କ୍ୟାପିଟାଲ ହସ୍ପିଟାଲରେ ଇ-ରେଜିଷ୍ଟ୍ରେସନ୍ : ଇଏନ୍‌ଟି ଓ ଭେଷଜ ବିଭାଗରେ ପରୀକ୍ଷାମୂଳକ ଆରମ୍ଭ

ଆସିଲା ଫ୍ରିଜର, ସଂରକ୍ଷିତ ରହିପାରିବ ୮ ମୃତ‌ଦେହ

ଭୁବନେଶ୍ବର : ରୋଗୀସେବାକୁ ତ୍ବରାନ୍ବିତ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଇ-ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା ଆଜିଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ଦୁଇଦିନ ତଳେ ଏହି ବ୍ୟବସ୍ଥା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଇଣ୍ଟରନେଟ୍‌ରେ ସମସ୍ୟା ବାଧକ ସାଜିଥିଲା। ସବୁ ଠିକ୍‌ଠାକ୍ ରହିଲେ ଖୁବଶୀଘ୍ର ଏହାର ଉଦ୍‌ଘାଟନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲର ଇଏନ୍‌ଟି ଓ ଭେଷଜ ବିଭାଗ‌ରେ ଏହି ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଛି। ରେଜିଷ୍ଟ୍ରେସନ୍ କାଉଣ୍ଟରକୁ ଗଲା ପରେ ସେଠାରେ ରୋଗୀଙ୍କ ସମସ୍ତ ବାଇଓଡାଟା ସଂଗ୍ରହ କରାଯାଇ ଏକ ଟୋକନ୍ ଦିଆଯିବ। ଏହି ଟୋକନ୍‌ ନେଇ ରୋଗୀ ଆବଶ୍ୟକ ବିଭାଗ ନିକଟରେ ପହଞ୍ଚିବ। ସେଠାରେ ଡାକ୍ତରଙ୍କୁ ସାକ୍ଷାତ ପରେ ‘ନିରାମୟ’ କାଉଣ୍ଟର ସହ ରୋଗୀର ପ୍ରେସ୍‌କ୍ରିପସନ୍‌କୁ ଯୋଡ଼ି ଦିଆଯିବ। ଫଳରେ ରୋଗୀ କାଉଣ୍ଟର୍‌ରେ ପହଞ୍ଚିବା ପରେ ଆବଶ୍ୟକ ଔଷଧ ସଙ୍ଗେ ସଙ୍ଗେ ଯୋଗାଇ ଦିଆଯିବ। ବିନା କାଗଜପତ୍ରରେ ଏହି ସମସ୍ତ କାର୍ଯ୍ୟ କରାଯିବ। ଏବେ କେବଳ ଟୋକନ୍ ଦେଖାଇବା ପରେ ଡାକ୍ତର ରୋଗୀଙ୍କୁ ଦେଖିବେ। ଡାକ୍ତର ଏକ ପ୍ରିଣ୍ଟ ଆଉଟ୍ ନେଇ ରୋଗୀ ‘ନିରାମୟ’ କାଉଣ୍ଟରରୁ ଔଷଧ ନେବେ। ମାତ୍ର ପରବର୍ତୀ ସମୟରେ ଏହି ବ୍ୟବସ୍ଥାକୁ ‘ନିରାମୟ’ କାଉଣ୍ଟର ସହ ଯୋଡ଼ି ଦିଆଯିବ। ଫଳରେ ଡାକ୍ତରଙ୍କୁ ଭେଟିବା ପରେ ରୋଗୀ ସିଧାସଳଖ କାଉଣ୍ଟରକୁ ଆସି ଔଷଧ ପାଇପାରିବେ। ସି-ଡାକ୍ ଏହାର ସଫ୍‌ଟୱେୟାର ପ୍ରସ୍ତୁତ କରିଛି। ଏହାଦ୍ବାରା ରୋଗୀମାନଙ୍କ ରେକର୍ଡ ରଖାଯାଇ ପାରିବ। ଏହି ପାଇଲଟ୍‌ ପ୍ରକଳ୍ପ ସଫଳ ହେଲେ, ହସ୍ପିଟାଲର ଅନ୍ୟାନ୍ୟ ବିଭାଗଗୁଡ଼ିକରେ ମଧ୍ୟ ଇ-ରେଜିଷ୍ଟ୍ରେସନ୍  ସୁବିଧା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଡା. ଷଡ଼ଙ୍ଗୀଙ୍କ ସୂଚନା ମୁତାବକ, କ୍ୟାପିଟାଲ ହସ୍ପିଟାଲ ସମେତ ଏସ୍‌ସିବି ମେଡିକାଲ କଲେଜ, କଟକ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ୪ ହସ୍ପିଟାଲରେ ଏହା ସଫଳ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସିଏଚ୍‌ସି ସ୍ତରକୁ ମଧ୍ୟ ଏହି ବ୍ୟବସ୍ଥା ପହଞ୍ଚିବ। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ରୋଗୀମାନଙ୍କ କୌଣସି ରେକର୍ଡ ହସ୍ପିଟାଲ ନିକଟରେ ରହୁନାହିଁ। ଫଳରେ ସେମାନଙ୍କର ସ୍ବାସ୍ଥ୍ୟ ସଂପର୍କରେ ଜାଣିବା ସମ୍ଭବ ହେଉନାହିଁ। ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ରୋଗୀଙ୍କ ସ୍ବାସ୍ଥ୍ୟ ସମସ୍ୟା ସହ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ରହିବ। ଆଗାମୀ ଦିନରେ ‘ମୋ ସରକାର’ ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ବ୍ୟବସ୍ଥା ଯୋଗୁଁ ରୋଗୀଙ୍କଠାରୁ ସ୍ବାସ୍ଥ୍ୟସେବା ସଂପର୍କରେ ସିଧାସଳଖ ସୂଚନା ମିଳିପାରିବ।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ରେଜିଷ୍ଟ୍ରେସନ୍ କାଉଣ୍ଟରକୁ ନେଇ ଦୀର୍ଘ ଦିନରୁ ସମସ୍ୟା ଲାଗି ରହିଛି। ଅଧିକାଂଶ ସମୟରେ ରେଜିଷ୍ଟ୍ରେସନ୍ କାଉଣ୍ଟରରେ କମ୍ପ୍ୟୁଟର, ପ୍ରିଣ୍ଟର ଖରାପ ଭଳି ସମସ୍ୟା‌ ଦେଖାଯାଉଥିଲା। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ପରବର୍ତୀ ସମୟରେ ହସ୍ପିଟାଲରେ ରେଜିଷ୍ଟ୍ରେସନ୍ କରୁଥିବା ସଂସ୍ଥାକୁ ପରିବର୍ତନ କରି ଅନ୍ୟ ଏକ ସଂସ୍ଥାକୁ ଏହାର ଦାୟିତ୍ବ ଦିଆଯାଇଛି। ତେବେ ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ସଂପୃକ୍ତ ସଂସ୍ଥା ହସ୍ପିଟାଲରେ କାର୍ଯ୍ୟ କରିବ କି ନାହିଁ, ସେ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଆସିଲା ଫ୍ରିଜର, ସଂରକ୍ଷିତ ରହିପାରିବ ୮ ମୃତ‌ଦେହ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଶବଗୃହ ପାଇଁ ଆଉ ଏକ ଫ୍ରିଜର୍‌ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଫଳରେ ଏବେ ହସ୍ପିଟାଲ ଶବଗୃହରେ ୮ଟି ମୃତଦେହ ସଂରକ୍ଷିତ ରହିପାରିବ। ହସ୍ପିଟାଲ ପକ୍ଷରୁ ଯଦିଓ ୨ଟି ଫ୍ରିଜର୍‌ ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିଲା, ମାତ୍ର ବିଭାଗ ପକ୍ଷରୁ ଗୋଟିଏ ମିଳିଛି।

ରାଜଧାନୀରେ ଯେତିକି ସଂଖ୍ୟକ ଶବ ବ୍ୟବଚ୍ଛେଦ ହେଉଛି, ତାହାର ୯୦ ପ୍ରତିଶତ କ୍ୟାପିଟାଲ ହସ୍ପିଟାଲରେ ହେଉଛି। ଦୁର୍ଘଟଣାଠାରୁ ଆରମ୍ଭ କରି କୌଣସି ଆକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ଶବ ଏଠାରେ ବ୍ୟବଚ୍ଛେଦ କରାଯାଉଛି। ଏଥିପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ଭାବେ ଜଣେ ଏଫ୍ଏମ୍‌ଟି ଡାକ୍ତର ରହିଛନ୍ତି। ବିଶେଷକରି ଅଜଣା ମୃତଦେହକୁ ଶବଗୃହରେ କିଛି ଦିନ ପାଇଁ ରଖାଯାଇଥାଏ। ରାଜଧାନୀରେ ମଧ୍ୟ ଦିନକୁ ଦିନ ଅଜଣା ମୃତଦେହ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ମୃତଦେହଗୁଡ଼ିକୁ ସଂରକ୍ଷିତ ରଖିବା ଜରୁରୀ ହୋଇପଡ଼ିଛି। ମାତ୍ର କ୍ୟାପିଟାଲ ହସ୍ପିଟାଲର ଶବଗୃହକୁ ନେଇ ଦୀର୍ଘ ଦିନ ହେବ ସମସ୍ୟା ଲାଗି ରହିଛି। ଅନେକ ସମୟରେ ଶବଗୃହରେ ଥିବା ଫ୍ରିଜର୍‌ ଖରାପ ହୋଇଯିବା ଓ ମରାମତିକୁ ନେଇ ସମସ୍ୟା ପାଇଁ ମୃତଦେହ ସଂରକ୍ଷଣକୁ ନେଇ ବିବାଦ ଉପୁଜୁଛି। ଏପରିକି ଅନେକ ସମୟରେ ମୃତଦେହକୁ ମୂଷା କାମୁଡ଼ି ଖଣ୍ଡିଆଖାବରା କରି ପକାଉଥିବା ଅଭିଯୋଗ ମଧ୍ୟ ହେଉଛି। ଏହାସହ ଶବଗୃହର ଫ୍ରିଜର୍‌ ଅଧିକାଂଶ ଖରାପ ହେବା କାରଣରୁ ମୃତଦେହଗୁଡ଼ିକରୁ ପ୍ରବଳ ଦୁର୍ଗନ୍ଧ ହେବା ସହ ଏହାର ଆଖପାଖ ବିଭାଗଗୁଡ଼ିକୁ ପ୍ରଭାବିତ କରୁଥିବା ନଜିର ରହିଛି।

ଏବେ ହସ୍ପିଟାଲରେ ୬ଟି ମୃତଦେହ ସଂରକ୍ଷିତ ରହିପାରିବାର ବ୍ୟବସ୍ଥା ରହିଥିବା ବେଳେ ନୂତନ ଫ୍ରିଜର୍‌ ଆସିବା ପରେ ଏବେ ୮ଟି ମୃତଦହେକୁ ସଂରକ୍ଷିତ ରଖାଯାଇ ପାରିବ। ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ଏକ ଫ୍ରିଜର୍‌ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର