କ୍ୟାପିଟାଲ ହସ୍ପିଟାଲରେ କାହା ପାଇଁ ଖୋଲିଛି ପିକୁ?

ଘାରିଛି ରେଫରାଲ ରୋଗ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ପେଡିଆଟ୍ରିକ୍ ଆଇସିୟୁ ବା ପିକୁ ଖୋଲାଯାଇଛି। ତହିଁରେ ୪ଟି ଶଯ୍ୟା ରହିଛି। ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁମାନଙ୍କୁ ଏଠାରେ ଚିକିତ୍ସା ଦିଆଯାଇ ପାରିବ। ହେଲେ ଦୁଇଦିନ ତଳେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ନୀଲ ନୀତେଶକୁ କାହିଁକି ପିକୁରେ ଚିକିତ୍ସା କରାଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ପିକୁରେ ଚିକିତ୍ସା ହୋଇଥିଲେ ‌ହୁଏତ ଶିଶୁଟି ବଞ୍ଚି ଯାଇ ପାରିଥାନ୍ତା ବୋଲି ହସ୍ପିଟାଲରେ ଚର୍ଚା ହେଉଛି। ତେବେ କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ରେଫରାଲ ରୋଗ ଘାରିଥିବାରୁ ଯଦି ରୋଗୀର ସ୍ଥିତି ଗମ୍ଭୀର ରହିଛି ତେବେ ଡାକ୍ତର ତାଙ୍କୁ ଏସ୍‌ସିବି/ଏମ୍‌ସକୁ ରେଫର କରି ଦେଉଛନ୍ତି। ହସ୍ପିଟାଲର ସବୁ ବିଭାଗରେ ଏଭଳି ରେଫରାଲ ଚାଲିଛି।

କ୍ୟାପିଟାଲ ହସ୍ପିଟାଲରେ ୫ଶହରୁ ଅଧିକ ଶଯ୍ୟା ରହିଛି। ଏହାସହ ୨୦ରୁ ଅଧିକ ବିଭାଗ ଖୋଲିଛି ହସ୍ପିଟାଲରେ। ତେବେ ଶିଶୁ ରୋଗ ବିଭାଗରେ ପିକୁର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଡାକ୍ତର ଓ ଷ୍ଟାଫନର୍ସଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଛି। ତେବେ ହସ୍ପିଟାଲକୁ ଆସିବା ସମୟରେ ନୀଲ୍‌ର ଲାକଟିକ୍ ଏସିଡୋସିସ୍‌ ରହିଥିବା କୁହାଯାଉଛି। ଏହାସହ ଶିଶୁର ସୁଗାର ସ୍ତର ମଧ୍ୟ ଅଧିକ ରହିଥିଲା। ତେବେ ‘ପିକୁ’ରେ ଭେଣ୍ଟିଲେଟର ସୁବିଧା ଥିବା ବେଳେ ଡାକ୍ତର ଚାହିଁଥିଲେ ତାଙ୍କୁ ପିକକୁ ସ୍ଥାନାନ୍ତରିତ କରିପାରିଥାନ୍ତେ। ମାତ୍ର କାହିଁକି ତାଙ୍କୁ ସ୍ଥାନାନ୍ତରିତ କରାଗଲା ନାହିଁ ତାହା ସନ୍ଦେହ ଭିତରେ ରହିଛି। ଏପରିକି ‘ପିକୁ’ରେ ଥିବା ଶଯ୍ୟା ଅନେକ ସମୟରେ ଫାଙ୍କା ରହୁଛି। ତେବେ ନୀଲ୍‌ ଗୁରୁତର ଅବସ୍ଥାରେ ଆସିଥିବା ସମୟରେ ‘ପିକୁ’ରେ ଶଯ୍ୟା ଖାଲି ରହିଥିଲା କି ନାହିଁ ତାହାର ଯାଞ୍ଚ ଜରୁରୀ ହୋଇ ପଡ଼ିଛି।

କେବଳ ଶିଶୁ ବିଭାଗ ନୁହେଁ ହସ୍ପିଟାଲର ବିଭିନ୍ନ ବିଭାଗରୁ ପ୍ରତ୍ୟେକ ଦିନ ରୋଗୀଙ୍କୁ ଅନ୍ୟତ୍ର ରେଫର କରି ଦିଆଯାଉଛି। ଯାହାଫଳରେ ରୋଗୀମାନେ ଏସ୍‌ସିବିକୁ ଦୌଡ଼ୁଛନ୍ତି। ସେଠାରେ ପ୍ରବଳ ଭିଡ଼ ହେଉଥିବା କାରଣରୁ ଅନେକ ରୋଗୀ ସେଠାରୁ ଫେରି ରାଜଧାନୀର ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ଏହି ରେଫରାଲ ଘଟଣାରେ ଡାକ୍ତରଙ୍କଠାରୁ ଆରମ୍ଭ କରି ହସ୍ପିଟାଲର କର୍ମଚାରୀଙ୍କ ସଂପୃକ୍ତି ରହିଥିବା ଦୀର୍ଘଦିନରୁ ଅଭିଯୋଗ ହୋଇ ଆସୁଛି। ରାଜ୍ୟ ସରକାର ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ଯୋଜନା ଆରମ୍ଭ କରିଛନ୍ତି। ରୋଗୀଙ୍କୁ କିଭଳି ହସ୍ପିଟାଲରେ ଉନ୍ନତ ଚିକିତ୍ସା ମିଳିପାରିବ ସେଥିପାଇଁ ଗୁରୁତ୍ବ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗରେ ଏଥିପାଇଁ ଘନ ଘନ ବୈଠକ ବସୁଛି। ମାତ୍ର ଉନ୍ନତ ମାନର ଚିକିତ୍ସା କେବଳ ଯୋଜନାରେ ହିଁ ସୀମିତ ରହିଛି।

କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର