କ୍ୟାପିଟାଲ୍‌ ହସ୍ପିଟାଲ୍‌ : ରୋଗୀ ତଳେ ଗଡ଼ୁଛନ୍ତି, ଅଧିକାରୀ ଅୟସରେ

ନିର୍ଦ୍ଦେଶକ, ଅଧୀକ୍ଷକ ଓ ଉପ-ଅଧୀକ୍ଷକଙ୍କର ଦୁଇଟି ଲେଖାଏଁ ରୁମ୍‌, ଦରକାର ବେଳେ ଅଧିକାରୀଙ୍କୁ ପାଉ ନଥିବା ରୋଗୀଙ୍କ ଅଭିଯୋଗ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଶଯ୍ୟା ନଥିବାରୁ ହସ୍ପିଟାଲ ବାରଣ୍ଡାରେ ରୋଗୀ ଗଡ଼ୁଛନ୍ତି। ଏପରିକି ଖରା, ବର୍ଷା ମାଡ଼ ଖାଇ ପଡ଼ିକି ଅଛନ୍ତି। ରୋଗୀଙ୍କ ସମ୍ପର୍କୀୟମାନେ ରାସ୍ତାରେ ଶୋଇ ରାତି କାଟୁଛନ୍ତି। ଅଥଚ ହସ୍ପିଟାଲର ତିନି ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକ, ଅଧୀକ୍ଷକ, ଉପଅଧୀକ୍ଷକ ଏବେ ଦୁଇଟି ଲେଖାଏଁ ରୁମ୍ ମାଡ଼ି ବସିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ପ୍ରଶାସନିକ ବିଲଡିଂର ତଳ ମହଲାରେ ଗୋଟିଏ, ଉପର ମହଲାରେ ଗୋଟିଏ ଲେଖାଏଁ ରୁମ୍ ରଖିଛନ୍ତି ହସ୍ପିଟାଲର ନିର୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ, ଅଧୀକ୍ଷକ ଡା. ନାରାୟଣ ସେଠୀ ଓ ଉପ-ଅଧୀକ୍ଷକ ଡା. ଧନଞ୍ଜୟ ଦାସ। ଯେତେବେଳେ ଇଚ୍ଛା ଯେଉଁଠି ହେଉଛି ସେଠାରେ ବସୁଛନ୍ତି। କେତେବେଳେ କିଏ କେଉଁଠି ବସୁଛନ୍ତି, ରୋଗୀମାନେ ଖୋଜିଲେ ବି ପାଉନାହାନ୍ତି। ଗୋଟିଏ ପଟେ ହସ୍ପିଟାଲରେ ଆବଶ୍ୟକୀୟ ଶଯ୍ୟା ନଥିବାରୁ ରୋଗୀ ତଳେ ଗଡ଼ୁଥିବାବେଳେ, ହସ୍ପିଟାଲର ତିନି ବରିଷ୍ଠ ଅଧିକାରୀ ଅୟସ କରିବା ପାଇଁ ଦୁଇଟି ଲେଖାଏଁ ରୁମ୍‌ ନିଜ ଅକ୍ତିଆରରେ ରଖିବା ଏହି ଅଧିକାରୀଙ୍କର ରୋଗୀଙ୍କ ପ୍ରତି ଥିବା ସହାନୁଭୂତି ଏବଂ ସରକାରୀ ଅର୍ଥକୁ ଅପଚୟ କରିବାର ମନୋବୃତ୍ତିକୁ ଦର୍ଶାଉଛି।

କ୍ୟାପିଟାଲ ହସ୍ପିଟାଲର କୌଣସି ୱାର୍ଡକୁ ପଶିଗଲେ ଏହା କିପରି ଦୁରାବସ୍ଥାରେ ଅଛି ତାହା ଜଣାପଡ଼ିଯିବ। କେଉଁଠି ଫ୍ୟାନ୍ କେଁ କେଁ କରି ବୁଲୁଛି ତ କେଉଁଠି ବେଡ୍‌ରେ ପଡ଼ୁଥିବା ‌େବଡସିଟ୍‌ ଦିନ ଦିନ ଧରି ବଦଳୁନି। ବେଡ୍‌ ଉପରେ ଯେତିକି ରୋଗୀ, ତଳେ ତା’ଠାରୁ ବହୁଗୁଣା ରୋଗୀ ଗଡ଼ୁଛନ୍ତି। ଅପରିଷ୍କାର, ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରୋଗୀମାନେ ରହୁଛନ୍ତି। କିନ୍ତୁ ଏହି ତିନି ଅଧିକାରୀଙ୍କ ଦୁଇଟି ରୁମ୍‌ରେ ଏସି, ଫ୍ୟାନ୍, ଦାମୀ ସୋଫା, ଲାଇଟ୍‌ ସବୁ ଲାଗିଛି। ଦିନକୁ ଦୁଇଥର ଝାଡ଼ୁଦାର ସଫା କରୁଛି। ଚେୟାରରେ ପଡ଼ୁଥିବା ଟାୱେଲ୍‌ ପ୍ରତିଦିନ ବଦଳୁଛି।

ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶକ ପଦ ସୃଷ୍ଟି ହେବା ପୂର୍ବରୁ ମୁଖ୍ୟ ମେଡିକାଲ ଅଧିକାରୀ ବା ସିଏମ୍‌ଓ ପଦ ରହିଥିଲା। ଏହି ସମୟରେ ସିଏମ୍‌ଓଙ୍କର ଦୁଇଟି ରୁମ୍ ରହିଥିଲା। ଗୋଟିଏରେ ରୋଗୀ ଦେଖୁଥିଲେ ଓ ଅନ୍ୟଟି‌‌ରେ ପ୍ରଶାସନିକ କାର୍ଯ୍ୟ କରୁଥିଲେ ସିଏମ୍‌ଓ। ପରବର୍ତୀ ସମୟରେ ସିଏମ୍‌ଓ ପଦ ଉଚ୍ଛେଦ କରାଯାଇ ନିର୍ଦେଶକ ପଦ ଓ ଅଧୀକ୍ଷକ ପଦ ସୃଷ୍ଟି କରାଯାଇଥିଲା। ସିଏମ୍‌ଓ ପଦବି ଥିବାବେଳେ ହସ୍ପିଟାଲରେ ଥିବା ହସ୍ପିଟାଲ ପରିଚାଳକ ବା ଏଚ୍‌ଏ ପଦ ଉଚ୍ଛେଦ ହୋଇଥିଲା। ତେଣୁ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ ଖାଲି ରହିଥିଲା। ଏହାସହ ପୂର୍ବରୁ ରହିଥିବା ଉପ-ଅଧୀକ୍ଷକ ପଦ ହସ୍ପିଟାଲରେ ବଜାୟ ରହିଛି। ମାତ୍ର ଧୀରେଧୀରେ ଅଧୀକ୍ଷକ ଓ ଉପ-ଅଧୀକ୍ଷକଙ୍କ ନୂଆ ରୁମ୍ ତିଆରି ହୋଇଥିଲା। ନିର୍ଦ୍ଦେଶକଙ୍କ ପାଇଁ ବି ନୂଆ ରୁମ୍‌ ହେଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏସବୁ ରୁମ୍ ତିଆରି ହେଲା। ହେଲେ ବାବୁମାନେ ନୂଆ ରୁମ୍‌ ସାଙ୍ଗକୁ ପୂର୍ବରୁ ଥିବା ପୁରୁଣା ରୁମ୍‌କୁ ବି ରଖିଲେ। ଏପଟେ ଶହଶହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ରୁମ୍‌ ନଥିବାବେଳେ ତିନି ବାବୁଙ୍କ କବ୍‌ଜାରେ ତିନିଟି ରୁମ୍‌ ରହିଛି।

ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ଏବେ ମହିଳା ଭେଷଜ ୱାର୍ଡର ନବୀକରଣ ଚାଲିଛି। ଏଥିପାଇଁ ରୋଗୀମାନଙ୍କୁ ମହିଳା ସର୍ଜରି ୱାର୍ଡ ନିକଟରେ ଥିବା ବାରଣ୍ଡାକୁ ସ୍ଥାନାନ୍ତର କରାଯାଇଛି। ବାରଣ୍ଡାରେ ରୋଗୀମାନେ ଗରମରେ ସିଝିବା ସହ ବର୍ଷାରେ ଓଦା ହେଉଛନ୍ତି। ଏହାକୁ ବାଦ୍ ଦେଲେ ଶିଶୁ ୱାର୍ଡରେ ମଧ୍ୟ ଅନେକ ସମୟରେ ଶଯ୍ୟା ଅଭାବରୁ ରୋଗୀମାନଙ୍କୁ ତଳେ ଶୋଇବାକୁ ପଡ଼ୁଛି। ହେଲେ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଏକାଧିକ ରୁମ୍‌ ନିଜ କବ୍‌ଜାରେ ରଖିବା ନେଇ ଚାରିଆଡ଼େ ସମାଲୋଚନା ହେଉଛି।

ରୋଗୀଙ୍କ କହିବା କଥା, ଅଧିକାଂଶ ସମୟରେ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ କେଉଁ ରୁମ୍‌ରେ କେତେବେଳେ ବସୁଛନ୍ତି, ତା‌ହା ଜଣାପଡ଼ୁନି। ଦେହ ଖରାପ ଥିବା ସମୟରେ ବି କୌଣସି କାମ ପାଇଁ ଅଧିକାରୀଙ୍କୁ ଭେଟିବାକୁ ଯିବା ସମୟରେ ଯଦି ଅଧିକାରୀ ନ ଥିବେ, ତା’ ହେଲେ ଶିଡ଼ି ଚଢ଼ି ଉପର ମହଲାକୁ ଯିବାକୁ ପଡ଼ୁଛି।

ଅପରପକ୍ଷେ କର୍ମଚାରୀ ମହଲରେ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ଦୁଇଟି ଲେଖାଏଁ ରୁମ୍‌କୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଅନେକ ଏହାକୁ ନାପସନ୍ଦ କରିଛନ୍ତି। ଏସବୁ ରୁମ୍ ପାଇଁ‌ ଯେଉଁ ଖର୍ଚ ହୋଇଛି, ତାହାକୁ ରୋଗୀଙ୍କ ପାଇଁ ଖର୍ଚ କରାଯାଇ ପାରିଥାନ୍ତା ବୋଲି କର୍ମଚାରୀମାନେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର