କ୍ୟାପିଟାଲ ହସ୍ପିଟାଲରେ ଖୋଲିବ କର୍କଟ ପ୍ରତିଷ୍ଠାନ, ବିଲ୍ଡିଂର ଡିଜାଇନ୍ କରିବ ଟାଟା ଟ୍ରଷ୍ଟ

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ପେଲିଆଟିଭ କେୟାର!, ଖୁବଶୀଘ୍ର ବୈଠକରେ ଏ ସଂପର୍କରେ ନିଷ୍ପତ୍ତି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗର ସମସ୍ତ ଅତ୍ୟାଧୁନିକ ଚିକିତ୍ସା ମିଳିବ। ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ପାଲିଏଟିଭ୍ କେୟାରଠୁ ଆରମ୍ଭ କରି କେମୋ ଓ ରେଡିଏସନ୍ ଥେରାପି ଚିକିତ୍ସା ସେବା ଉପଲବ୍ଧ ହେବ। କେବଳ ସେବା ନୁହେଁ କର୍କଟ ରୋଗର ଚିହ୍ନଟ ପାଇଁ ପେଟ୍‌ ସିଟି ଓ ଏମ୍ଆରଆଇ ଭଳି ପରୀକ୍ଷାର ସବୁ ବ୍ୟବସ୍ଥା ରହିବ। ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମିଶି ଏହି ଇନଷ୍ଟିଚ୍ୟୁଟର ନିର୍ମାଣ କରିବା ନେଇ ଯୋଜନା ହୋଇଛି। ଆସନ୍ତା ୧୬/୧୭ତାରିଖରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେବ‌ ବୋଲି ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେସନ୍ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ୍ ଅଧୀନରେ କ୍ୟାପିଟାଲ ହସ୍ପିଟାଲରେ କର୍କଟ ପ୍ରତିଷ୍ଠାନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ଟାଟ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏବେ କର୍କଟ ରୋଗ ପାଇଁ ଡେ’କେୟାର ସେଣ୍ଟର କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ ସେଠାକୁ ଶହେରୁ ଅଧିକ କର୍କଟ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କର୍କଟ ରୋଗର ସବୁ ବିଭାଗ ନ ଥିଲେ ମଧ୍ୟ ରାଜଧାନୀ ସମେତ ଅନ୍ୟ ଜିଲ୍ଲାର ରୋଗୀମାନେ ବର୍ହିବିଭାଗ ଓ କେମୋ ଥେରାପି ପାଇପାରୁଛନ୍ତି। ତେବେ ଏକ କର୍କଟ ପ୍ରତିଷ୍ଠାନ ନିର୍ମାଣ କରି କର୍କଟ ରୋଗୀଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ହସ୍ପିଟାଲରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ସଂକ୍ରମଣ ୱାର୍ଡ ନିକଟରେ ଏହାକୁ ପ୍ରାୟତଃ ପ୍ରତିଷ୍ଠା କରାଯିବ। ଆବଶ୍ୟକ ପଡ଼ିଲେ ସଂକ୍ରମଣ ଓ ‌ନିରାଶ୍ରିତ ୱାର୍ଡକୁ ସ୍ଥାନାନ୍ତରିତ କରାଯିବା ଉପରେ ମଧ୍ୟ ବିଚାର କରାଯିବ। ଏଥିପାଇଁ ସରକାର ୩୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଟଙ୍କାରେ ସ୍ୱତନ୍ତ୍ର ବିଲ୍ଡିଂ, ଯନ୍ତ୍ରପାତି ସହ ମାନବ ସମ୍ବଳ ନିଯୁକ୍ତ ହେବେ। କ୍ୟାନ୍ସର ରୋଗ ଚିହ୍ନଟର ସବୁ ଅତ୍ୟାଧୁନିକ ମେସିନ୍ ପେଟ୍ ସ୍କାନ, ସିଟିସ୍କାନ ଓ ଏମ୍ଆରଆଇ ଭଳି ମେସିନ୍ ଆସିବ। ପ୍ରତିଷ୍ଠାନ ପାଇଁ ସରକାର ଡାକ୍ତର ପଦବି ସୃଷ୍ଟି କରିବେ। ମେଡିକାଲ ଅଙ୍କୋଲୋଜି, ହେମାଟୋଲୋଜି, ସର୍ଜିକାଲ ଅଙ୍କୋଲୋଜି ସହ ରେଡିଏସନ୍ ଥେରାପି ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିବ। ଅନ୍ୟ ଷ୍ଟାଫଙ୍କୁ ଠିକାରେ ନିଯୁକ୍ତ କରାଯିବା ସହ ତାଲିମ ଦିଆଯିବ।

କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ସ୍ବତନ୍ତ୍ର ଭାବେ ନିର୍ମାଣ ହେବାକୁ ଥିବା ଏହି ବିଲ୍ଡିଂରେ ଓପିଡି କମ୍ପ୍ଲେକ୍ସ, ଅପରେସନ୍ ଥିଏଟର, ପରୀକ୍ଷାଗାର, ରୋଗୀଙ୍କ ଇନ୍‌ଡୋର ଚିକିତ୍ସା ପାଇଁ ୱାର୍ଡ ମଧ୍ୟ ରହିବ। ତଳ ମହଲାକୁ ବଙ୍କର ଭଳି ନିର୍ମାଣ କରାଯିବ। ଯେମିତି ରେଡିଏସନ୍ ବାହାରକୁ ନ ଯିବ, ସେଥିପାଇଁ ସବୁ ବ୍ୟବସ୍ଥା ବଙ୍କରରେ ରହିବ। ଆସନ୍ତା ଗାନ୍ଧୀ ଜୟନ୍ତୀ ହସ୍ପିଟାଲରେ ପେଲିଆଟିଭ୍ କେୟାର ଆରମ୍ଭ ହେବା ପାଇଁ ଯୋଜନା ରହିଛି। ବିଳମ୍ବରେ ଅନେକ ଲୋକଙ୍କ କର୍କଟ ରୋଗ ଚିହ୍ନଟ ହେଉଥିବାରୁ ସେମାନଙ୍କୁ ପେଲିଆଟିଭ୍ କେୟାରର ଆବଶ୍ୟକତା ରହିଛି। ଏଥିପାଇଁ ୭ଟି ଶଯ୍ୟା ସଂରକ୍ଷିତ ରହିବ। ଯାହାଫଳରେ କର୍କଟର ଶେଷ ପର୍ଯ୍ୟାୟରେ ଆସୁଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିବ। ଅକ୍ୟୁପେସନାଲ ଥେରାପି ଚିକିତ୍ସା ମଧ୍ୟ ଦିଆଯିବ। ଗୋଟିଏ ଛାତ ତଳେ କର୍କଟ ରୋଗୀଙ୍କୁ ସବୁ ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ସଂକ୍ରମଣ ୱାର୍ଡ ନିକଟରେ ଜାଗା ଚିହ୍ନଟ ହୋଇଛି। ତେବେ କେଉଁ ଢଙ୍ଗରେ ଏହାକୁ ନିର୍ମାଣ କରାଯିବ ତାହାର ନକ୍ସା ପ୍ରସ୍ତୁତ କରାଯାଉଛି। ଏଥିପାଇଁ ୧୬/୧୭ ତାରିଖରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ଏହାପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର