କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଅସ୍ଥାୟୀ ଜ୍ବର ଓପିଡି: ଦୁଇ ଦିନରେ ୨୮୧ କରୋନା ପଜିଟିଭ୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିସରରେ ଅସ୍ଥାୟୀ ଜ୍ବର ଓପିଡି ଖୋଲିଛି। ଗତକାଲି ପ୍ରଥମ ଦିନରେ ୧୬୬ ଜଣ ପରୀକ୍ଷା କରିଥିବା ବେଳେ ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୧୫ ଜଣ ରୋଗୀଙ୍କ ମଧ୍ୟରୁ ୧୭୦ ଜଣର କରୋନା ପଜିଟିଭ୍‌ ଆସିଛି। ଅସ୍ଥାୟୀ ଶିବିରରେ ରୋଗୀମାନଙ୍କ ପଞ୍ଜୀକରଣ କରାଯିବା ସହିତ ଚିକିତ୍ସା, ଡାକ୍ତରୀ ପରାମର୍ଶ ଓ ଔଷଧ ବିତରଣ ମଧ୍ୟ କରାଯାଉଛି। ଦୈନିକ ଓପିଡି ସମୟରେ ଏହା ଚାଲୁ ରହିଛି। ଆଗକୁ ଏହି ସେବା ଅଧିକ ସମୟ ଖୋଲା ଯିବା ନେଇ ହସ୍ପିଟାଲ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଜି ପୁଣି ୬ ଜଣ ହସ୍ପିଟାଲ କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ପିଟାଲରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କରୋନା ଅଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ଅନ୍ୟ ରୋଗୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା କ୍ୟାପିଟାଲ ହସ୍ପିଟାଲର ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ କାଜୁଆଲିଟିରେ ଜଣେ ଏଲଟିଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଠାରୁ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ରୋଗୀ କଲ୍ୟାଣ ସମିତି(ଆରକେଏସ) ବୈଠକକୁ ବାତିଲ କରାଯାଇଛି। ଏହି ବୈଠକକୁ ବାତିଲ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ଡିସେମ୍ବର ୨୭ ତାରିଖରେ ଏହି ବୈଠକ ହେବାକୁ ଥିଲା। କିନ୍ତୁ ଜିଲ୍ଲାପାଳ ଯୋଗ ଦେଇ ନ ପାରିବାରୁ ବୈଠକକୁ ଜାନୁଆରି ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ନିର୍ବାଚନ ପରେ ଏହି ବୈଠକ ପାଇଁ ତାରିଖ ଘୋଷଣା କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର