କ୍ୟାପିଟାଲ ହସ୍ପିଟାଲ : ନୂଆବର୍ଷରେ ନୂଆ ସମ୍ଭାବନା

ଭୁବନେଶ୍ବର : ଆସନ୍ତା ନୂଆବର୍ଷ କ୍ୟାପିଟାଲ ହସ୍ପିଟାଲ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ଆଣିବ ବୋଲି ଆଶା କରାଯାଉଛି। ଗତବର୍ଷ ହସ୍ପିଟାଲରେ ନୂଆ ପ୍ରକଳ୍ପ/ବିଭାଗ ଖୋଲିବା ପାଇଁ ଯୋଜନା ହୋଇଥିବା ବେଳେ ଏହାର ଚୂଡ଼ାନ୍ତ ରୂପରେଖ ୨୦୨୦ରେ ‌ହିଁ ଦେଖିବାକୁ ମିଳିବ। ଅନେକ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇ ଯାଇଥିବା ବେଳେ ଆଉ କିଛି ନୂଆବର୍ଷରେ ଆରମ୍ଭ ହେବାର ଯୋଜନା ରହିଛି। ଯଦି ସବୁ କିଛି ଆଶାନୁଯାୟୀ ଜାରି ରହେ, ତେବେ କ୍ୟାପିଟାଲ ହସ୍ପିଟାଲ ନୂଆବର୍ଷରେ ରୋଗୀଙ୍କ ସମସ୍ୟାର ସମାଧାନ କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି।

Livemint

କାର୍ଯ୍ୟକ୍ଷମ ହେବ ମିଲ୍‌କ ବ୍ୟାଙ୍କ୍
କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକ୍ଷମ ଲାକ୍ଟେସନ୍ ମ୍ୟାନେଜମେଣ୍ଟ ସେଣ୍ଟର ବା ମିଲ୍‌କ ବ୍ୟାଙ୍କ୍। ହସ୍ପିଟାଲରେ ଚିକିତ୍ସିତ ଅସୁସ୍ଥ ମା’ମାନେ ଏହି ବ୍ୟାଙ୍କରେ ନିଜ ଶିଶୁ ପାଇଁ କ୍ଷୀର ସଂରକ୍ଷିତ ରଖି ପାରିବେ। ପାଇଲଟ୍‌ ପ୍ରକଳ୍ପରେ ଏହା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ବର୍ଷ ୨୦୨୦ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଏହା ପ୍ରଥମ ମିଲ୍‌କ ବ୍ୟାଙ୍କ ହେବ। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଶିଶୁ ୱାର୍ଡର ତଳ ମହଲାରେ ଥିବା କନ୍‌ଫରେନ୍‌ସ ହଲ୍‌ ଓ ନିକଟସ୍ଥ ଅଞ୍ଚଳରେ ଏହାକୁ ପ୍ରତିଷ୍ଠା କରାଯିବ। କନଫରେନ୍‌ସ ହଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ନିକଟରେ ଇନ୍‌ଫାଣ୍ଟ ଏଣ୍ଡ ୟଙ୍ଗ ଚାଇଲ୍‌ଡ ଫିଡିଂ ବା ଆଇଏୱାଇଏଫ୍‌ କାଉନ୍‌ସେଲିଂ ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ବତନ୍ତ୍ର ସ୍ତନ୍ୟପାନ ବା ଏକ୍ସକ୍ଲୁସିଭ୍ ବ୍ରେଷ୍ଟଫିଡିଂ ଉପରେ ଗୁରୁତ୍ବ ଦିଆଯାଉଛି। ପରବର୍ତୀ ସମୟରେ ଏହି କେନ୍ଦ୍ରକୁ ମିଲ୍‌କ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏହି ବ୍ୟାଙ୍କ ଖୋଲିବ। ଏହି ବ୍ୟାଙ୍କରେ ମା’ମାନେ ନିଜ କ୍ଷୀରକୁ ସଂରକ୍ଷିତ ରଖି ପାରିବେ। ସହରାଞ୍ଚଳରେ ଅଧିକାଂଶ ମା’ ଡବା କ୍ଷୀରକୁ ପିଲାଙ୍କ ପାଇଁ ସ୍ତନ୍ୟପାନର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି। ଏହାଦ୍ବାରା ଉଭୟ ଶିଶୁ ଓ ମା’ମାନଙ୍କ ପ୍ରତି ବିପଦ ରହୁଛି। ତେବେ ସେମାନଙ୍କୁ ସ୍ତନ୍ୟପାନ ପାଇଁ ଉତ୍ସାହିତ କରିବାରେ ଏହି ବ୍ୟାଙ୍କ ସହାୟକ ହେବ ବୋଲି ଆଶା କରାଯାଉଛି।

