କ୍ୟାପିଟାଲ ହସ୍ପିଟାଲ ଇ-ରେଜିଷ୍ଟ୍ରେସନ୍ ଉଦ୍‌ଘାଟନ ଅନିଶ୍ଚିତତାରେ

ଭୁବନେଶ୍ବର :କ୍ୟାପିଟାଲ ହସ୍ପିଟାଲରେ ଆସନ୍ତାକାଲିଠାରୁ ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଆରମ୍ଭ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏହାର ଉଦ୍‌ଘାଟନ ନେଇ ଆଶଙ୍କା ପ୍ରକାଶ ପାଇଛି। କିଛି ଦିନ ଧରି ଇଏନ୍‌ଟି ଓ ଭେଷଜ ବିଭାଗରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଇଣ୍ଟରନେଟ୍‌ ସମସ୍ୟା ଲାଗି ରହିଛି। ଫଳରେ ଆସନ୍ତାକାଲି ହସ୍ପିଟାଲର କର୍ତୃପକ୍ଷଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଡା. ଷଡ଼ଙ୍ଗୀ କହିଛନ୍ତି, ହସ୍ପିଟାଲରେ ପରୀକ୍ଷାମୂଳକ ଭାବେ ଏହା କାର୍ଯ୍ୟ କରୁଛି। ‌ଆସନ୍ତାକାଲି ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ବି ହସ୍ପିଟାଲରେ ଇଣ୍ଟରନେଟ୍‌ ସମସ୍ୟା ଲାଗି ରହିଛି। ଅନେକ ସମୟରେ ଇଣ୍ଟରନେଟ୍‌ର ବେଗ ଧୀର ହୋଇଯାଉଥିବାରୁ ଡାକ୍ତରମାନଙ୍କ କ୍ଷେତ୍ରରେ ଏହା ସମସ୍ୟା ସୃଷ୍ଟି କରୁଛି। ତେବେ କେବେଠାରୁ ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ତାହା ଆଜିଠାରୁ କହିବା ମୁସ୍କିଲ୍। ତେବେ ଏହା କିଭଳି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଏଥିପାଇଁ ହସ୍ପିଟାଲର କର୍ତୃପକ୍ଷଙ୍କ ସହିତ ଆଲୋଚନା ହେବ ବୋଲି ଡା. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର