କ୍ୟାପିଟାଲ ହସ୍‌ପିଟାଲରେ ‘ମୋ ସରକାର’ : ତଥାପି ବଦଳିନି ସ୍ଥିତି

ଭୁବନେଶ୍ବର, (କ୍ଷୀତିଶ ରାୟ): ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରୁ ହିଁ ରାଜ୍ୟବ୍ୟାପୀ ଏହାର ଶୁଭାରମ୍ଭ କରିଥିଲେ। ଏହା ଭିତରେ ୧୦ଦିନ ବିତିଛି। କିନ୍ତୁ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ସମସ୍ତ ସୁବିଧା ରୋଗୀଙ୍କୁ ମିଳି ପାରୁ ନାହିଁ। ହସ୍ପିଟାଲରୁ ଦଲାଲଙ୍କୁ ହଟାଇବା ଓ ରୋଗୀଙ୍କୁ ଯେଭଳି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମିଳିପାରିବ, ତାହାକୁ ଗୁରୁତ୍ବ ଦିଆଯାଉଛି। ହେଲେ ହସ୍ପିଟାଲରେ ଠିକ୍ ସମୟରେ ଡାକ୍ତର ଉପଲବ୍ଧ ନ ହେବାଠାରୁ ଆରମ୍ଭ କରି ‘ନିରାମୟ’ରେ ସବୁ ଔଷଧ ଉପଲବ୍ଧ ନ ହେବା ଭଳି ସମସ୍ୟା ଏବେ ବି ରହିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ‘ମୋ ସରକାର’ ଆରମ୍ଭ ହୋଇଛି, ତାହା ସଫଳ ହେବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହେଲାଣି। କ୍ୟାପିଟାଲ ହସ୍ପିଟାଲରେ କିଭଳି ଭାବେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳୁଛି, ତାହା ଜାଣିବା ପାଇଁ ଚେଷ୍ଟା କରିଥିଲା ‘ସମ୍ବାଦ’ ଟିମ୍।

ଆଜ୍ଞା ଅଲଟ୍ରାସାଉଣ୍ଡ କରିବାର ଅଛି ? ପେସେଣ୍ଟ ଆଡମିଟ୍‌ ନା ଓପିଡିର। ଓପିଡିର…। ମାସେ ପରେ ଆସନ୍ତୁ। କିଛି ବୁଝିବା ଆଗରୁ ସୁରକ୍ଷା କର୍ମୀ ଏଭଳି କଥା ଶୁଣାଇ ଦେଇଥିଲେ। ତେବେ ଜିଦ୍ କରିବାରୁ ସୁରକ୍ଷା କର୍ମୀଜଣକ କହିଥିଲେ, ଭିତରେ ଦିଦି ଅଛନ୍ତି, ତାଙ୍କ ସହ କଥା ହୁଅ। ଭିତରେ ବସିଥିବା ଦିଦି ପଚାରିଲେ, ଆପଣଙ୍କ ପେସେଣ୍ଟ ଆଡମିଟ୍ ନା ଓପିଡି। ଆଡମିଟ୍‌ ହୋଇଥିଲେ ୩/୪ଦିନ ଭିତରେ ଅଲଟ୍ରାସାଉଣ୍ଡ ହେବ, ନ ହେଲେ ମାସେ ପରେ ଆସନ୍ତୁ। ଏହା ହେଉଛି କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡର ଅବସ୍ଥା।

ଏହି ସମୟ ଭିତରେ ୨/୪ଜଣ ରୋଗୀ ନିଜର ଅଲଟ୍ରାସାଉଣ୍ଡ କରିବା ପାଇଁ ଆସି ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟ ଏଭଳି ଢଙ୍ଗରେ ମନା କରିଦେଇଥିଲେ ସୁରକ୍ଷାକର୍ମୀ ଓ ଦିଦି। କିଛି ସମୟ କ’ଣ କରିବେ ବୋଲି ଚିନ୍ତା କରିବା ପରେ କାନମୁଣ୍ଡା ଆଉଁସି ଅନ୍ୟତ୍ର ଅଲଟ୍ରାସାଉଣ୍ଡ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରୋଗୀଙ୍କ ଆଟେଣ୍ଡାଣ୍ଟ।

ଏଠାରେ ରୋଗୀଙ୍କ ଅଭିଯୋଗ ଯେ ଦେହ ଖରାପ ହେଲା ବୋଲି ହସ୍ପିଟାଲ ଆସିଲୁ। ଆଡମିଟ୍‌ କଲେ। ଏବେ ଅଲଟ୍ରାସାଉଣ୍ଡ କରିବାକୁ ଆସିବାରୁ କହୁଛନ୍ତି ୩/୪ଦିନ ପରେ ଆସ। ଯଦି ୩/୪ଦିନ ପରେ ଅଲଟ୍ରାସାଉଣ୍ଡ ହେବ, ସେତେବେଳ ଯାଏଁ କ’ଣ ରୋଗ ଏମିତି ଥିବ ଏବଂ ଏମିତି ଯନ୍ତ୍ରଣା ପାଉଥିବ। ରୋଗ କ’ଣ ଜାଣିବା ପାଇଁ ‌ଯେଉଁଠି ୩/୪ଦିନ ଅପେକ୍ଷା କରିବାକୁ ପଡ଼ୁଛି, ସେଠାକୁ ରୋଗୀ କାହା ବିଶ୍ବାସରେ ଆସିବ।

ଆଜି ରସିଦ୍ କାଟିଲେ ମାସେ ପରେ ଅଲଟ୍ରାସାଉଣ୍ଡ

କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ଅଲଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତର ଲେଖୁଛନ୍ତି। ହେଲେ ରସିଦ୍‌ କାଟି ଅଲଟ୍ରାସାଉଣ୍ଡ ୟୁନିଟ୍ ପାଖକୁ ଆସିବା ବେଳେ ସେମାନଙ୍କୁ ମାସେ ପରେ ଆସିବା ପାଇଁ କୁହାଯାଉଛି। କେବଳ ରାଜଧାନୀ କି ଖୋର୍ଧା ଜିଲ୍ଲା ନୁହେଁ, ପୁରୀ, କଟକ ଓ ଅନ୍ୟାନ୍ୟ ଜିଲ୍ଲାରୁ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ମାତ୍ର ସେମାନଙ୍କୁ ହସ୍ପିଟାଲରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ଜଣେ ମାତ୍ର ରେଡିଓଲୋଜିଷ୍ଟ ରହିଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଆଉ ଜଣେ ରେଡିଓଲୋଜିଷ୍ଟ ଆସି ଅଲଟ୍ରାସାଉଣ୍ଡ କରୁଛନ୍ତି। ମାତ୍ର ତାହା ଯଥେଷ୍ଟ ହେଉନାହିଁ। ଦିନକୁ ୧୨/୧୫ଟି ଅଲଟ୍ରାସାଉଣ୍ଡ ହୋଇପାରୁଛି। ତହିଁରୁ ଅଧିକାଂଶ ପୁରୁଣା ତାରିଖ ରୋଗୀ। ଏପରିକି ହସ୍ପିଟାଲରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ମଧ୍ୟ ଅଲଟ୍ରାସାଉଣ୍ଡ ପାଇଁ ୩/୪ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏହି ସମସ୍ୟା ଆଜିର ନୁହେଁ, ଦୀର୍ଘ ଦିନ ଧରି ଏହା ଲାଗି ରହିଛି। ‌ହସ୍ପିଟାଲ କର୍ତୃପକ୍ଷ କି ସ୍ବାସ୍ଥ୍ୟ ବିଭାଗ ଏହି ସମସ୍ୟା କିଭଳି ଦୂର କରାଯିବ ତାହାକୁ ଗୁରୁତ୍ବ ଦେଉନାହିଁ।

ସତରେ କ’ଣ କ୍ୟାପିଟାଲ ହସ୍ପିଟାଲ ସ୍ବଚ୍ଛ?

ଗତକାଲି ହସ୍ପିଟାଲକୁ ‘କାୟାକଳ୍ପ’ ପୁରସ୍କାର ମିଳି‌ଥିଲେ ହେଁ ହସ୍ପିଟାଲ ପରିସରରେ ଏବେ ବି ପାନଛେପଠାରୁ ଆରମ୍ଭ କରି ଅଳିଆ ପଡ଼ି ରହିଛି। ପୁରୁଣା ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏବେ ସିଟି ସ୍କାନ୍ ଓ ଏକ୍ସ-ରେ ଚାଲୁଛି। ଏକ୍ସ-ରେକୁ ପ୍ରବେଶ କରିବା ପରେ ରୁମ୍‌ର ଡାହାଣ ପାର୍ଶ୍ବରେ ହସ୍ପିଟାଲର ପୁରୁଣା ଯନ୍ତ୍ରପାତି, ଷ୍ଟାବିଲାଇଜର ପଡ଼ି ରହିଛି। ସେଠାରେ କାନ୍ଥବାଡ଼ରେ ପାନ ଛେପଭର୍ତି। ୱାର୍ଡର ପ୍ରବେଶ ସ୍ଥାନରେ ବାମପଟେ ଉପର ମହଲାକୁ ଥିବା ରାସ୍ତାର ଗ୍ରିଲ୍‌ ବନ୍ଦ କରି ଦିଆଯାଇଥିବା ବେଳେ ସେଠାରେ ବ୍ୟବହୃତ ସାଲାଇନ୍‌ ଖୋଳ ଓ ଅଳିଆ ଗଦା ହୋଇଛି। ସେହିପରି ହସ୍ପିଟାଲର ୟୁଟିଲିଟି କମ୍ପ୍ଲେକ୍ସ ନିକଟରେ କୁଢ଼ କୁଢ଼ ଅଳିଆ ପଡ଼ି ରହିବା ଯୋଗୁଁ ଏହି ବାଟ ଦେଇ ଯିବା ଆସିବା ସମୟରେ ଲୋକଙ୍କୁ ସମସ୍ୟା ସୃଷ୍ଟି ହେଉଛି।

ମ୍ୟାଡାମ୍ ଦସ୍ତଖତ କରିବାକୁ ଯାଇଛନ୍ତି

କ୍ୟାପିଟାଲ ହସ୍ପିଟାଲ ଚକ୍ଷୁ ୱାର୍ଡରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୧୦ଟାରେ ଚକ୍ଷୁ ୱାର୍ଡରେ ରୋଗୀମାନେ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ ହେଁ ୱାର୍ଡ‌ରେ ଥିବା ସୁରକ୍ଷା କର୍ମୀ ମ୍ୟାଡାମ୍ ଦସ୍ତଖତ କରିବାକୁ ଯାଇଛନ୍ତି ବୋଲି କହିଥିଲେ। ବେ‌ଳକୁ ବେଳ ଗହଳି ବଢ଼ି ଚାଲିଥିଲେ ହେଁ ଡାକ୍ତରଙ୍କ ଦେଖା ମିଳି ନ ଥିଲା। ୱାର୍ଡ ସମ୍ମୁଖରେ ରୋଗୀଙ୍କ ଚପଲ ଗଦା ହୋଇଯାଇଥିଲା। ବିରକ୍ତରେ ରୋଗୀମାନେ ଡାକ୍ତର କୁଆ‌ଡ଼େ ‌ଗଲେ ବୋଲି ପଚାରୁଥିଲେ ହେଁ କୌଣସି ଉତ୍ତର ମିଳୁ ନ ଥିଲା। ୱାର୍ଡରେ ଥିବା ୨ ଓପିଡି ବା ବହିର୍ବିଭାଗରେ ଡାକ୍ତର ନ ଥିଲେ। ସୁରକ୍ଷା କର୍ମୀଙ୍କୁ ପଚାରିବାରୁ କହିଲେ, ଆଜି ଜଣେ ମାତ୍ର ଡାକ୍ତର ଅଛନ୍ତି। ସେ ଓପିଡି ଦେଖିବେ ଓ ଅସ୍ତ୍ରୋପଚାର ପାଇଁ ଥିବା ରୋଗୀଙ୍କ ମଧ୍ୟ ଚିକିତ୍ସା କରିବେ। ହେଲେ ଅନ୍ୟ ଡାକ୍ତର କାହାନ୍ତି ବୋଲି ପଚାରିବାରୁ ସୁରକ୍ଷା କର୍ମୀ କହିଲେ, ଦଶହରା ଛୁଟି ଚାଲିଛି ପରା…। ୧୬ତାରିଖ ପରେ ସବୁ ଡାକ୍ତର ଆସିବେ। ସେ ସମୟ‌‌‌ରେ ଆସିବ, ଡାକ୍ତରଙ୍କୁ ଦେଖା କରିବ।

‘ନିରାମୟ’ ନେଇ ପ୍ରଶ୍ନବାଚୀ

କ୍ୟାପିଟାଲ ହସ୍ପିଟାଲରେ ‘ନିରାମୟ’‌ ଯୋଜନା କେତେଦୂର ସଫଳ ହୋଇଛି, ତାହା ଜାଣିବା ପାଇଁ ପ୍ରଥମ ଡିଡିସିରେ ପହଞ୍ଚିଥିଲା ‘ସମ୍ବାଦ’ ଟିମ୍। ଡାକ୍ତର ଲେଖିଥିବା ପ୍ରେସ୍‌କ୍ରିପସନ୍‌ ଦେଖାଇ ଔଷଧ ଆଣିବା ସମୟରେ ତାଙ୍କୁ କେତୋଟି ଔଷଧ ମିଳିଲା, ପଚାରିଥିଲୁ। କିନ୍ତୁ ଯେତେସଂଖ୍ୟକ ରୋଗୀ କାଉଣ୍ଟର୍‌ରୁ ଫେରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ସଂପୂର୍ଣ୍ଣ ଔଷଧ ମିଳୁ ନଥିଲା। ପଚାରିଲେ ରୋଗୀ କହୁଥିଲେ, କାଉଣ୍ଟରରେ କହିଲେ ଯେତିକି ଔଷଧ ଅଛି ନେଇ ଯାଆନ୍ତୁ। ‘ନିରାମୟ’ ଯୋଜନାରେ ରାଜ୍ୟ ସରକାର ସରକାରୀ ଡାକ୍ତରଖାନାରେ ମାଗଣାରେ ଔଷଧ ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି। ପ୍ରତିବର୍ଷ ଜରୁରୀ ଔଷଧ ତାଲିକା ବା ଇଡିଏଲ୍ ତାଲିକା ବଢ଼ିବାରେ ଲାଗିଛି। ମାତ୍ର ଆଜି ପର୍ଯ୍ୟନ୍ତ ରାଜଧାନୀରେ ଥିବା ଏହି ହସ୍ପିଟାଲରେ ରୋଗୀଙ୍କୁ ଆବଶ୍ୟକ ଔଷଧ ମିଳୁନାହିଁ। ‘ନିରାମୟ’ରେ ଯଦି ଔଷଧ ଉପଲବ୍ଧ ହେଉନାହିଁ, ତେବେ ରୋଗୀ ଯେପରି ବିନା ଔଷଧରେ ଫେରି‌ବେ ନାହିଁ, ସେଥିପାଇଁ ରାଜ୍ୟ ସରକାର ପ୍ରତି ହସ୍ପିଟାଲକୁ ଅତିରିକ୍ତ ୨୦ ପ୍ରତିଶତ ଟଙ୍କା କେବଳ ଔଷଧ କିଣିବା ପାଇଁ ପ୍ରଦାନ କରୁଛନ୍ତି। ଖୋଲା ବଜାରରୁ ହସ୍ପିଟାଲ କର୍ତୃପକ୍ଷ ଏହି ଔଷଧ କିଣି ରୋଗୀଙ୍କୁ ଯୋଗାଇଦେବେ। ତାହା ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର