ଇ-ରିକ୍ସା, ଆମ୍ବୁଲାନ୍‌ସ ପାଇଁ ଆଗୁଆ ଟଙ୍କା ଦିଅ

କ୍ୟାପିଟାଲ ହସ୍ପିଟାଲର ଆରକେଏସ୍‌ ବୈଠକ, ସଂକ୍ରମଣ ୱାର୍ଡ ପାଇଁ ଜେନେରେଟର ଓ ଇନଭର୍ଟର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଆସିଥିବା ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଆସିଥିବା ଇ-ରିକ୍ସାକୁ ମରାମତି କରାଯିବ। ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ ହେବ। ଇ-ରିକ୍ସା ଆସିବା ଦିନଠାରୁ ବାରମ୍ବାର ଦୁର୍ଘଟଣାର ଶିକାର ଓ ବେଆଇନ ପରିଚାଳନା ଯୋଗୁଁ ଇ-ରିକ୍ସା ରୋଗୀଙ୍କୁ ସେବା ପରିବର୍ତେ ଅଧିକାଂଶ ସମୟ ଅଚଳ ରହୁଛି। ଯାହାକି ହସ୍ପିଟାଲ କର୍ତୃପକ୍ଷଙ୍କ ପାଇଁ ଘୋଡ଼ା ଛ’ ଟଙ୍କାକୁ ଦାନା ନ’ଟଙ୍କା ଭଳି ହୋଇଛି। ତେବେ ଆଜି ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର (ଆରକେଏସ)କାର୍ଯ୍ୟକାରୀ ପରିଷଦ ବୈଠକରେ ଏହାକୁ ମରାମତି ପାଇଁ ଆଲୋଚନା ହୋଇଛି। ମରାମତି ପାଇଁ ହସ୍ପିଟାଲ କର୍ତୃପକ୍ଷ ସିଧାସଳଖ କିମ୍ବା ଟେଣ୍ଡର ଜରିଆରେ ଏହାକୁ କାର୍ଯ୍ୟକାରୀ କରିବେ ତାହା ସ୍ଥିର ହୋଇନାହିଁ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ କାର୍ଯ୍ୟକାଳ ସମୟରେ ସାଂସଦ ପାଣ୍ଠିରୁ ୨ଟି ଇ-ରିକ୍ସା କିଣା ଯାଇଥିଲା। କାଜୁଆଲଟିରୁ ଏମ୍‌ସିଏଚ୍ ବିଲ୍ଡିଂ ଓ ଆଇଡିଏଚ୍‌ ୱାର୍ଡକୁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ମାତ୍ର ରୋଗୀଙ୍କ ସେବା ବଦଳରେ ଏହା ଅଧିକାଂଶ ସମୟ ଅଚଳ ରହିଥିଲା। କେତେବେଳେ ବ୍ୟାଟେରି ନାହିଁ ତ ଆଉ କେତେବେଳେ ବେପୁରଆ ଗାଡ଼ି ଚାଳନା ପାଇଁ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଏବେ ଏହାକୁ ମରାମତି କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ କରାଯିବ। ସେହିପରି ହସ୍ପିଟାଲରେ ରହିଥିବା ଆମ୍ବୁଲାନ୍‌ସ ରୋଗୀ ସେବା କମ୍ ଅଧିକାଂଶ ସମୟ ଭିଆଇପିଙ୍କ ସେବାରେ ଲାଗୁଛି। ତେବେ ଏହି ଆମ୍ବୁଲାନ୍‌ସର ତେଲ ଖର୍ଚ ବାବଦରେ ଆଗୁଆ ୫୦ହଜାର ଟଙ୍କା ପ୍ରଦାନ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି। କେଉଁ କ୍ଷେତ୍ରରୁ ଏଥିପାଇଁ ଟଙ୍କା ଦିଆଯିବ ତାହା ଜଣାପଡ଼ିନାହିଁ।

ସଂକ୍ରମଣ ୱାର୍ଡରେ ଜେନେରେଟର ଓ ଇନଭର୍ଟର ଯୋଗାଇ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ହସ୍ପିଟାଲରେ ରୋଗୀମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଟେଣ୍ଡର ଜରିଆରେ ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ସଂସ୍ଥାକୁ ପ୍ରତି ରୋଗୀ ପିଛା ୫୦ଟଙ୍କା ରହିଥିବା ବେଳେ ଏବେ ଏହି ଦର ୮୫କୁ ସରକାର ବୃଦ୍ଧି କରିଛନ୍ତି। ଏ ପରିପ୍ରେକ୍ଷୀରେ ଟେଣ୍ଡର ଜରିଆରେ ନୂତନ ସଂସ୍ଥାକୁ ଟେଣ୍ଡର ଜରିଆରେ ଖାଦ୍ୟ ଯୋଗାଣ ଦାୟିତ୍ବ ପ୍ରଦାନ କରିବା ପାଇଁ ଆଲୋଚନା ହୋଇଛି। ଏହାସହ ହସ୍ପିଟାଲର ରୋଷଶାଳାର ମଧ୍ୟ ନବୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲ ପରିସରରେ ଅନେକ ଉଠାଦୋକାନୀ ନିଜର ପସରା ଖୋଲିଛନ୍ତି। ଅପରପକ୍ଷରେ ହସ୍ପିଟାଲ ପରିସରରେ ଏକ ୟୁଟିଲିଟି କମ୍ପ୍ଲେକ୍ସ ରହିଛି। ଏଭଳି ପରିପ୍ରେକ୍ଷୀରେ କେଉଁ ପରିସ୍ଥିତିରେ ବାହାର ବ୍ୟବସାୟୀମାନେ ଆସି ହସ୍ପିଟାଲ ପରିସରରେ ବେପାର କରୁଛନ୍ତି ତାହାକୁ ନେଇ ବୈଠକରେ ପ୍ରଶ୍ନ ଉଠିଥିଲା। ତେଣୁ ବୁଲା ବେପାରୀଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ହସ୍ପିଟାଲର ନର୍ସିଂହୋମ୍ ନିକଟରେ ଏକ ମାଇନର ଓଟି ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ବିଶେଷକରି ଏଠାରେ ଡ୍ରେସିଂ ଭଳି ଛୋଟ କାର୍ଯ୍ୟ ହୋଇପାରିବ। ଆଜିର ବୈଠକରେ ଖୋର୍ଧ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସମେତ ହସ୍ପିଟାଲର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିରଳ କଇଁଛ ରଖିଲେନି, ନିରାଶ ହେଲେ ବୋଲବମ ଭକ୍ତ
ବାରଙ୍ଗ,୩୧/୭(ଇମିସ): ଆଶା ନେଇ ସୁଦୂର କେନ୍ଦୁଝରର ଜଣେ ବୋଲବମ୍ ଭକ୍ତ ଅପରାହ୍ନରେ ନନ୍ଦନକାନନକୁ ଆସିଥିଲେ। ସାଥୀରେ ଆଣିଥିଲେ ଉଦ୍ଧାର କରିଥିବା ଏକ ଷ୍ଟାର କଇଁଛକୁ। ଭାବିଥିଲେ କଇଁଛଟିକୁ ଦେଇ ପୁଣ୍ୟ ଅର୍ଜନ କରିବେ। ନନ୍ଦନକାନନ ଜନ୍ତୁ ବିଭାଗ ରେଞ୍ଜ ଅଫିସରଙ୍କୁ ସାକ୍ଷାତ କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେ ନଥିବାରୁ ଉପ ନିର୍ଦେଶକଙ୍କୁ ସାକ୍ଷାତ କରି କଇଁଛଟିକୁ ନନ୍ଦନକାନନରେ ରଖିବାକୁ କହିଥିଲେ। ଉପନିର୍ଦେଶକ ମନାକରିବାରୁ ନିରାଶ ହୋଇ ଫେରିଗଲେ। ଉଦ୍ଧାର କଇଁଛଟି ବିଲୁପ୍ତ ପ୍ରାୟ ବିରଳ ପ୍ରଜାତିର ଭାରତୀୟ ଷ୍ଟାର କଇଁଛ ବା ତାରକା କଇଁଛ। ତା ପିଠି ଖୋଳପାରେ ତାରକା ସଦୃଶ ଚିତ୍ରିତ ହୋଇଥିବାରୁ ନାମକରଣ ଏପରି ରଖାଯାଇଛି। ଏମାନେ ଭାରତ, ଶ୍ରୀଲଙ୍କା ଓ ପାକିସ୍ତାନର କଠିନ ଶୁଷ୍କ ବୁଦାଳିଆ ଜଙ୍ଗଲ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଏହି ପ୍ରଜାତିକୁ ବିପଦରେ ଥିବା ପ୍ରାଣୀ ବଂଶ ତାଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର