କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି

ଆଜି ନାଲକୋ ସହିତ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ବୁଝାମଣା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଅତ୍ୟାଧୁନିକ ମଡ୍ୟୁଲାର ଓଟି। ଏନେଇ ନାଲକୋ ନିଜର ସମ୍ମତି ଦେଇସାରିଛି। ଆସନ୍ତାକାଲି ଏ ସଂପର୍କରେ ହସ୍ପିଟାଲ କର୍ତୃପକ୍ଷଙ୍କ ସହିତ ବୁଝାମଣା ହେବ ବୋଲି ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲରେ ଏବେ ଚାଲିଥିବା ଅସ୍ତ୍ରୋପଚାର ଗୃହ ବା ଓଟି ପୁରୁଣା ହୋଇଗଲାଣି। ରାଜଧାନୀର ଅନେକ ଘରୋଇ ହସ୍ପିଟାଲରେ ଅତ୍ୟାଧୁନିକ ମଡ୍ୟୁଲାର ଓଟିରେ କାର୍ଯ୍ୟ କରୁଛନ୍ତି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଏକ ମଡ୍ୟୁଲାର ଓଟି ନିର୍ମାଣ କରିବା ପାଇଁ ନାଲକୋ ରାଜି ହୋଇଛି। ଏଥିପାଇଁ ନାଲକୋ ପକ୍ଷରୁ ୪କୋଟି ଟଙ୍କା ପ୍ରଦାନ କରାଯିବ। ମଡ୍ୟୁଲାର ଓଟି ପାଇଁ ୨ କୋଟି ଟଙ୍କା ଖର୍ଚ ହେବ। ଏହାସହ ୨ଟି ସାଧାରଣ ଓଟି ୨କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ମଡ୍ୟୁଲାର ଓଟି ସାଧାରଣ ଭାବେ ବ୍ୟାକ୍ଟେରିଆ, ଜୀବାଣୁ ଓ ଧୂଳିମୁକ୍ତ ହୋଇଥାଏ। ଏହାର ଧାତବ କାନ୍ଥ ଲାଗିଥାଏ। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଏହି ମଡ୍ୟୁଲାର ଓଟି ନିର୍ମାଣ ପାଇଁ ଦୀର୍ଘଦିନ ହେବ ଦାବି ହେଉଥିଲା। ତେବେ ଆସନ୍ତାକାଲି ଏ ସଂପର୍କରେ ସମସ୍ତ ନିଷ୍ପତ୍ତି ନିଆଯିବ।

ଅପରପକ୍ଷରେ ହସ୍ପିଟାଲରେ ଥିବା ପୁରୁଣା ସ୍ତ୍ରୀ ଓ ପ୍ରସୂତି ଓ୍ଵାର୍ଡକୁ ନାଲକୋ କମ୍ପ୍ଲେକ୍ସ ନାଁରେ ନାମିତ କରାଯିବ। ଏଠାରେ ଅସ୍ଥିଶଲ୍ୟ, ଅସ୍ତ୍ରୋପଚାର ଓ ଇଏନ୍‌ଟି ବିଭାଗ କାର୍ଯ୍ୟ କରିବ। ସେହିପରି ହସ୍ପିଟାଲର ପାଥୋଲୋଜିର ନାମ ପରିବର୍ତନ କରାଯାଇ ରେଜିଓନାଲ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ବା ଆରଡିସିରେ ନାମିତ କରାଯିବ। ଏହାର ତଳ ମହଲାରେ ସି.ଟି ସ୍କାନ୍‌, ଅଲଟ୍ରା ସାଉଣ୍ଡ, ଡିଜିଟାଲ ଓ ସାଧାରଣ ଏକ୍ସ-ରେ କାର୍ଯ୍ୟ କରିବ। ପ୍ରଥମ ମହଲାରେ ମାଇକ୍ରୋ ବାଇଓଲୋଜି, ବାଇଓ କେମିଷ୍ଟ୍ରି ଓ ପାଥୋଲୋଜି କାର୍ଯ୍ୟ କରିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ହସ୍ପିଟାଲରେ ଥିବା ସିଟି ସ୍କାନ୍‌ ଓ ଅଲଟ୍ରା ସାଉଣ୍ଡ ମେସିନ୍‌ ବହୁତ ପୁରଣା ହୋଇଗଲାଣି। ତେଣୁ ପିପିପି ମୋଡରେ ହସ୍ପିଟାଲରେ ଏକ ନୂତନ ସିଟି ସ୍କାନ୍‌ ମେସିନ୍‌ ଲଗାଇବା ପାଇଁ ଯୋଜନା ହୋଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ଅଲଟ୍ରା ସାଉଣ୍ଡ ମେସିନ୍‌ ଯୋଗାଇ ଦେବାକୁ ହସ୍ପିଟାଲ କର୍ତୃପକ୍ଷ ଅନୁରୋଧ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ସି.ଆର୍‌ ଦାସ କହିଛନ୍ତି, ହସ୍ପିଟାଲରେ ମଡ୍ୟୁଲାର ଓଟି ପାଇଁ ନାଲକୋ ସହ ଆଲୋଚନା ହୋଇଛି। ନାଲକୋ ସିଏମ୍‌ଡି ଏଥିପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ନାଲକୋର ବରିଷ୍ଠ ଅଧିକାରୀ ହସ୍ପିଟାଲକୁ ଆସି ଏ ସଂପର୍କରେ ଆଲୋଚନା କରିବେ। ଏଥିପାଇଁ ନାଲକୋ ୪କୋଟି ଟଙ୍କା ଯୋଗାଇ ଦେବ। ସେହିପରି ପୁରୁଣା ସ୍ତ୍ରୀ ଓ ପ୍ରସୂତି ଓ୍ଵାର୍ଡକୁ ନାଲକୋ କମ୍ପ୍ଲେକ୍ସରେ ନାମିତ କରିବା ପାଇଁ ଯୋଜନା ହୋଇଛି। ଶିଶୁ ଓ୍ଵାର୍ଡ ଇନଫୋସିସ୍‌ ନାମରେ ନାମିତ ହୋଇଥିବା ବେଳେ ନାଲକୋ କମ୍ପ୍ଲେକ୍ସରେ ଅସ୍ଥିଶଲ୍ୟ, ଅସ୍ତ୍ରୋପଚାର ଓ ଇଏନ୍‌ଟି ବିଭାଗ କାର୍ଯ୍ୟ କରିବ ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର