଼ି ହୋଇପାରିଲା ନାହିଁ। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି କେଉଁଠି ଲଟକିଛି ତାହା ଜଣାପଡ଼ୁନାହିଁ।

କେବେ ସରିବ ହାଇବ୍ରିଡ୍ ଟଏଲେଟ୍‌ ନିର୍ମାଣ?
ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ହସ୍ପିଟାଲ ପରିସରରେ କୌଣସି ଶୌଚାଳୟର ବ୍ୟବସ୍ଥା ନାହିଁ। ହସ୍ପିଟାଲର ଏଠି ସେଠି ଲୋକମାନେ ପରିସ୍ରା କରୁଛନ୍ତି। ଫଳରେ ହସ୍ପିଟାଲରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ସ୍ବଚ୍ଛ ଭାରତ ଅଭିଯାନ ପ୍ରତି ଏହା ଉପହାସ। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ୧୦ଟି ହାଇବ୍ରିଡ୍ ଟଏଲେଟ୍ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୨ବର୍ଷ ତଳେ ଏଥିପାଇଁ ଶୁଭ ଦିଆଯିବା ପରେ ଏହାର ନିର୍ମାଣ କାର୍ଯ୍ୟ ଅଧାରେ ଲଟକିଛି। ଏମ୍‌ସିଏଚ୍ ବିଲ୍ଡିଂ ନିକଟରେ ଏହାର ନିର୍ମାଣ କରାଯାଉଥିଲେ ହେଁ କେବେ ଏହାର ନିର୍ମାଣ କାର୍ଯ୍ୟ ସରିବ କେହି କହିପାରୁ ନାହାନ୍ତି। ହସ୍ପିଟାଲ ପରିସରରେ ଶୌଚାଳୟ ରହିବା ଏକ ସାଧାରଣ ସ୍ବାସ୍ଥ୍ୟ ସଚେତନତା ହୋଇଥିବା ବେଳେ ଏହା ପଛର ଅବହେଳା ବୁଝା ପଡ଼ୁନାହିଁ।

ସମ୍ବନ୍ଧିତ ଖବର