ଠିଆ ହେବ ନୂଆ ଏମ୍‌ସିଏଚ୍‌ ବିଲ୍ଡିଂ
କ୍ୟାପିଟାଲ ହସ୍ପିଟାଲରେ ଆଉ ୨ଶହ ଶଯ୍ୟା ବିଶିଷ୍ଟ ଏକ ମଦର ଏଣ୍ଡ ଚାଇଲ୍‌ଡ ବା ଏମ୍‌ସିଏଚ୍‌ କୋଠାର ନିର୍ମାଣ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ହସ୍ପିଟାଲ ପରିସରରେ ଏଥିପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି। ଏହା କାର୍ଯ୍ୟକାରୀ ହେଲେ କ୍ୟାପିଟାଲ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ରୋଗର ଉନ୍ନତ ଚିକିତ୍ସା ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଚଳିତବର୍ଷ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ୧୦୦ ଶଯ୍ୟା ଏମ୍‌ସିଏଚ୍‌ କୋଠା ରହିଛି। ୬ ମହଲା ବିଶିଷ୍ଟ ଏହି କୋଠାରେ କେବଳ ସ୍ତ୍ରୀରୋଗ ବିଭାଗ କାମ କରୁଛି। ମାତ୍ର ଏହା ରୋଗୀମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନାହିଁ। ଆବଶ୍ୟକତାଠାରୁ ଅଧିକ ରୋଗୀ ଆସୁଥିବାରୁ ରୋଗୀଙ୍କୁ ତଳେ ଶୋଇବାକୁ ପଡ଼ୁଛି। ପୁରୁଣା କୋଠା ନିକଟରେ ହିଁ ନୂତନ କୋଠା ନିର୍ମାଣ କରାଯିବ।

photo-youtube

କର୍କଟ ପ୍ରତିଷ୍ଠାନକୁ ନେଇ ଆଶା
କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗର ସମସ୍ତ ଅତ୍ୟାଧୁନିକ ଚିକିତ୍ସା ମିଳିବ। ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ପାଲିଏଟିଭ୍ କେୟାରଠୁ ଆରମ୍ଭ କରି କେମୋ ଓ ରେଡିଏସନ୍ ଥେରାପି ଚିକିତ୍ସା ସେବା ଉପଲବ୍ଧ ହେବ। କେବଳ ସେବା ନୁହେଁ, କର୍କଟ ରୋଗର ଚିହ୍ନଟ ପାଇଁ ପେଟ୍‌ ସିଟି ଓ ଏମ୍ଆରଆଇ ଭଳି ପରୀକ୍ଷାର ସବୁ ବ୍ୟବସ୍ଥା ରହିବ। ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମିଶି ଏହି ହସ୍ପିଟାଲରେ କର୍କଟ ପ୍ରତିଷ୍ଠାନ ନିର୍ମାଣ କରିବା ନେଇ ଯୋଜନା ହୋଇଛି। ଚଳିତବର୍ଷ ଏହି ପ୍ରତିଷ୍ଠାନର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେସନ୍ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ୍ ଅଧୀନରେ କ୍ୟାପିଟାଲ ହସ୍ପିଟାଲରେ କର୍କଟ ପ୍ରତିଷ୍ଠାନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ଟାଟ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏବେ କର୍କଟ ରୋଗ ପାଇଁ ଡେ’ କେୟାର ସେଣ୍ଟର୍‌ କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ ସେଠାକୁ ଶହେରୁ ଅଧିକ କର୍କଟ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କର୍କଟ ରୋଗର ସବୁ ବିଭାଗ ନ ଥିଲେ ମଧ୍ୟ ରାଜଧାନୀ ସମେତ ଅନ୍ୟ ଜିଲ୍ଲାର ରୋଗୀମାନେ ବର୍ହିବିଭାଗ ଓ କେମୋ ଥେରାପି ପାଇ ପାରୁଛନ୍ତି। ତେବେ ଏକ କର୍କଟ ପ୍ରତିଷ୍ଠାନ ନିର୍ମାଣ କରି କର୍କଟ ରୋଗୀଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହସ୍ପିଟାଲରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି।

ଉତ୍କର୍ଷ କେନ୍ଦ୍ର ପାଲଟିବ ସ୍ବତନ୍ତ୍ର ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର
ଗତବର୍ଷ ଶେଷ ଆଡ଼କୁ ହୃଦ୍‌ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ହୃଦରୋଗ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟରେ କ୍ରମାଗତ ଭାବେ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଧିକାଂଶ ରୋଗୀଙ୍କୁ ରାଜ୍ୟ ବାହାର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେବେ ଏହି ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ, କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କୁ ଏହି ଚିକିତ୍ସା ସୁବିଧା ମିଳିବ। ଏହି ହୃଦ୍‌ରୋଗ କେନ୍ଦ୍ରର ନିର୍ଦେଶକ ଭାବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ପି.କେ ଦାସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରଥମଥର ଲାଗି ଶିଶୁମାନଙ୍କର ହୃଦ୍‌ ଅସ୍ତ୍ରୋପଚାରର ସୁବିଧା ଦିଆଯିବ। ହସ୍ପିଟାଲରେ ଏବେ ମାସକୁ ପ୍ରାୟ ୭ଟି ଆଞ୍ଜିଓପ୍ଲାଷ୍ଟି ଓ ଷ୍ଟେଟିଂ ହୋଇପାରୁଛି। ତେବେ ଏହି ସ୍ବତନ୍ତ୍ର କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ହସ୍ପିଟାଲରେ ଦିନକୁ ୧୫/୨୦ଜଣ ରୋଗୀଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇପାରିବ। ଏହାସହ ହୃଦ୍‌ରୋଗୀଙ୍କ ଅନ୍ୟାନ୍ୟ ଜଟିଳ ସମସ୍ୟାର ସହଜ ଓ ଗୁଣାତ୍ମକ ଚିକିତ୍ସା ହୋଇପାରିବ। ଡା. ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ ହୃଦ୍‌ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦିଆଯିବ। ହୃଦ୍‌ରୋଗୀଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ। ହୃଦ୍‌ ବିଭାଗକୁ ଖୁବଶୀଘ୍ର ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର